ଜୟପୁର: ବାରିଣିପୁଟରୁ-ବୋରିଗୁମ୍ମା ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ସଂପ୍ରତି ଚାଳିଛି। ତେବେ ଧୀର ମନ୍ଥର ଗତିରେ କାମ ଚାଳିଛି। ଅନ୍ୟ ପକ୍ଷରେ ଜୟପୁରରୁ ଆମ୍ବାଗୁଡା ପର୍ଯ୍ୟନ୍ତ ହଜାର ହଜାର ଗର୍ତ୍ତ ସହ ଏହା ମରଣଯନ୍ତା ପାଲଟିଛି। ଏପରିକି ଜୟପୁରରୁ ଉମୁରୀ ପର୍ଯ୍ୟନ୍ତ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏହି ରାସ୍ତା ନିୟମିତ ଛୋଟ ବଡ ଦୁର୍ଘଟଣା ନିୟମିତ ହୋଇ ପଡ଼ିଛି। ଏପରିକି ଏହି ରାସ୍ତା ମରଣଯନ୍ତା ସାଜିଛି। ଏହି ମରଣଯନ୍ତାରେ ବାଇକରୁ ଖସି ସ୍ଥାନୀୟ ଗୌଡସାହିର କରିସ୍ମା ନାୟକଙ୍କର ପ୍ରାଣ ଚାଳିଯାଇଛି। ସ୍ଥାନୀୟ ଗୌଡ ସାହି ଅଞ୍ଚଳର କରିସ୍ମା ନାୟକ ଇନ୍ଦ୍ରାବତୀ ଝାଲିଆଗୁଡା ଗାଁର ଗୋବିନ୍ଦ ନାୟକଙ୍କ ୪ବର୍ଷ ପୂର୍ବେ ବିବାହ କରିଥିଲେ। ୪ବର୍ଷ ରେ ସେମାନଙ୍କ ଦୁଇଟି କନ୍ୟା ସନ୍ତାନ ହୋଇଛି। ଏହାରି ମଧ୍ୟରେ ଏମାନେ ନୂଆ ଘର ନିର୍ମାଣ କାମ ଜାରି ରହିଛି। ଏହି ନୂଆଘରର ପାଇଁ ଟାଇଲସ୍ କିଣିବାକୁ କରିସ୍ମା ସ୍ବାମୀ ଗୋବିନ୍ଦଙ୍କ ସହ ନବରଙ୍ଗପୁର ଆସିଥିଲେ। ସେଠାରେ ଟାଇଲ୍ସ କିଣିବା ପରେ ବାଇକ ଯୋଗେ ଜୟପୁର ଗୌଡସାହିରେ ଥିବା ଅଜା ଘରକୁ ବୁଲିବାକୁ ଆସିଥିଲେ। ସମସ୍ତ ପରିବାର ବର୍ଗଙ୍କ ସହ ମିଳାମିଶା କରି ଘରକୁ ଫେରୁଥିବା ସମୟରେ ବୋରିଗୁମ୍ମା ନିକଟରେ ବାଇକରୁ କରିସ୍ମା ଖସିଯାଇଥିଲେ।
ବାଇକରୁ ତଳେ ପଡ଼ିଯିବା ଫଳରେ ତାଙ୍କ ମୁଣ୍ତରେ ଗୁରତର ଆଘାତ ଲାଗିଥିଲା। ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ବିଶାଖାପାଟଣା ନେଉଥିବା ସମୟରେ ବାଟରେ କରିସ୍ମାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ନୂଆ ଘରେ ରହିବା ସ୍ବପ୍ନ ସ୍ବପ୍ନରେ ରହିଯାଇଥିଲା। ଛୋଟ ଛୋଟ ପିଲାମାନେ ମା ଛେଉଣ୍ଡ ହୋଇଯାଇଥିଲେ। ସେଭଳି ଆଜି ଉମୁରୀ ଏଫସିଆଇ ନିକଟରେ ସ୍ବାମୀ ଓ ସ୍ତ୍ରୀ ବାଇକରେ ଯାଉଥିବା ସମୟରେ ଗୋଟିଏ ଗର୍ତ୍ତରେ ବାଇକ ପଡ଼ିବା ପରେ ଉଭୟ ବାଇକରୁ ଖସି ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଆଘାତ ଲାଗିଥିଲା। ପ୍ରକାଶଯୋଗ୍ୟ, ବିଜେଡି ପକ୍ଷରୁ ବରିଷ୍ଠ ନେତ୍ରୀ ଡ. ଇନ୍ଦିରା ନନ୍ଦଙ୍କ ନେତୃତ୍ବରେ ଏନଏଚ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଥିବା ବେଳେ ବିଧାୟକ ତାରା ପ୍ରସାଦ ବାହିନୀପତି ବି କାମର ସମୀକ୍ଷା କରି କଡ଼ା ତାଗିଦ୍ କରିଥିଲେ। ବିଜେପି ବି ଏ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲା।
