ତାଲିବାନୀ ମାନବବାଦୀ ସଂଗଠନ କ’ଣ?

ଖୋର୍ଦ୍ଧା: ମାନବବାଦୀ ସଂଗଠନର ସୃଷ୍ଟି ଓ ଉଦ୍ଦେଶ୍ୟ ଏଯାଏଁ ଖୋଦ୍ ଏହାର ସଦସ୍ୟଙ୍କୁ ଜଣାନାହିଁ । ଗାଁ ଲୋକଙ୍କ କହିବା କଥା ସେମାନଙ୍କୁ ବିଶେଷତଃ ସଅର ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ସହ ସେମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସୁବିଧା ସୁଯୋଗ ଦେବା ପାଇଁ ପ୍ରଲୋଭନ ଦେଖାଇ ସଂଗଠନରେ ମିଶିବାକୁ କୁହାଯାଉଥିଲା ।

ସମ୍ବାଦ କେବଳ ମାନପୁର ନୁହେଁ, ଆଖପାଖର ପ୍ରାୟ ୯ଟି ଗାଁର ଲୋକଙ୍କ ସହ କଥାବାର୍ତ୍ତା କରିଥିଲା । ସେମାନଙ୍କଠାରୁ ମିଳିଥିବା ସୂଚନାରେ ବର୍ତ୍ତମାନ ସଂଗଠନର ମୁଖିଆ ମାନସ ଦାସ ଅଟନ୍ତି ଓ ତାଙ୍କ ପୁଅ ମନୋରଂଜନ ଦାସ ଏହାର ପ୍ରତ୍ୟକ୍ଷ ଭାବେ ପରିଚାଳନା କରନ୍ତି । ସଂଗଠନର କାର୍ଯ୍ୟ ଏହି ବେଗୁନିଆ ଅଂଚଳରେ ୨୦୦୭-୦୮ ବେଳକୁ ଆରମ୍ଭ ହୋଇଥିଲା । ସଅର ସମ୍ପ୍ରଦାୟର ଅଧିକାଂଶ ଲୋକ ଅଶିକ୍ଷିତ, ଗରିବ ଓ ଦିନମଜୁରିଆ । ତେବେ ସେମାନଙ୍କ ମଧ୍ୟରେ ମଦ ଆଦି ନିଶା ସେବନର ପ୍ରାର୍ଦୁଭାବ ଅଧିକ । ଅନେକ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟି ବିଭିନ୍ନ ଥାନା କଚେରୀ ମାମଲାରେ ପଡ଼ିଥାନ୍ତି । ସେମାନଙ୍କୁ ସହାୟତା ଦେବେ ବୋଲି ମାନସ ଦାସ କେତେକ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ସହ ଯୋଗାଯୋଗ କରିଥିଲେ ।

୨୦୦୮ ମସିହାରେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚ ନାମରେ ମାନସ ଦାସ ସଂଗଠନ ତିଆରି କରି କେତେକ ଯୁବକଙ୍କୁ ସାମିଲ କରିଥିଲେ । ଏହାପରେ ମାନବବାଦୀ ସଂଗଠନ ବୋଲି ଏକ ଛାମୁଆ ସଂଗଠନ ମଧ୍ୟ ଗଢ଼ାଯାଇଥିଲା । ୨୦୧୦ରେ ଗାଁରେ ଏହି ସଂଗଠନର ସଦସ୍ୟମାନେ ଚୁଟିପାଳଙ୍ଗ ଗାଁରେ ସଅର ସମ୍ପ୍ରଦାୟ ଗଣେଶ ପୂଜା କରୁଥିବା ବେଳେ ମୂର୍ତି ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଗିରଫ ହୋଇଥିବା ଲୋକଙ୍କୁ ମାନସ ଦାସ ଆଇନଗତ ସହାୟତା ଦେଇଥିଲେ ।
୨୦୧୩ ବେଗୁନିଆ ଥାନା ପୋଡ଼ି ଘଟଣା ନିର୍ଣ୍ଣାୟକ ଥିଲା

ତେବେ ୨୦୧୩ରେ ବେଗୁନିଆ ବ୍ଲକର ଭୀମପୁରର ଜଣେ ସଅର ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଏକ ଚୋରି ମାମଲାରେ ବେଗୁନିଆ ପୁଲିସ ଗିରଫ କରିଥିଲା । ତେବେ ତାଙ୍କର ମୃତ ଦେହ ବଡ଼ବେରଣାରେ ଏକ ରାସ୍ତାକଡ଼ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହାକୁ ନେଇ ଗାଁ ଲୋକମାନେ ବେଗୁନିଆ ଥାନା ପୋଡ଼ି ଦେଇଥିଲେ । ଏହି ଘଟଣାରେ ମାନବବାଦୀ ସଂଗଠନର ସଦସ୍ୟମାନେ ସମ୍ପୃକ୍ତ ଥିଲେ । ଏହି ପୋଡ଼ି ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରୁ ବର୍ତମାନ ମାଡ଼ ଖାଇଥିବା ମାଗୁଣି ନାୟକ ଓ ହତ୍ୟାକରାଯାଇଥିବା ସତ୍ୟବ୍ରତ ନାୟକ ଅନ୍ୟତମ । ଏହି ଘଟଣା ପରଠାରୁ ଅଂଚଳରେ ମାନବାଦୀ ସଂଗଠନ ଓରଫ ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଂଚର ପ୍ରଭାବ ବିସ୍ତାର ହୋଇଥିଲା ।

