ବୁର୍ଲା: ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ଵାଲଙ୍କ ଅଧ୍ୟକ୍ଷତାରେ ବାସନ୍ତପୁରସ୍ଥିତ ନିଜସ୍ଵ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ୨୦୨୩- ୨୫ର ନବମ ଏମ୍ବିଏ ବ୍ୟାଚ୍ର ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଛି। ଏମ୍ବିଏ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷା ବର୍ଷରେ ସିଟ୍ ସଂଖ୍ୟା ୩୦୦ରୁ ୩୨୯କୁ ବୃଦ୍ଧି କରାଯାଇଛି। ତେବେ, ସେଥିମଧ୍ୟରୁ ୬୦ ପ୍ରତିଶତ ଛାତ୍ରୀ(୧୯୭ ଜଣ) ଓ ୪୦ ପ୍ରତିଶତ ପୁରୁଷ ଛାତ୍ର (୧୩୨ ଜଣ) ନାମ ଲେଖାଇଛନ୍ତି।
ସ୍ବାଗତ ସମାରୋହରେ ବେଦାନ୍ତ ଲିମିଟେଡ୍ର ସଭାପତି ଡ. ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଓ ସ୍ଵାତୀ ଅଗ୍ରୱାଲ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ନିର୍ଦେଶକ ପ୍ରଫେସର ଜୟସ୍ୱାଲ ଅନୁଷ୍ଠାନ ଇତିହାସର ସବୁଠାରୁ ବଡ଼ ବ୍ୟାଚ୍କୁ ସ୍ଵାଗତକରି କହିଲେ, ଆଇଆଇଏମ୍ ସମ୍ବଲପୁର ଅଭିନବତା, ଅଖଣ୍ଡତା ଏବଂ ଅନ୍ତର୍ଭୁକ୍ତତା ଉପରେ ଧ୍ୟାନ ଦେଇଥାଏ। ଯାହାକି ହିନ୍ଦୁ ଦେବତା ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କ ଶିକ୍ଷା ଉପରେ ଆଧାରିତ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଡ. ଚାନ୍ଦ ଛାତ୍ରମାନଙ୍କ ସହିତ ନିଜର ନୈତିକ ନେତୃତ୍ୱର ଗୁରୁତ୍ବ ବିଷୟରେ ଅବଗତ କରିଥିଲେ। ଏକାଗ୍ରତା ବଡ଼ ଫଳାଫଳ ହାସଲ କରିବାରେ ସାହାଯ୍ୟ କରିଥାଏ।
ମୁଖ୍ୟବକ୍ତା ସ୍ଵାତି ଅଗ୍ରୱାଲ ପ୍ରବନ୍ଧନରେ ଆଇପିଏଲ୍ର ଧାରଣା ବିଷୟରେ ଅବଗତ କରାଇ କହିଥିଲେ, ପ୍ରଭାବ, ଉଦ୍ଧେଶ୍ୟ ଏବଂ ନେତୃତ୍ୱ ଦ୍ଵାରା ସବୁକିଛି ସମ୍ଭବ ହୋଇପାରେ।