ଏହା ବାଦ୍ ବି କାମ ଯେଭଳି ହେବା କଥା ଏବେ ପର୍ଯ୍ୟନ୍ତ ହୋଇପାରିନି। ରାସ୍ତା ଅବସ୍ଥାକୁ ନେଇ ଜିଲ୍ଲା ଓକିଲ ସଂଘ, ଟ୍ରକ ମାଲିକ ସଂଘ ସହ ଅନ୍ୟାନ୍ୟ କିଛି ଅନୁଷ୍ଠାନ ପକ୍ଷରୁ ଏ ନେଇ ଟାଉନ ଓ ସଦରଥାନାରେ ଅଭିଯୋଗ କରି ଠିକାସଂସ୍ଥା ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ବି ଏତଲା ଦେଇଛନ୍ତି। ଏପରିକି ବିଭାଗ ବି କାମରେ ହେଳା ହେଲେ ଦିନକୁ ଜୋରିମାନା ଏକ ଲକ୍ଷ ଦେବାକୁ ବି ନିର୍ଦେଶ ଦେଇଛନ୍ତି। ଏହା ବାଦ୍ ବି ଫଳ ଶୂନ। ଗୋଟିଏ ପଟେ ଏହି ରାସ୍ତାଟି ରାୟପୁରରୁ ବିଶାଖାପାଟଣା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡା ଆଦି ଜିଲ୍ଲାକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ଲୋକେ ଯିବା ଆସିବା କରିବାକୁ ଭୟ ପ୍ରକାଶ କରୁଛନ୍ତି। ସଂପ୍ରତି ଜୟପୁରର ଲକ୍ଷ୍ମୀପଣ୍ଡା ଛକରୁ-ଉମୁରୀ-ଆମ୍ବାଗୁଡା ପର୍ୟ୍ୟନ୍ତ ହଜାର ହଜାର ଗର୍ତ୍ତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆମ୍ବାଗୁଡାରୁ କୁମୁଲିପୁଟ ହରଡାଫୁଟ ଛକ ପର୍ୟ୍ୟନ୍ତ କାମ ଚାଳିଛି। ତେବେ ଏହାରି ମଧ୍ୟରେ ରହିଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ରାବଣାଗୁଡା ଡାକ୍ତରଖାନାକୁ ରାସ୍ତାର ଏଭଳି ଅବସ୍ଥାରେ ରୋଗୀ ମାନେ ଯିବାକୁ ବି ଭୟ କଲେଣି।
ସେଭଳି ଚାରଗାଁରୁ ଜୟନ୍ତଗିରି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ନ କହିବା ଭଲ। ଜୟପୁର ସଦରଥାନାରୁ ତେଲିଗୁଡା ପର୍ୟ୍ୟନ୍ତ ମନ ଇଛା ଖୋଳି ଦେଇ ସେଭଳି ଛାଡି ଦେଇଛନ୍ତି। ଆମ୍ବାଗୁଡା ନିକଟରେ ରଂଗ ମାଟି ଲୋଡ ଲୋଡ ପକାଇ ଦିଆଯାଇଛି। ପାଣି ନିୟମିତ ଭାବେ ପକାଯାଉନି। ଏସବୁ ସ୍ଥାନରେ ଧୁଳି ଉଡିବା ସହ ରାସ୍ତା ପାର୍ଶ୍ବରେ ଥିବା ଘର ଗୁଡିକରେ କୃତ୍ରିମ ମାଟିର ସ୍ତର ବସୁଛି। ବିଭାଗୀୟ ଅଧିକାରୀ ମାନେ କାମ ଚାଳଛି ବୋଲି କହୁଥିବା ବେଳେ କେତେ ମୁଣ୍ଡ ଗଢ଼ିବ, ଏବଂ କେତେ ପରିବାର ରାସ୍ତା ପାଇଁ ରାସ୍ତା ଉପରକୁ ଆସିବା ପରେ ଏହି କାମ ସରିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-karishma-2.jpg)