ପ୍ରଧାନମନ୍ତ୍ରୀ ଆବାସରେ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା, ପଶ୍ଚିମ ଯୁବ ମଞ୍ଚର ପ୍ରତିବାଦ ରାଲି

ସୁନ୍ଦରଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାକୁ ସାମିଲ କରାଯାଇନାହିଁ। ଯାହାର ପ୍ରମାଣ ସ୍ବରୂପ ଚଳିତ ବର୍ଷର ଆବାସ ଯୋଜନା ତାଲିକାରେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଅନୁଦାନ ଶୂନ ରହିଛି। ଯାହା ଦୁର୍ଭାଗ୍ୟଜନକ ଓ ଏ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ସ୍ପଷ୍ଟ ଇଙ୍ଗିତ କରୁଛି। ଆଜି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଏହି ଅଭିଯୋଗ ମଧ୍ୟରେ ଏହାର ଦୃଢ଼ ପ୍ରତିବାଦ କରିବା ସହ ସରକାର ତୁରନ୍ତ ଏହାର ପୁନଃବିଚାର କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଆବାସ ଯୋଗାଇଦେବାକୁ ଦାବି କରିଛି।

ମଞ୍ଚ ସଭାପତି ଦିନେଶ ପଟେଲଙ୍କ ନେତୃତ୍ବରେ ବହୁ ଯୁବ କର୍ମକର୍ତ୍ତା ହସ୍ପିଟାଲ ଛକରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିଥିଲେ। ଏହି ଅବସରରେ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ୮ ଲକ୍ଷ ୧୭ ହଜାର ଆବାସକୁ ଅଗ୍ରାଧିକାରଭିତ୍ତିରେ ସଠିକ ଅନୁପାତରେ ପଶ୍ଚିମ ଓଡ଼ିଶାରେ ଆବଣ୍ଟିତ କରାଯିବା, ବନ୍ୟା ଓ କାଳବୈଶାଖୀ ପ୍ରଭାବିତଙ୍କୁ ସ୍ବତନ୍ତ୍ର ଭାବେ ସାମିଲ କରିବା, କରୋନାରେ ପ୍ରାଣ ହରାଇଥିବା ଅସହାୟ ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା, କେବଳ ପଶ୍ଚିମ ଓଡ଼ିଶା ଓ କେବିକେ ଅଞ୍ଚଳରେ ୧୦ ଲକ୍ଷ ଆବାସ ବ୍ୟବସ୍ଥା ଓ ଆବାସ ଯୋଜନା ଚୟନରେ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ୟୁନିଟ ଭାବେ ଗ୍ରହଣ କରିବା ଆଦି ରହିଛି।

ଦାବି ପୂରଣ ନହେଲେ ଅଞ୍ଚଳର ପ୍ରତାଡ଼ିତ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ମଞ୍ଚ ଚେତାବନୀ ଦେଇଛି। ବର୍ଷା ମଧ୍ୟରେ ମଞ୍ଚର ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲା। ଏଥିରେ ମଞ୍ଚର ସୌମ୍ୟରଞ୍ଜନ ଦାଶ, ଶୁଭମ ମହାପାତ୍ର, ହୁତେଶ ବାରିକ, ମହେଶ କିସାନ, ନିକେଶ ଦାଶଙ୍କ ସମେତ ବହୁ ଯୁବସାଥୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର