ଜୟପୁର: ଜୟପୁର ସହରବାସୀଙ୍କ ଭାବାବେଗ ସହ ଜଡ଼ିତ ରାଜରାଜୁଡା ଅମଳର ହ୍ରଦ ଜଗନ୍ନାଥ ସାଗର। ପ୍ରଶାସନ ଦେଖାରଖା, ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ସାମାନ୍ୟ ବର୍ଷା ହେବା ମାତ୍ରକେ ସହରର ମଇଳା, ପଲିଥିନ, ନାଳର ଆବର୍ଜନା ଓ ପୁତିଗନ୍ଧଯୁକ୍ତ ପାଣି ସବୁ ପଶୁଛି ସାଗର ଗର୍ଭକୁ। ସାଗରରେ ମାଟି ଭରିଯିବା ସହ କୁଳରେ ମଇଳା, ପଲିଥିନ୍ ଜରି ଆଦି ଭାସିବା ସହ ଦଳ ଓ ପଙ୍କରେ ଭରିଯାଇଛି। ପାଣି ଠିକରେ ନିଷ୍କାସନ୍ ହୋଇ ନ ପାରି ଏହା ସବୁଜ ରଂଗରେ ଧାରଣ କଲାଣି। ଦିନକୁ ଦିନ ଏହାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି। ଅନ୍ୟ ପକ୍ଷରେ ଦକ୍ଷିଣ ଓଡିଶାର ଅନ୍ୟ ପ୍ରମୁଖ ସହର ବ୍ରହ୍ମପୁରର ରାମଲିଙ୍ଗମ୍ ପୋଖରୀକୁ ରାଜ୍ୟ ସରକାର ପୁନଃରୁଦ୍ଧାର କରି ରାମଲିଙ୍ଗେଶ୍ବର ପାର୍କ ଭାବେ ରାଜ୍ୟର ପ୍ରମୁଖ ସ୍ଥାନ ଦେଇଛନ୍ତି। ଏପରିକି ରାମଲିଙ୍ଗେଶ୍ବର ପାର୍କର ଫଟୋ ଚିତ୍ର ଏହାରି ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ଜୟପୁରର ଜଗନ୍ନାଥ ସାଗର କେବେ ଏଭଳି ହେବ ଏପରି ପ୍ରଶ୍ନ ସାଧାରଣରେ ଉଠିଛି। ଅନ୍ୟ ପକ୍ଷରେ ସାଗରର ଶୋଚନୀୟସ୍ଥିତିକୁ ନେଇ ଜୟପୁରର ସମାଜସେବୀ ବସନ୍ତ ପାତ୍ର ନୂଆଦିଲ୍ଳୀରେ ଥିବା ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ। ଗତ ଅକ୍ଟୋବର ୮ତାରିଖରେ ମାନ୍ୟବର କୋର୍ଟ ରାୟ ଦେଇଥିଲେ।
ରାୟ ପ୍ରକାଶ ପାଇବାର ୯୦ଦିନ ପରେ ଗୋଟିଏ ବି ନିର୍ଦେଶ କାର୍ଯ୍ୟକାରୀ ହୋଇ ପାରିନି। ଯଥା ପୂର୍ବଂକୁ ତଥା ପରଂ ଅବସ୍ଥାରେ ହିଁ ରହିଛି ସାଗର। କେବଳ ଏହାକୁ ନେଇ ଜିଲ୍ଲାପ୍ରଶାସନ କେବଳ ବୈଠକକୁ ବାଦ୍ ଦେଲେ ଆଉ କିଛି ଅଗ୍ରଗତି ହୋଇ ପାରିନି। ରାଜ୍ୟ ପ୍ରଦୂଷଣ କମିଟି ଗସ୍ତ କରି ଜଗନ୍ନାଥସାଗରର ପରିସ୍ଥିତି ଆଦିର ଯାଂଚ କରି ରିପୋର୍ଟ ଦେବ ବୋଲି ଜିଲ୍ଳାପ୍ରଶାସନ କୋର୍ଟକୁ ଜଣାଇଥିଲେ ହେଁ ଏବେ ପର୍ଯ୍ୟନ୍ତ ଏହା ଆସି ପାରିନି। ଜଗନ୍ନାଥସାଗରର ପୁନଃରୁଦ୍ଧାର ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୪୨କୋଟି ୪୮ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବ୍ୟୟ ଅଟକଳ କରିଥିବା ବେଳେ ପ୍ରଶାସନ ଏହାକୁ ଏନଜିଟି କୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା। ଏହାରି ମଧ୍ୟରେ ହାଲ ଓ ନାଲକୋର ଉଚ୍ଚକତ୍ତୃପକ୍ଷ ଜୟପୁର ଉପଜିଲ୍ଲାପାଳଙ୍କ ସହ ଜଗନ୍ନାଥସାଗରର ବିକାଶକୁ ନେଇ ଆଲୋଚନା କରି ଫେରିଛନ୍ତି। ହାଲ୍ ସିଏସଆର୍ (କଂପାନୀ ସାମାଜିକ ପ୍ରତିବଦ୍ଧତା)ରେ ୫ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେବା ସହ କୋଟିଏ ଦେଇଥିବା ଦେଇଥିବା ସୂଚନା ମିଳିଛି। ଚିଲିକା ଡେଭଲପମେଣ୍ଟ ଅଥରିଟି(ସିଡିଏ)ର ବୈଷୟିକ କର୍ମଚାରୀ ଓ ଦଳ ସଫା ମେସିନ୍ ଅଂଶୁପା ହ୍ରଦରେ ଥିବାରୁ ଏହା ଆସିପାରିନି ବୋଲି ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଉଥିବା ବେଳେ କେବେ ଆସିବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ରାୟ ପ୍ରକାଶର ୯୦ଦିନ ବିତିଲାଣି । ତଥାପି ଜିଲ୍ଲାପ୍ରଶାସନ ଯେଭଳି ପ୍ରସଙ୍ଗକୁ ଗୁରୁତ୍ବ ଦେଇ କରିବା କଥା କରି ପାରିନି।
କେବଳ ସିଟିଂ ମିଟିଂରେ ହିଁ ସବୁ ଚାଳିଛି। ଏହାରି ମଧ୍ୟରେ ହାଲ୍ କେବଳ କୋଟିଏ ଅନୁଦାନ ଦେଇଥିବା ଶୁଣିଛି। ତେବେ ୯୦ଦିନ ଆସନ୍ତାକାଲି ସରୁଥିବାରୁ ମୁଁ କୋର୍ଟ ଅବମାନନା ମାମଲା ପୁଣି ରୁଜୁ କରୁଛି ବୋଲି କହିଛନ୍ତି ସମାଜସେବୀ ବସନ୍ତ ପାତ୍ର। ତେବେ ସାଗରର ଦଳ ସଫା କରିବାକୁ ଭୁବନେଶ୍ବରର ଏକ ଘରୋଇ ସଂସ୍ଥା ଆସି ଯାଂଚ କରି କେତେ ଖର୍ଚ୍ଚ ହେବ ତାହାର ଅଟକଳ ଆଦି ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-jagnathsagar-2.jpg)