ସଦସ୍ୟଙ୍କ ଫର୍ମ ପାଇଁ ୩୦ ଟଙ୍କା, ବୈଠକରେ ଯୋଗ ଦେଲେ ୫୦୦ଟଙ୍କା
ସଂଗଠନର ପ୍ରଭାବ ଗରିବ ଅଶିକ୍ଷିତ ସଅର ସମ୍ପ୍ରଦାୟରେ ବୃଦ୍ଧି ପାଇବା ପରେ ସେମାନଙ୍କ ଠାରୁ ଅର୍ଥ ଆଦାୟ କରିବା ଆରମ୍ଭ ହୋଇଥିଲା । ସଂଗଠନର ସଦସ୍ୟ ହେବା ପାଇଁ ପ୍ରତ୍ୟେକ ଲୋକଙ୍କୁ ୩୦ ଟଙ୍କା ଦେଇ ଏକ ଫର୍ମ ପୂରଣ କରିଥାନ୍ତି । ସେ ଗରିବ ହେଉ କିମ୍ବା ଧନୀ ଏହି ଫର୍ମପୂରଣ ଓ ଟଙ୍କା ଦେବା ବାଧ୍ୟତାମୂଳକ କରାଯାଇଛି । ଏହା ସହ ସଂଗଠନର ବୈଠକ ହେଲେ, ବୈଠକରେ ଯୋଗ ଦେଉଥିବା ସଦସ୍ୟ ୩୦୦ଟଙ୍କାରୁ ୫୦୦ଟଙ୍କା ଚାନ୍ଦା ଦେବାକୁ ପଡ଼ିଥାଏ । କେବଳ ଏହାନୁହେଁ ସଂଗଠନର କୌଣସି ସଦସ୍ୟ ଯଦି ବ୍ୟବସାୟ ଓ ଚାକିରି କରିଥାନ୍ତି ତେବେ ସେମାନେ ୫୦୦୦ ଟଙ୍କା ମାସିକ ଚାନ୍ଦା ଦେଇଥାନ୍ତି । ଯେଉଁମାନେ ଏହି ଟଙ୍କା ନଦିଅନ୍ତି କିମ୍ବା ସଂଗଠନର କାର୍ଯ୍ୟରେ ସହଯୋଗ ନକରନ୍ତି ତେବେ ସେମାନଙ୍କୁ କଙ୍ଗାରୁ କୋର୍ଟ କରି ମାଡ଼ ମରାଯାଏ ।

କେବଳ କଡ଼ବ ନୁହେଁ, ୯ ଖଣ୍ଡ ଗାଁରେ ଏଭଳି ବିଭିନ୍ନ ଲୋକଙ୍କୁ ମାଡ଼ ମରାଯାଇଛି
ଖୋଦ୍ ମାଗୁଣି ନାୟକ ଓ ଗାଁର ଅନ୍ୟ ଲୋକମାନେ କହିଛନ୍ତି ଯେ କେବଳ କଡ଼ବ ନୁହେଁ କଂଜୁରି, ଡାଳତୋଳା, ଭୀମପୁର, ଗାଡ଼ ଗୁଡ଼ୁମୁ, ଚତୁଆ, ଚୁଟିପାଳଙ୍ଗ, ଡିଙ୍ଗର, ଅଭିମାନପୁର, କରଡ଼ଗାଡ଼ିଆରେ ଏଭଳି ଲୋକଙ୍କୁ ମାଡ଼ ମରାଯାଇଛି । କିଛି ଲୋକ କହିଛନ୍ତି ଯେ ପୁଲିସ ଖୋଦ୍ ଏହି ସଂଗଠନ ଓ ସଂଗଠନର ମୁଖିଆ ମାନସ ଦାସଙ୍କୁ ସୁରକ୍ଷା ଦେଉଛି । ଏହା ସହ ସେମାନଙ୍କ ବିରୋଧରେ ଥାନାରେ ମାମଲା ରହିଥିବାରୁ ଓ ପ୍ରାୟ ପ୍ରତ୍ୟେକ ମାମଲାରେ ମାନସ ଦାସ ଓକିଲ ଥିବାରୁ ଭୟରେ ସେମାନେ ଥାନାର ଦ୍ୱାରସ୍ଥ ହୋଇପାରୁନାହାନ୍ତି । ବର୍ତମାନ ପୁଲିସ ଯଦି ସୁରକ୍ଷା ଦିଏ ତେବେ ସେମାନେ ଏନେଇ ଲିଖିତ ଅଭିଯୋଗ କରିବେ ।

 

ସମ୍ବନ୍ଧିତ ଖବର