ପାଣିରେ ବୁହାଇ ଦେଲେଣି କୋଟି କୋଟି, ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀରେ ଲୋକାର୍ପିତ ପାଣି ଟାଙ୍କି ଅଚଳ

ଜଗତସିଂହପୁର ଟାଉନ୍: ଜଗତସିଂହପୁର ବ୍ଲକ୍‌ ଅଫିସଠାରୁ ପ୍ରାୟ ୧ କିଲୋମିଟର ଦୂର ଯଶୋବନ୍ତପୁର। ଜିଲ୍ଲାପାଳଙ୍କ ଅଫିସଠାରୁ ପ୍ରାୟ ଦୁଇ କିଲୋମିଟର। ଚକାଚକ୍ ଟାଙ୍କି, ପାଇପ୍‌ ବିଛା ହୋଇଛି, ଟ୍ୟାପ୍ ଲାଗିଛି, କିନ୍ତୁ ପାଣି ଆସୁନି। ଟାଙ୍କିରେ ରଙ୍ଗ ପରେ ରଙ୍ଗ ମରାଯାଇ ବିଲ୍ କରାଯାଉଛି। କିନ୍ତୁ ଲୋକଙ୍କ ପାଖରେ ବିଶୁଦ୍ଧ ପାଣି ଟିକେ ପହଞ୍ଚି ପାରୁନି। ପଚାରିଲେ କେତେବେଳେ ଉତ୍ତର ମିଳୁଛି ମଟର ଖରାପ ତ ଆଉ କେତେବେଳେ ତାର ଚୋରି ହୋଇଯାଇଛି। କିନ୍ତୁ ମାସ ମାସ ଧରି ପାଣି ମିଳୁନି। ବଡ଼ କଥା ହେଲା ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଭେଟି ଦେଇଥିଲେ। ଯାହା ଏବେ ମାସାଧିକ କାଳ ହେଲା ଅଚଳ ହୋଇ ପଡ଼ି ରହିଛି। ସୂଚନା ଅନୁସାରେ, ୨୦୧୬ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୮ରେ ବସୁଧା ଯୋଜନାରେ ସାମିଲ ହୋଇଥିଲା। ଯଶୋବନ୍ତପୁର, ବାଲିସାହି, କାଠୁଆପାଟଣା, ବେଜସାହି, ହୁରାସାହି ଆଦି ଅଞ୍ଚଳକୁ ପାଣି ଯୋଗାଉଥିଲା। ଅଳ୍ପ କିଛି ମାସ ପାଣି ଆସିବା ପରେ ଏକାଧିକ ଅଞ୍ଚଳକୁ ଆଉ ପାଣି ଗଲାନି। କେଉଁଠି ପାଇପ୍ ଫାଟି ଗଲା ତ ଆଉ କେଉଁଠି ପାଣି ପହଞ୍ଚି ପାରିଲା ନାହିଁ। ଗତ କିଛି ମାସ ହେଲା ଟାଙ୍କି ପୂରା ଅଚଳ ହୋଇ ପଡ଼ି ରହିଛି। ଅଚଳ ଟାଙ୍କି ରାସ୍ତା ଉପରୁ ପୂରା ଚକାଚକ୍ ଦେଖାଯାଉଛି। ଗୋଟିଏ ପଟେ ପାଣି ଆସୁ ନ ଥିବା ବେଳେ ଅନ୍ୟ ପଟରେ କିନ୍ତୁ ରଙ୍ଗ ମାରି ନୂଆ ଭଳି କରି ଦିଆଯାଇଛି। କେବଳ ଇଏ ଗୋଟିଏ ଅଞ୍ଚଳ ନୁହେଁ ଏକାଧିକ ପଞ୍ଚାୟତ ଗାଁରେ ସମାନ ଅବସ୍ଥା। ଟାଙ୍କି ଅଛି, ପାଣି ଆସୁନି। ମଣ୍ଡାସାହି ପଞ୍ଚାୟତରେ ପୂର୍ବରୁ ଏକ ଟାଙ୍କି ରହିଥିବା ବେଳେ ନୂତନ ଭାବେ ଟାଙ୍କି ତିଆରି କରାଯାଇଛି। କିନ୍ତୁ ପୁରୁଣା ଟାଙ୍କି ଅଚଳ ହୋଇ ପଡ଼ି ରହିଛି। ନୂତନ ଟାଙ୍କି ସଂଯୋଗ କରାଯାଇ ନାହିଁ। ମଟର ଯୋଗେ କିଛିଦିନ ପାଣି ଯୋଗାଣ ହୋଇଛି। ସେହିପରି ପୂର୍ବରୁ ବିଛା ଯାଇଥିବା ଭୂତଳ ପାଇପଲାଇନ୍ ଖରାପ ହୋଇ ଯାଇଥିବାରୁ ଏବେ ନୂତନ ପାଇପ୍ ବିଛା ଚାଲିଛି। ଯାହାଫଳରେ ପାଣି ଲୋକଙ୍କ ପାଖରେ କେବେ ପହଞ୍ଚିବ ତାହା ମଧ୍ୟ ଜଣାପଡ଼ି ନାହିଁ। ସେହିପରି ଖଇରାଙ୍ଗ ପଞ୍ଚାୟତର ନୂଆପାଟଣା ଗ୍ରାମରେ ସୌର ଚାଳିତ ଟାଙ୍କି ଯୋଗେ ଲୋକଙ୍କ ପାଖରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ପ୍ରକଳ୍ପ ତିଆରି ହୋଇଥିଲା।

