ଚେନ୍ନାଇ-ହାଓଡା ଚଳନ୍ତା ଟ୍ରେନ୍‌ରେ ଯୁବକଙ୍କୁ ଭୁସିଦେଲେ ଛୁରୀ, ଅଭିଯୁକ୍ତ ଅଟକ

ବ୍ରହ୍ମପୁର/ଗଂଜାମ: ଚେନ୍ନାଇ-ହାଓଡା ଚଳନ୍ତା ଟ୍ରେନ୍‌ରେ ଗଂଜାମ ରେଳଷ୍ଟେସନ ନିକଟରେ ଆଜି ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଅସ୍ମିତ ଗୁରାଇ ନାଁରେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଅସ୍ମିତଙ୍କ ଘର ପଶ୍ଚିବମଙ୍ଗରେ। ଆରପିଏଫ ଅଭିଯୁକ୍ତ ରାଜୀବ ଗୁରାଇକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ଅଭିଯୁକ୍ତ ରାଜୀବ ଗୁରାଇ ନିଜ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କିଛି ଦିନ ପୂର୍ବରୁ ଚେନ୍ନାଇ ଯାଇଥିଲା। ତାଙ୍କ ସାଙ୍ଗରେ ସତରପୁର ଗାଁର ଅସ୍ମିତ ଗୁରାଇ ମଧ୍ୟ ଯାଇଥିଲେ। ଉଭୟ  ଗୁରୁବାର ଚେନ୍ନାଇରୁ ଚେନ୍ନାଇ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ (୧୨୮୪୦) ଯୋଗେ ପଶ୍ଚିମବଙ୍ଗ ଫେରୁଥିଲେ। ଆଜି ଗଂଜାମ ରେଳ ଷ୍ଟେସନ ନିକଟରେ କୌଣସି ବ୍ୟକ୍ତିଗତ କାରଣରୁ ରାଜୀବ ଓ ଅସ୍ମିତଙ୍କ ମଧ୍ୟରେ ବଚସା ହୋଇଥିଲା। କାଳକ୍ରମେ ଏହା ହିଂସାରେ ପରିଣତ ହୋଇଥିଲା। ରାଜୀବ ଉତ୍ତେଜିତ ହୋଇ ଅସ୍ମିତଙ୍କ ଉପରେ ଅତର୍କିତ ଭାବେ ଏକ ଛୁରୀରେ ଆକ୍ରମଣ କରିଥିଲା। ଉଭୟଙ୍କର ଲଢ଼େଇ ଦେଖି ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଟ୍ରେନ ସୁରକ୍ଷା ଦାଇତ୍ୱରେ ଥିବା ରେଳବାଇ ପୁଲିସ ଟ୍ରେନ ଡ୍ରାଇଭରକୁ ଖବର ଦେବାରୁ ଗଞ୍ଜାମ ରେଳଷ୍ଟେସନରେ ଦୁଇଘଣ୍ଟ ପାଞ୍ଚମିନିଟ ସମୟରେ ଅଟକି ଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅସ୍ମିତକୁ ଟ୍ରନରୁ ଓହ୍ଲାଇ ପ୍ଲାଟଫର୍ମକୁ ଅଣାଯାଇଥିଲା।

ଗଞ୍ଜାମ ଷ୍ଟେସନରେ ସୁରକ୍ଷା ଦାଇତ୍ୱରେ ଥିବା ହାବିଲଦାର ପି.କେ.ନାୟକ ଓ ଷ୍ଟେସନ ମାଷ୍ଟର ତୁରନ୍ତ ଗଞ୍ଜମ ଥାନାକୁ ଖବର ଦେଇଥିଲେ। ଗଂଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଦଳବଦଳରେ ଆସି ଆମ୍ବୁଲାନ୍ସ ଯୋଗେ ଗୁରୁତର ଅସ୍ମିତକୁ ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଛତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅସ୍ମିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ଭିଆଇଥିବା ଯୁବକ ରାଜୀବକୁ ଗଞ୍ଜାମ ଷ୍ଟେସନରେ ଅଟକ ରଖାଯାଇଛି। ଟ୍ରେନ ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ରେଳବାଇ ପୁଲିସ ଏହାର ତଦନ୍ତ ଦାଇତ୍ୱ ନେଇଛି।

ସମ୍ବନ୍ଧିତ ଖବର