ମାଲକାନଗିରି/ଚିତ୍ରକୋଣ଼୍ଡା: ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଏବଂ ନକ୍ସଲ ପ୍ରବଣ ଅଂଚଳରେ ବହୁ କ୍ରୀଡାବିତ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ବେଶ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭକ୍ତରାମ ଦସ୍ତି ଅନ୍ୟତମ। ଭକ୍ତରାମ ଦସ୍ତିଙ୍କ ଘର ଚିତ୍ରକୋଣ୍ଡା ବ୍ଲକର ଆରଏସି-୪ ନମ୍ବର ଗ୍ରାମରେ। ନିପଟ୍ଟ ମଫସଲରେ ରହି ଭାରତ୍ତୋଳନ କ୍ରୀଡା ପ୍ରତି ଆଗ୍ରହ ଦେଖାଇଥିଲେ।ତେବେ ସ୍କୁଲରେ ଭାରତ୍ତୋଳନ କରି ସମସ୍ତଙ୍କର ଅତି ପ୍ରିୟ ବନିଥିଲେ ଭକ୍ତରାମ। ପିଲାଟି ଦିନରୁ ଭାରତ୍ତୋଳନ ପ୍ରତି ରହିଥିବା ଆଗ୍ରହ ତାଙ୍କୁ ଦିନେ ଆନ୍ତର୍ଜାତିକ ସ୍ତରକୁ ନେଇଯିବ ସେ କେବେ ଭାବିନଥିଲେ। ଛୋଟିଆ ଆଦିବାସୀ ଗାଁରେ ଜନ୍ମ ହୋଇ ସେ ବଡ ସ୍ବପ୍ନ ଦେଖିଥିଲେ। ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସେ ଭାରତ୍ତୋଳନ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ।
ଏହି ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ହାସଲ କରି ଆଗକୁ ବଢିବାର ଏକ ବାଟ ଖୋଲିଥିଲେ। ୨୦୧୨ ମସିହାରେ ସେ ବ୍ରହ୍ମପୁର କ୍ରୀଡା ଛାତ୍ରାବାସରେ ରହି ପାଠ ପଢିବା ସହ ଭାରତ୍ତୋଳନ ପାଇଁ ତାଲିମ ଗ୍ରହଣ କରିଥିଲେ। ୨୦୧୬ ମସିହାରେ ୬୨ତମ ରାଷ୍ଟ୍ରୀୟ ସ୍କୁଲ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣପଦକ ଜିତିଥିଲେ। ପରେ ୨୦୧୮ ମସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ଖେଲ ଇଣ୍ଡିଆ ଗେମସରେ ସ୍ବର୍ଣ୍ଣପଦକ ପରେ ପରେ ସେହି ବର୍ଷ ହିଁ ମହାରାଷ୍ଟ୍ରର ନାଗପୁରଠାରେ ରାଷ୍ଟ୍ରୀୟ ଯୁବ ପ୍ରତିଯୋଗିତାରେ ଏବଂ ୨୦୧୯ ଜାନୁୟାରୀ ମାସରେ ଦ୍ବିତୀୟ ଖେଲ ଇଣ୍ଡିଆ ପ୍ରତିଯୋଗିତାରେ ପୁଣି ସ୍ବର୍ଣ୍ଣ ପଦକ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ।୧୭ ବର୍ଷରୁ କମ୍ ବୟସ ଭାରତ୍ତୋଳନ ବର୍ଗରେ ସେ ରାଷ୍ଟ୍ରୀୟ ଟିମରେ ସାମିଲ ହୋଇପାରିଥିଲେ।
/sambad/media/post_attachments/wp-content/uploads/2021/10/Mkg-weight-lifter-Bhaktaram-dosti-2-1024x761.jpg)
ଜାତୀୟ ଟିମରେ ସାମିଲ ହେବା ପରେ ସେ ପଞ୍ଜାବର ପଟିଆଲାଠାରେ ଜାତୀୟ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେବା ପରେ ଅଷ୍ଟ୍ରେଲିଆର ସାମୁଆଠାରେ ଅନୁଷ୍ଠିତ କମନ ୱେଲଥ ଗେମସରେ ୪୯ କିଲୋ ବର୍ଗରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ସେ ଜାତୀୟସ୍ତରର ଖେଳାଳୀ ବନିଯାଇଥିଲେ। ଗୋଟିଏ ଗରିବ ପରିବାରରୁ ଜନ୍ମିତ ଭକ୍ତରାମ ଆନ୍ତର୍ଜାତିକ ଖେଳରେ ସୁନାମ ଅର୍ଜନ କରିବା ଏକ ବଡକଥା।
ସରକାରଙ୍କର ସହଯୋଗରେ ଆଜି ସେ ଏତେଦୁର ପହଞ୍ଚିଥିବା ସ୍ଥାନୀୟ ଲୋକେ କହନ୍ତି। ତେବେ କରୋନା ଯୋଗୁଁ ଲକଡାଉନ ହେବା ଫଳରେ ସେ ନିଜ ଗ୍ରାମକୁ ଫେରି ବାପା ମାଆଙ୍କୁ ଚାଷ କାମରେ ସହଯୋଗ କରୁଛନ୍ତି। ପୁଣି ଦିନ ମଜୁରିଆ କାମ ମଧ୍ୟ କରୁଥିବା ସେ କହନ୍ତି। ସରକାର ପୁଣି ଭକ୍ତରାମକୁ ସୁଯୋଗ ଦେଲେ ସେ ନିଶ୍ଚିତ ଭାବେ ଦେଶର ନାମ ରଖିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଏବେ ସେ ଗାଁରେ ରହି ଜମିରେ କାମ କରିବା ସହ ଶ୍ରମିକ କାମ କରୁଛି। ବଣର ମଲ୍ଲି ବଣରେ ଫୁଟି ମଉଳି ନଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସରକାର ତୁରନ୍ତ ଭକ୍ତରାମକୁ ସୁଯୋଗ ଦେଇ ପୁଣି ଭାରତ୍ତୋଳନରେ ରାଜ୍ୟ ତଥା ଦେଶର ନାମ ଉଚ୍ଚା କରିବାରେ ସହଯୋଗ କରନ୍ତୁ ବୋଲି ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Mkg-weight-lifter-Bhaktaram-dosti-1.jpg)