ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ମ ପ୍ରବାହ ଉତ୍କଟ ରୂପ ନେଇଛି। ଦିନ ଦଶଟା ହେଲେ ଘରୁ ପଦାକୁ ବାହାରିବା ମୁସକିଲ ହୋଇପଡୁଛି। ଜିଲ୍ଲାର ବହୁ ନଦୀ ନାଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଶୁଖିଗଲାଣି। ଏଥିସହ ବହୁ ଗ୍ରାମରେ ଉତ୍କଟ ଜଳ ସମସ୍ୟା ଆରମ୍ଭ ହୋଇଗଲାଣି। ଏହି କ୍ରମରେ ମାଲକାନଗିରି ବ୍ଲକର ତଣ୍ଡକି ପଞ୍ଚାୟତର ଚିଡିପାଲୀ ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଗ୍ରାମରେ ରହିଥିବା ଚାରୋଟି ନଳକୂପ ମଧ୍ୟରେ ଦୁଇଟି ଅଚଳ ରହିଥିବା ବେଳେ ଅନ୍ୟ ଦୁଇଟି କାମ କରୁଥିବା ଜଣାପଡିଛି। କିନ୍ତୁ ସେଥିରେ ମଧ୍ୟ ପାଣି ବାହାରିବା ଏକ ପ୍ରକାର ମୁସକିଲ ହେଉଥିବାରୁ ଗ୍ରାମବାସୀ ନିକଟସ୍ଥ ପଖୋରୀ କୂଳରେ ଏକ ଗାତ କରି ସେହି ଚୁଆ ପାଣିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଚିଡପାଲୀ ଗ୍ରାମରେ ପ୍ରାୟ ୧୨୦ ଘର ରହିଛି। ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି।
ଏତେ ଲୋକଙ୍କ ପାଇଁ ପାଣି ଯୋଗାଡ କରିବା ଏକ ପ୍ରକାର ମୁସକିଲ ହୋଇପଡୁଛି। ଲୋକେ ଚୁଆ ପାଣି ପିଇବା ଫଳରେ ନାନା ସଂକ୍ରାମକ ରୋଗରେ ପଡିବା ସହ ଅକାଳରେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ତେବେ ଦୀର୍ଘଦିନ ଧରି ଏହି ଗ୍ରାମରେ ଏଭଳି ପାଣି ସମସ୍ୟା ଲାଗି ରହିଛି। ଲୋକେ ନଳକୂପ ମରାମତି ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଉଛନ୍ତି। ତେବେ ଏନେଇ ତଣ୍ଡକି ପଞ୍ଚାୟତର ପିଇଓ ଦୟାନିଧି ନିମାଲଙ୍କୁ ପଚାରିବାରୁ ସେ ଏହି ଗ୍ରାମରେ ନଳକୂପ ଖୋଳାଗଲେ ମଧ୍ୟ ସଫଳ ହେଉନଥିବା କହିବା ସହ ଆଗାମୀ ଦିନରେ ଆହୁରି ଅଧିକା ନଳକୂପ ଖୋଳିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ଚିଡପାଲୀ ଗ୍ରାମରେ ପାଣି ସମସ୍ୟା ରହିଥିବାରୁ ଲୋକଙ୍କୁ ଟ୍ୟାଙ୍କର ସାହାଯ୍ୟରେ ପାଣି ଯୋଗାଇ ଦିଆଯାଉଥିବା ସେ କହିଥିଲେ। ଏଥିରେ ସରପଞ୍ଚ ବାବୁଲା ପଡିଆମି ମଧ୍ୟ ସହଯୋଗ କରୁଥିବା ସେ କହିଥିଲେ। ଆଗାମୀ ଦିନରେ ଏଠାରେ ପାଣି ସମସ୍ୟା ଦୁର ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/MKg-water-problem.jpeg)