ଜୟପୁର: ରାଜ୍ୟ ସରକାର ଠିକଣା ସମୟରେ ମଣ୍ଡିରେ ଧାନ କିଣିବା ଟାର୍ଗେଟ ଦେଉନଥିବାରୁ ଚାଷୀ, ଧାନକ୍ରୟକାରୀ, ପରିଚାଳନା କରୁଥିବା ସରକାରୀ ସଂସ୍ଥା ଅଯଥାରେ ହୀନସ୍ତା ହେଉଥିବା ଅଭିଯୋଗ ହୋଇଛି। ଏଥରକ ଟୋକେନ୍ ମିଳିବାକୁ ନେଇ ସମସ୍ୟା ଦେଖାଦେଇଥିଲେ ହେଁ ଚାଷୀ, କ୍ରୟକାରୀ ସଂସ୍ଥା ଆଦିର ସଲାସୁତରାରେ ଧାନ ‌ କିଣା ପ୍ରକ୍ରିୟା ଜାରୀ ରହିଛି। ଅଳ୍ପ କିଛି ମଣ୍ଡିରେ ସାମାନ୍ୟ ବିବାଦ ଦେଖାଦେଇଥିଲେ ହେଁ ପରବର୍ତ୍ତୀ ସମୟରେ ଜିଲ୍ଲାର ୧୦୨ଟି ଯାକ ମଣ୍ଡିରେ ଧାନ କିଣା ଯାଇଛି। ଜିଲ୍ଲାରେ ୩୩ହଜାର ୨୩୬ଜଣ ଚାଷୀ ଧାନ ବିକ୍ରୀ କରିବାକୁ ପଂଜିକରଣ କରିଥିଲେ। ପ୍ରାୟ ୨୯ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଜିଲ୍ଲାସ୍ତରୀୟ ଧାନ କିଣା ବୈଠକରେ ବି ଲକ୍ଷ୍ୟ ରଖାଯାଇଥିଲା। ସରକାର ଏହା ମଧ୍ୟରେ ବିଭିନ୍ନ ପର୍ୟ୍ୟାୟରେ ୨୦ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଥିଲେ। ଏହା ପରେ ଆଉ ଧାନ କିଣିବାକୁ ଚିଠି ଦେଇ ନଥିଲେ। ଏହା ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟାର୍ଗେଟ ବଢ଼ାଇବାକୁ ଚିଠି କରିବା ପରେ ଆଜି ଆଉ ୧୭ହଜାର କୁଇଣ୍ଟାଲ ଧାନ କିଣିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟାର୍ଗେଟ ଆସିଥିବା କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ ତୁଳାରାମ ନାୟକ।

Advertisment

ଏହି ଟାର୍ଗେଟ ଆସିବା ପରେ ମାତ୍ର ଆଉ ଦିନକ ମଣ୍ଡି ହୋଇପାରେ ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ। ସେଭଳି ଆଜି ପର୍ୟ୍ୟନ୍ତ ୨୦ଟି ଲ୍ୟାମ୍ପ, ୨୪ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ପକ୍ଷରୁ ୨୧ହଜାର ୨୯୭ଜଣ ଚାଷୀଙ୍କ ଠାରୁ ୧୯ଲକ୍ଷ ୧୪୮୯.୭୫କୁଇଣ୍ଟାଲ ଧାନ କିଣାଯାଇଛି। ଏବେ ବି ୧୧ହଜାର ୯୩୯ଜଣ ଚାଷୀଙ୍କ ଠାରୁ ଆହୁରି ୧୦ଲକ୍ଷ କୁଇଣ୍ଟାଲ ଧାନ କିଣାଯିବାର ବାକି ରହିଛି। ଅପରପଟେ ବହୁ କଷ୍ଠରେ ଟାର୍ଗେଟ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ୧୭ହଜାର କୁଇଣ୍ଟାଲ ଆସିବାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ବି ଚିନ୍ତାରେ ପଡ଼ିଛି। ଆସିଥିବା ଟାର୍ଗେଟ ଓପୂର୍ବରୁ ଆସିଥିବା ଟାର୍ଗେଟରୁ ବଳକା ଯଦି ହିସାବକୁ ନିଆଗଲେ ଆଉ ଦିନକ ପାଇଁ ହିଁ ମଣ୍ଡି ଚାଳିବ। ଏଭଳିକି ୧୦୨ରୁ ଏବେ ମାତ୍ର ୪୦ଟି ମଣ୍ଡି ଚାଳୁଥିବା ବେଳେ ବଳକା ୬୨ଟି ମଣ୍ଡି ଆଉ ଚାଳୁ ନଥିବା ସୂଚନା ମିଳିଛି। ଖରିଫ ମଣ୍ଡିରେ ଏ ସମୟରେ ଚାଷୀ ଓ କ୍ରୟକାରୀ ସଂସ୍ଥା, ମିଲର ଆଦିଙ୍କ ସଲାସୁତରାରେ ଆରାମରେ ଧାନ କିଣା ଧିରେ ଧିରେ ଜୋର ଧରିବା ସମୟରେ ରାଜ୍ୟ ସରକାର ଟାର୍ଗେଟ୍ ବ୍ରେକ୍ ପକାଇବାରୁ ଚାଷୀ ମାନେ ବି ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି।

