ରାୟଗଡ଼ା/ଜୟପୁର: ଭୁବନେଶ୍ୱର ମଞ୍ଚେଶ୍ବର ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଛନ୍ତି ରାୟଗଡ଼ାର କ୍ରୀଡ଼ାବିତ୍। ଅଗଷ୍ଟ ୨୦ ଓ ୨୧ ଦୁଇ ଦିନ ଧରି ଅନୁଷ୍ଠିତ ପ୍ରତିଯୋଗିତାରେ ୧୦ଟି ଜିଲ୍ଲାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲାରୁ ୧୪ ଖେଳାଳି ଭାଗ ନେଇ ମୋଟ ୨୪ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ସେଥି ମଧ୍ୟରେ ୧୪ଟି ସ୍ବର୍ଣ୍ଣ, ୬ଟି ରୌପ୍ୟ, ୪ଟି ବ୍ରୋଞ୍ଜ ପଦକ ରହିଛି। ପିଙ୍କି ହୁଇକା ସର୍ବାଧିକ ୪ଟି ସ୍ଵର୍ଣ୍ଣ ପଦକ ଜିତି ରାୟଗଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେହିପରି ବୃନ୍ଦାବନ ଶବର ସ୍ବର୍ଣ୍ଣ, ରାଜେଶ ନାୟକ ସ୍ଵର୍ଣ୍ଣ, ବୁଲୁ ତାଡିଙ୍ଗି ସ୍ଵର୍ଣ୍ଣ, ରବିନାରାୟଣ ନାୟକ ସ୍ଵର୍ଣ୍ଣ, ପୂଜା ଖୋସଲା ସ୍ଵର୍ଣ୍ଣ, ଲିପସା ଖୋସଲା ସ୍ଵର୍ଣ୍ଣ, ଶ୍ରୀକାନ୍ତ ଫାଡ଼ି ରୌପ୍ୟ, ସ୍ବାଧୀନ ପରିଛା ବ୍ରୋଞ୍ଜ, ମୁନା ମାଣ୍ଡାଙ୍ଗି ବ୍ରୋଞ୍ଜ, ଚିନା ଗାଣ୍ଡା ରୌପ୍ୟ, ବୀରେନ୍ଦ୍ର ଶବର ରୌପ୍ୟ, ଦୋରା କଣ୍ଡାଗିରି ରୌପ୍ୟ ପଦକ ଜିତିଛନ୍ତି। ରାଜ୍ୟ ଶକ୍ତି ଉତ୍ତୋଳନ ସଂଘ ସଭାପତି ଦୋରା କଣ୍ଡାଗିରିଙ୍କ ସହଯୋଗରେ ଖେଳାଳିମାନେ ଏହି ସଫଳତା ହାସଲ କରିଛନ୍ତି। ରାୟଗଡ଼ା ଜିଲ୍ଲାର ଲୋକ ପ୍ରତିନିଧି, ବ୍ୟବସାୟିକ ପ୍ରତିଷ୍ଠାନ ସହଯୋଗର ହାତ ବଢାଇଲେ ୨୦୨୩ ରେ ରାୟଗଡ଼ା ଜିଲ୍ଲାରେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଲକ୍ଷ୍ୟ ରହିଛି ବୋଲି ଦୋରା କଣ୍ଡାଗିରି କହିଛନ୍ତି।

Advertisment

publive-image

ସେହିପରି ଜୟପୁରର ତିନି ଜଣ ସ୍ବର୍ଣ୍ଣ ପଦକ ପାଇ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ସେମାନେ ହେଲେ ସୌରାସାହିର ବିଶ୍ବନାଥ ନାୟକ ତାଙ୍କ ଝିଅ ବୈଭବୀ ନାୟକ, ଓ ଲିଙ୍ଗରାଜ ନଗରର ପଂଚମ ପ୍ରଧାନ। ବାପା ବିଶ୍ବନାଥ ନାୟକ ମାଷ୍ଟର ବର୍ଗରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୧୧ବର୍ଷୀୟା ବୈଭବୀ ୧୪ବର୍ଷ କମ୍ ବାଳିକା ବର୍ଗ(୫୫କିଲୋ)ରେ ଉଠାଇ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେପରି ଲିଙ୍ଗରାଜ ନଗରର ପଂଚମ ପ୍ରଧାନ ୧୬ବର୍ଷ କମ୍ ବାଳକ ବର୍ଗରେ ୫୯କିଲୋ ବର୍ଗରେ ସ୍ବର୍ଣ୍ଣ ପଦକ ସହ ଓପେନ ଡେଡ଼ଲିଫଟରେ ସିଲଭର ପଦକ ପାଇଛନ୍ତି। ରାଜ୍ୟସ୍ତରରେ ଶ୍ରୀ ନାୟକ ୨୦୧୭ରୁ ୨୦୧୯ମସିହା ପର୍ଯ୍ୟନ୍ତ ଲଗାଥାର ତିନି ଥର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଶ୍ରୀ ନାୟକ ସର୍ବଭାରତସ୍ତରରେ ବି ଭାଗ ନେଇ ପୂର୍ବରୁ ବହୁ ବାର ପୁରସ୍କାର ଆଣିଛନ୍ତି। ବାପାଙ୍କ ପାଦକୁ ଅନୁସରଣ କରି ବୈଭବୀ ପ୍ରଥମ କରି ଭାଗ ନେଇ ସ୍ବର୍ଣ୍ଣ ପଦକ ପାଇବା ନିଶ୍ଚିତ ରୁପେ ଜିଲ୍ଲାପାଇଁ ଗର୍ବ। ତିନି ଭାରୋତ୍ତୋଳକଙ୍କ ପାଇଁ ଜିଲ୍ଲା ଗୌରବାନ୍ୱିତ ହୋଇଥିବାରୁ ବିଭିନ୍ନ ମହଲରୁ ତିନିଜଣଙ୍କୁ ଶୁଭେଚ୍ଛା ଞାପନ କରାଯାଇଛି।