ଯାହାର ମୂଲ୍ୟ ଥିଲା ୩ ଲକ୍ଷ ୪୧ ହଜାର ଟଙ୍କା। ଦିନକୁ ୧୦ ରହଜାର ଲିଟର ବିଶୁଦ୍ଧ ପାଣି ଯୋଗାଇବାର କ୍ଷମତା ଥିଲା। ଅଳ୍ପ କିଛି ଦିନ ଚାଲିବା ପରେ ଅଚଳ ହୋଇଗଲା ପାଣି ଟାଙ୍କି। ପାଇପଲାଇନ୍ ମଧ୍ୟ ଫାଟି ଗଲାଣି। ସେହିପରି ଟାଙ୍କିର ଯନ୍ତ୍ରାଂଶ, ପାଣି ଟ୍ୟାପ୍ ଚୋରି ହୋଇ ଗଲାଣି। ସେହିପରି ନବାପାଟଣାରେ ଟାଙ୍କି ଅଛି। କିନ୍ତୁ ଟାଙ୍କିକୁ ପାଣି ଉଠୁନି। ଟାଙ୍କି ଅଚଳ ହୋଇ ପଡ଼ି ରହିଛି। ମଟର ସାହାଯ୍ୟରେ ଲୋକଙ୍କ ପାଖକୁ ପାଣି ଯାଉଛି। କେବଳ ନବାପାଟଣା ନୁହେଁ ଅନେକ ଅଞ୍ଚଳରେ ମଧ୍ୟ ସମାନ ଘଟଣା। ଚକାଚକ୍ ଟାଙ୍କି ରହିଛି, କିନ୍ତୁ ମଟର ସାହାଯ୍ୟରେ ପାଣି ଯୋଗାଣ କରାଯାଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଯଶୋବନ୍ତପୁର ଅଞ୍ଚଳର ଶଙ୍କର୍ଷଣ ଓଝା କହିଛନ୍ତି, ଇଏ ଦୁର୍ନୀତିର ବାଟ। ଟାଙ୍କି ଅଚଳ ଯୋଗୁ ଲୋକଙ୍କ ପାଖରେ ପାଣି ପହଞ୍ଚି ପାରୁ ନାହିଁ। କିନ୍ତୁ ଟାଙ୍କି, ପମ୍ପ ହାଉସକୁ ରଙ୍ଗ ମରାଯାଇ ବିଲ୍ କରାଯାଉଛି। ଯଶୋବନ୍ତପୁର ସରପଞ୍ଚ ଅଭିମନ୍ୟୁ ସାମଲ କହିଛନ୍ତି, ପମ୍ପ ହାଉସକୁ ସଂଯୋଗ କରୁଥିବା ବିଦ୍ୟୁତ ତାର ଚୋରି ହୋଇ ଯାଇଥିଲା। ଫଳରେ ପାଣି ଯୋଗାଣ ବନ୍ଦ ରହିଛି। ମରାମତି କାମ ଚାଲୁଛି। ଖୁବଶୀଘ୍ର ପାଣି ଯୋଗାଣ ହେବ। ଏଠାରେ ପ୍ରଶ୍ନ ଉଠୁଛି ଜରୁରିକାଳୀନ ସେବା ସହ ଜଡ଼ିତ ପାଣି ପମ୍ପ ହାଉସରୁ ଚୋରି ହେଲେ ଏ ସଂକ୍ରାନ୍ତରେ ଥାନାରେ ଏତଲା ଦିଆଯାଇଛି କି? ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀ ଅବଗତ ଅଛନ୍ତି କି? ମାସ ମାସ ଧରି ଜଳ ଯୋଗାଣ ହେଉ ନ ଥିଲେ ବି ବିଭାଗୀୟ ଅଧିକାରୀ କାହିଁକି ଚୁପ୍ ବସିଛନ୍ତି? ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବିଶୁଦ୍ଧ ପାଣି ଯୋଗାଣ ନାଁରେ କୋଟି କୋଟି ଟଙ୍କା ପାଣିରେ ବୁହାଇ ଦିଆଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବସୁଧା ଯୋଜନାରେ କେଳେଙ୍କାରୀକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି। ଉଲ୍ଲେଖଯୋଗ୍ୟ, ପଲ୍ଲୀ ପଞ୍ଚାୟତରେ ପାନୀୟ ଜଳ ଟାଙ୍କି ଥାଇ ମଧ୍ୟ ସବୁ ଅଞ୍ଚଳକୁ ଯୋଗାଣ ସମ୍ଭବପର ହୋଇପାରି ନାହିଁ।

ସମ୍ବନ୍ଧିତ ଖବର