ଏହାର ସୁଯୋଗ ନେଇ ଛତିଶଗଡ଼ ଓ ଆନ୍ଧ୍ର, ସ୍ଥାନୀୟ ଦଲାଲ, ମଧ୍ୟସ୍ଥି ମାନେ ସକ୍ରିୟ ହୋଇ ପଡ଼ିବେ, ଏହାକୁ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ତୁରନ୍ତ ମଣ୍ଡି ପାଇଁ ଅଧିକା ଟାର୍ଗେଟ୍ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଚାଷୀ ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ। ଧାନ ଯଦି ଠିକଣା ସମୟରେ ବିକ୍ରୀ ନ ହେଲେ ମାନସିକ ଅସ୍ଥିରତା ବଢ଼ିବା ସହ ଚାଷୀ ବାଧ୍ୟ ହୋଇ ଦଲାଲ ହାତରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେବ ଜଣେ ଚାଷୀ ଭାବେ ସେ ତାହାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି, ତେଣୁ ରାଜ୍ୟ ସରକାର ତୁରନ୍ତ ଟାର୍ଗେଟକୁ ବଢ଼ାନ୍ତୁ ବୋଲି ଅନୁରୋଧ କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ। ଟାର୍ଗେଟ ତୁରନ୍ତ ନ ବଢ଼ିଲେ ଚାଷୀ ଅଭାବି ବିକ୍ରୀର ଶିକାର ହେବ।

ଶାଗ ମାଛ ଦରରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେବ। ଖରା, ବର୍ଷା , ଶୀତ କାକରରେ ସହି, କେତେବେଳେ ଧାନ ବିହନ, ସାର ଆଦି ପାଇଁ ଦହଗଂଜ ସହି ଚାଷ କରିଥିବା ଚାଷୀ ଏହି ପରିସ୍ଥିତିରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ ବୋଲି କହିଛନ୍ତି ଚାଷୀ ଜୟନ୍ତ ପଟ୍ଟନାୟକ, ଚନ୍ଦନ ପଟ୍ଟନାୟକ, ସୁଶାନ୍ତ ପାଣିଗ୍ରାହୀ, ରାଜେଶ ପାଣିଗ୍ରାହୀ, ଡମୁ ମୁଦୁଲି, ବି.ହରି ରାଓ, ବିଶିକେଶନ୍ ଗୌଡ଼, ସୁଭାଷ ଗୌଡ଼। ଆହୁରି ଦିନେ ଦୁଇ ଦିନ ମଧ୍ୟରେ ଅଧିକା ଟାର୍ଗେଟ ଆସିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କୁ ଜିଲ୍ଲାପାଳ ଓ ଜିଲ୍ଲାଯୋଗାଣ ଅଧିକାରୀ ଅବଗତ କରିଥିବା କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ।