ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ: ମାସ ଶେଷରେ ୩ ଦିନ ବନ୍ଦ ରହିବ କୋର୍ଟ ସହ ସରକାରୀ ଅଫିସ

ଆନ୍ଦୋଳନକୁ ଆହୁରି ଯୋର କରିବାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନେଲା ନିଷ୍ପତ୍ତି

ଝାରସୁଗୁଡ଼ା: ପଶ୍ଚମି ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବୁଧବାର ଝାରସୁଗୁଡ଼ା ଠାରେ ସିଏସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ପୂର୍ବରୁ ସିଏସି ସମସ୍ତ କୋର୍ଟରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଶୁଣାଣି(ଜରୁରୀ ବ୍ୟତୀତ) ବନ୍ଦ କରିଥିଲା।

ଏହି ନିଷ୍ପତ୍ତିକୁ ବଳବତ୍ତର ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ପ୍ରତିମାସର ଶେଷ ତିନିଦିନ ଜନସାଧାରଣ ଓ ନାଗରିକଙ୍କ ପକ୍ଷରୁ କୋର୍ଟ ବନ୍ଦ କରାଯାଉଥିବା ବେଳେ ଏଥିରେ ବାର ମାନେ ସହଯୋଗ କରି ଆସୁଛନ୍ତି। ଏହି ସମୟରେ କୋର୍ଟ ଭିତରକୁ ବିଚାରପତି, ମାଜିଷ୍ଟ୍ରେଟମାନଙ୍କୁ ଯିବାକୁ ଦିଆଯାଉ ନାହିଁ। ଏହି ବନ୍ଦକୁ ଆହୁରି ତୀବ୍ର କରାଯିବାକୁ ସିଏସି ପକ୍ଷରୁ ଆଜି ନିଷ୍ପତ୍ତି ନିଆଯାଇଛି। ମାସର ଶେଷ ତିନି ଦିନ ଏଣିକି କୋର୍ଟ ସମେତ ସମସ୍ତ କେନ୍ଦ୍ର ସରକାର, ରାଜ୍ୟ ସରକାର, ବ୍ୟାଙ୍କ, ବୀମା କମ୍ପାନୀ ଓ କୋର୍ପରେଟ ହାଉସକୁ ବନ୍ଦ ରଖାଯିବା ବୋଲି ନିଷ୍ପତ୍ତି ହୋଇଛି।

ସେପ୍ଟେଟର ମାସର କୌଣସି ଏକ ଦିନ ଏଥିପାଇଁ ମହାବନ୍ଦ ମଧ୍ୟ ଆୟୋଜନ କରାଯିବାକୁ ବୈଠକରେ ସ୍ଥିର ହୋଇଛି। ପରବର୍ତ୍ତି ସମୟରେ ଏହି ତାରିଖ ଘୋଷଣା କରାଯିବା ବୋଲି କମିଟି ସୂଚନା ଦେଇଛି। ଆଜି ଏହି ବୈଠକରେ ପରେ ଏକ ସାମ୍ବାଦିକ ସମ୍ମିଳନୀ ଝାରସୁଗୁଡ଼ା ବାର ସଭାପତି ସନ୍ଦିପ ଅଗସ୍ତିଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏସିର ଯୁଗ୍ମ ଆବାହକ ପ୍ରାମାଦ ଦାସ ଉପରୋକ୍ତ ବିଷୟ ସଂପର୍କରେ ଅବଗତ କରିଥିଲେ। ଏଥିରେ ଝାରସୁଗୁଡ଼ା ବାର ପୂର୍ବତନ ସଭାପତି ରଘୁମଣି ପଟେଲ, ବାର ସଂପାଦକ ପଦ୍ମନାଭ ମାଳି, ସିଏସି ସଂପାଦକ ଜିତେନ୍ଦ୍ରୀୟ ପ୍ରଧାନ, ଯୁଗ୍ମ ଆବାହକ ଦିଲ୍ଳୀପ ଗୁରୁ, ଦୁଷ୍ମନ୍ତ ନାଏକ, ଶୁରେଶ୍ୱର ମିଶ୍ର, ନିରଞ୍ଜନ ତ୍ରିପାଠୀ, ବସନ୍ତ କୁମାର ସାହୁ ପ୍ରମୁଖଙ୍କ ସମେତ ପଶ୍ଚିମ ଓଡ଼ିଶାର ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ବଣେଇ, ରାଜଗାଙ୍ଗପୁର, ଅତାବିରା, ବରପାଲି, କୁଚିଣ୍ଡା, ରେଢାଖୋଲା ପ୍ରମୁଖ ୧୨ ଗୋଟି ବାରର ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର