ତେଲକୋଇ: ତରଭୁଜ ସାଧାରଣତଃ ଖରାଦିନେ ଅମଳ ହୋଇଥାଏ। ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳ‌ରେ ଉତ୍ପାଦନ ହେଉଥିବା ଶୀତଦିନିଆ ତରଭୁଜର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି। ଏଠାକାର ଯୁବଚାଷୀମାନେ ବର୍ଷାଦିନେ ତରଭୁଜ ଚାଷ ଆରମ୍ଭ କରି ଶୀତଦିନେ ଅମଳ କରୁଛନ୍ତି। ଚଳିତ ବର୍ଷ ତେଲକୋଇ ଅଞ୍ଚଳରେ ଦୁଇଶହ ଏକର ଜମିରେ ଶୀତଦିନିଆ ତରଭୁଜ ଚାଷ କରାଯାଇଛି। ଅଣଧାନ ଜମି ତଥା ପଡ଼ିଆ ଜମିରେ ଏହାକୁ ଚାଷ କରାଯାଇଥିବା ଦେଖିବାକୁ ମିଳିଛି।

Advertisment

ତେଲକୋଇ ବ୍ଲକ୍‌ ଗୋଳାଗାଡ଼ିଆ, କାଳିଆହତା, ନୂଆଁଗଡ଼, କମଳାଙ୍ଗ, କାଳିମା, ଦେଉଳଡିହା, କାଦୁପଡ଼ା, କନ୍ତଲେଇ, କୁଲାଡେରା ଗ୍ରାମରେ ଶୀତଦିନିଆ ତରଭୁଜ ଚାଷ କରାଯାଇଛି। ସାଧାରଣତଃ ଶୀତଦିନିଆ ତରଭୁଜ ଚାଷ ପାଇଁ ବର୍ଷାଦିନେ ଜମି ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଅଗଷ୍ଟ ପ୍ରଥମ ସପ୍ତାହରେ ଜମିକୁ ହଳ କରି ମଞ୍ଜି ପୋତିବା କାମ ଆରମ୍ଭ ହୋଇଥାଏ। ଅକ୍ଟୋବର ଶେଷ ପର୍ଯ୍ୟାୟରେ ତରଭୁଜ ଅମଳ ହୋଇ ବଜାରରେ ବିକ୍ରି ହୋଇଥାଏ। ବର୍ଷାଦିନେ ଚାଷ ହେଉଥିବାରୁ ୨୫ ମାଇକ୍ରୋନ ମର୍ଚିଙ୍ଗ୍ ପଲିଥିନର ସହାୟତା ନିଆଯାଇଥାଏ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅନାବନା ଘାସଲତା, ଜଳର ଆଦ୍ରତା ତଥା ରୋଗପୋକ ନିୟନ୍ତ୍ରିତ କରିବା ସହଜ ହୋଇଥାଏ। ଏକର ପ୍ରତି ହାରାହାରି ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏକଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆୟ ହୋଇପାରୁଛି। ସେହିପରି ଖରାଦିନେ ତରଭୁଜ ଅମଳ ସମୟରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ବ୍ୟାପକ ଫସଲହାନି ହେଉଛି। ତରଭୁଜ ସବୁ ଫାଟିଯାଉଛି। ଫଳରେ ଚାଷୀମାନେ କ୍ଷତି ସହୁଛନ୍ତି। ତେଣୁ ତେଲକୋଇ ଅଞ୍ଚଳର ଚାଷୀମାନେ ଏହି ଶୀତଦିନିଆ ତରଭୁଜ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଗତବର୍ଷ ଶୀତଦିନିଆ ତରଭୁଜ କେଜି ପ୍ରତି ଦର ୧୫ରୁ ୨୨ଟଙ୍କା ରହିଥିଲା। ତେଲକୋଇ ଅଞ୍ଚଳର ଯୁବଚାଷୀମାନେ ପରୀକ୍ଷାମୂଳକ ଭାବେ ୭୦ ଏକର ଜମିରେ ଚାଷ କରି ଦେଢ଼ଶହ ଟନ୍ ତରଭୁଜ ଅମଳ କରିଥିଲେ। ଏହାକୁ ବିକ୍ରି ୨୭ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ସୁଦୂର ଆସାମ ଓ ପଶ୍ଚିମବଙ୍ଗ ରାଜ୍ୟର ବ୍ୟବସାୟୀମାନେ ବଗିଚାରୁ ସମସ୍ତ ତରଭୁଜ କିଣି ନେଇଥିଲେ। ଚଳିତ ବର୍ଷ ଆହୁରି ଅଧିକ ଚାଷୀ ଏହି ଶୀତଦିନିଆ ତରଭୁଜ ଚାଷ କରିଛନ୍ତି।

ଏନେଇ ଗୋଳାଗାଡ଼ିଆ ଗ୍ରାମର ଯୁବଚାଷୀ ବିବେକା ପ୍ରଧାନ କହିଛନ୍ତି, ସେମାନେ ୫ଜଣ ମିଶି ୨୦ ଏକର ଜମିରେ ଶୀତଦିନିଆ ତରଭୁଜ ଚାଷ କରିଛନ୍ତି। ବର୍ତ୍ତମାନ ଗଛରେ ଫୁଲ ଓ ଫଳ ଧରିଲାଣି। ଚାଷପାଇଁ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଆଗକୁ ଆଉ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୨୦ ଲକ୍ଷ ଟଙ୍କାର ତରଭୁଜ ଅମଳ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶୀତଦିନିଆ ତରଭୁଜ ଚାଷପାଇଁ କୌଣସି ସରକାରୀ ସହାୟତା ମିଳୁନାହିଁ। ନିଜ ଉଦ୍ୟମରେ ସବୁ କିଛି କରିବାକୁ ପଡ଼ୁଛି। ତରଭୁଜ ଫସଲକୁ ବୀମାଭୁକ୍ତ କରାଯାଉନାହିଁ। କୌଣସି କାରଣରୁ ଫସଲ ନଷ୍ଟ ହୋଇଗଲେ ସରକାରୀ ସହାୟତା ତ ଦୂରର କଥା କେହି ଆହା ପଦେ କହୁନାହାନ୍ତି। ଖରାଦିନିଆ ତରଭୁଜ ଅପେକ୍ଷା ଶୀତଦିନେ ଅମଳ ହେଉଥିବା ତରଭୁଜରୁ ଭଲ ଆୟ ହେଉଥିବାରୁ ଚାଷୀମାନେ ଏହାକୁ କରିବା ପାଇଁ ଆଗ୍ରହ ଦେଖାଉଥିବା ଶ୍ରୀ ପ୍ରଧାନ କହିଛନ୍ତି।