ବ୍ୟାସନଗର: ଲଘୁଚାପ ଲଗାଣ ବର୍ଷାରେ ବ୍ୟାସନଗର ସହର ଜଳବନ୍ଦୀ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ପୌରାଞ୍ଚଳର ୨୬ ଟି ୱାର୍ଡରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅଧିକାଂଶ ଅଞ୍ଚଳ ପାଣିଘେରରେ ଥିବା ବେଳେ ପୌରସଂସ୍ଥା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏପରିକି ଘରେ ପାଣି ପଶିଥିବା ବେଳେ ଅନେକ ଲୋକ ସକାଳ ପର୍ଯ୍ୟନ୍ତ ଜଳବନ୍ଦୀରେ ରହିଥିଲେ। ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବହୁ ଘରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି। ଏପରିକି କେତେକ ଦୋକାନରେ ମଧ୍ୟ ପାଣି ପଶି ବିକ୍ରି ପାଇଁ ଥିବା ସାମଗ୍ରୀ ନଷ୍ଟ ହୋଇଛି। ସହରର ଦଳା ଛକସ୍ଥିତ କାଳନ୍ଦି ସାହୁ ଓ ଗୌରୀଶଙ୍କର ଦାସଙ୍କ ଘରେ ବର୍ଷାଜଳ ପଶି ଯାଇଛି। ସହରର ମୁଖ୍ୟ ପ୍ରବେଶ ପଥ ନହକା ରାସ୍ତାର ଅଧ କିଲୋମିଟର ଯାଏ ରାସ୍ତା ଉପରେ ଦୁଇ ଫୁଟର ପାଣି ଚାଲିଛି। ଏହିରାସ୍ତା ଉପରେ ନିର୍ଭର କରୁଥିବା ପୌରାଞ୍ଚଳ ସମେତ କୋରେଇ ବ୍ଲକ୍‌ର ୧୪ଟି ପଞ୍ଚାୟତ ଓ କେନ୍ଦୁଝର ଜିଲ୍ଲାର ଘସିପୁରା, ଆନନ୍ଦପୁର ବ୍ଲକ୍‌ ଅଞ୍ଚଳର ଲୋକମାନଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଦଳା ଛକରେ ପାଣିରେ ବୁଡ଼ିଥିବା ବିପର୍ଯ୍ୟସ୍ତ ରାସ୍ତା ପାଇଁ ଭୁବନେଶ୍ବର, କଟକ, ଭଦ୍ରକ, ବାଲେଶ୍ଵର ଆସୁଥିବା ଗାଡ଼ି ମୋଟର ଆସିପାରିନାହାନ୍ତି। ସେହିପରି ଚୋରଦା ଛକରୁ ବାଇପାସ ଛକ ପର୍ଯ୍ୟନ୍ତ ଲଘୁଚାପ ବର୍ଷା ପାଇଁ ଗମନାଗମନ ଅନୁପଯୋଗୀ ହୋଇପଡ଼ିଥିଲା।

Advertisment

୧୩ ନଂ ୱାର୍ଡ ଲକ୍ଷ୍ମୀ ବିହାରର ୫୦ ପରିବାର ଗତକାଲି ଠାରୁ ଜଳବନ୍ଦୀ ହୋଇ ରହିଛନ୍ତି। ଘର ବନ୍ଧ ତଳକୁ ଓହ୍ଲାଇଲେ ଆଣ୍ଠୁଏରୁ ଅଧିକ ପାଣି। ବର୍ଷା ପାଇଁ ଲକ୍ଷ୍ମୀ ବିହାରର ଚକ୍ଷୁ ଡାକ୍ତରଖାନାକୁ ଲୋକମାନେ ଯାଇପାରିନଥିଲେ। ଏଠାରେ ବର୍ଷାପାଣି ଜମି ରହି ରାସ୍ତାରେ ଚଳପ୍ରଚଳ ବନ୍ଦ ହୋଇଯାଇଥିଲା। ଫଳରେ ଏଠାକୁ ଆସୁଥିବା ରୋଗୀମାନେ ଫେରି ଯାଇଥିଲେ। କହ୍ନେଇପୁର ଡାକ୍ତର ବସନ୍ତ ତ୍ରିପାଠୀ ଲେନ୍‌ ରାସ୍ତାର ୨ ଶହ ମିଟର ପର୍ଯ୍ୟନ୍ତ ୨ ଫୁଟ ଗଭୀରର ବର୍ଷାପାଣି ଲହଡ଼ି ମାରିଥିଲା। ଫଳରେ ଏହି ଲେନ୍‌ ରାସ୍ତା ପାର୍ଶ୍ବରେ ରହୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପୌରସଂସ୍ଥା ପକ୍ଷରୁ ଏଠାରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇନଥିଲା। ସେହିପରି ମୁଖ୍ୟରାସ୍ତାରୁ ରାଧାନାଥ ମାର୍ଗ ରାସ୍ତା ପ୍ରାୟ ୩ ଶହ ମିଟର ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିଲା। ଉକ୍ତ ରାସ୍ତା କଡ଼ିରେ ଥିବା ଦୋକାନ ଓ ବାସଗୃହରେ ନର୍ଦ୍ଦମା ପାଣି ପଶି ଯାଇଥିଲା। ତଳିଆ ଅଞ୍ଚଳରେ ରହୁଥିବା ଅଧିକାଂଶ ଲୋକଙ୍କ ଘରେ ପାଣି ପଶିଯିବାରୁ ସେମାନେ ରୋଷେଇ ମଧ୍ୟ କରି ପାରିନଥିଲେ। ଚୁଡ଼ା, ବିସ୍କୁଟ୍‌ ଇତ୍ୟାଦି ଶୁଖିଲା ଖାଦ୍ୟ ଖାଇ ରହିବାକୁ ବାଧ୍ୟ ହୋଇଥିଲେ। ପ୍ରକାଶ ଯେ, ଗତ ୩୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗରୁ ସୂଚନା ଦିଆଯାଇଥିଲା। ହେଲେ ଏହି ସମୟରେ ଉତ୍ପନ୍ନ ସମସ୍ୟାର ସମାଧାନ ପାଇଁ ପୌରସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।