ମାଲକାନଗିରି: ମାଲକାନଗିରି ଜିଲ୍ଲାର ସୀମାନ୍ତ ମୋଟୁଠାରେ ତିନି ରାଜ୍ୟର ଯାତ୍ରୀଙ୍କ ସୁବିଧାରେ ଯାତାୟାତ ସହ ବିଶ୍ରାମ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ କରାଯାଇଛି ଅନ୍ତଃରାଜ୍ୟ ବସଷ୍ଟାଣ୍ଡ। ଏହି ବସଷ୍ଟାଣ୍ଡ ଉଦଘାଟନ ହୋଇ ବର୍ଷେ ପୁରିବାକୁ ବସିଲାଣି କିନ୍ତୁ ଏହି ବସଷ୍ଟାଣ୍ଡ ଭିତରକୁ କୌଣସି ବସ୍ ଆସୁନି କି କେହି ବି ଯାତ୍ରୀ ଆସୁନାହାନ୍ତି। କାରଣ ଉଦଘାଟନ ପରଠୁ ପ୍ରଶାସନ ଏହାକୁ ତାଲା ପକାଇ ରଖିଛି। ଯାହାଫଳରେ ଯାତ୍ରୀ ଠାରୁ ଆରମ୍ଭ କରି ବସ ଚାଳକମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଓଡିଶା ,ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ତିନି ରାଜ୍ୟର ଯାତ୍ରୀଙ୍କ ସୁବିଧାରେ ଯାତାୟାତ ସହ ବିଶ୍ରାମ ପାଇଁ ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁଠାରେ ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଅନ୍ତଃରାଜ୍ୟ ବସଷ୍ଟାଣ୍ଡ। ହେଲେ ଏହି ବସଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହୋଇପାରିନାହିଁ। ପ୍ରକାଶ ଥାଉକି ୨୦୧୮ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ହାଉସିଙ୍ଗ୍ ବୋର୍ଡକୁ ବସଷ୍ଟାଣ୍ଡ ଉନ୍ନତିକରଣ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା। ଏଥିନିମନ୍ତେ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହାର କାମ ସରିଥିଲା ଡିସେମ୍ବର ୨୦୨୨ ମସିହାରେ।କାମ ସରିବାର ୧୦ମାସ ପରେ ଅର୍ଥାତ୍ ୨୦୨୩ ମସିହା ଅକ୍ଟୋବର ୩ ତାରିଖରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଆଡମା ରାବା, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ଏହାକୁ କାଲିମେଳା ବ୍ଳକ ବିଡିଓଙ୍କୁ କାର୍ଯ୍ୟକ୍ଷମ ପାଇଁ ହସ୍ତାନ୍ତର କରାଯାଇଥିଲା।

Advertisment

ଏହି ବସଷ୍ଟାଣ୍ଡଟି ଉଦଘାଟନ ହୋଇ ୧୦ ମାସ ବିତିଯାଇଥିଲେ ମଧ୍ୟ ଏହି ବସଷ୍ଟାଣ୍ଡ ବର୍ତ୍ତମାନ ଯାଏଁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଯାହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଯାତ୍ରୀ ଓ ବସ କର୍ମଚାରୀ। ଯାତ୍ରୀଙ୍କ କହିବାହେଲା ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଖରାଦିନେ ପ୍ରବଳ ଖରା ହେଉଥିବାବେଳେ ଖରାରେ ଛିଡା ହୋଇ ବସ ପ୍ରତିକ୍ଷା କରିବାକୁ ପଡୁଛି ଏଣୁ ସେମାନେ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା ନକରି ବସଷ୍ଟାଣ୍ଡଠାରୁ ତିନି କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର କଲେରୁ ବ୍ରିଜ ନିକଟକୁ ଯାଇ ବସରେ ଯାତାୟତ କରୁଥିବା କହିଛନ୍ତି ଯାତ୍ରୀ। ବସଷ୍ଟାଣ୍ଡ ଦୀର୍ଘଦିନ ହେବ ତାଲାପଡି ରହିଥିବାରୁ ସରକାରୀ ଓ ବେସରକାରୀ ବସଗୁଡିକ ମୋଟୁ ବସଷ୍ଟାଣ୍ଡରେ ନରହି ଆନ୍ଧ୍ରପ୍ରଦେଶ ଭଦ୍ରାଚଳମ୍ ଜିଲ୍ଲାର କଲେରୁ ସ୍ଥିତ ବ୍ରିଜ ନିକଟରେ ରହୁଥିବା ଦେଖିବାକୁ ମିଳିଛି। ଏଥିସହ କିଛି ବସଗୁଡିକ ବସଷ୍ଟାଣ୍ଡର ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଏଥିନେଇ ବସ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ମୋଟୁ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଇଯାଇନାହିଁ ଏବଂ ସେଠାକାର ମୁଖ୍ୟ ଫାଟକରେ ତାଲା ଝୁଲୁଛି। ଯାହାଫଳରେ ସେଠାରେ ରହିବା ସମ୍ଭବପର ନୁହେଁ। ଏହା ସହ କହିଛନ୍ତି କଲେରୁ ବ୍ରିଜ ନିକଟରେ ସିଲେରୁ ନଦୀ ରହିଛି ସେଠାରେ ଗାଧୁଆପାଧୁଆ ପାଇଁ ସୁବିଧା ଏବଂ ସେଠାରେ ଖାଇବା ପାଇଁ ଢାବା ରହିଛି,ଏଣୁ ସେହି ଯାଗାରେ ଯାତ୍ରୀମାନେ ମଧ୍ୟ ରହୁଛନ୍ତି।

ସେମାନେ ସରକାରଙ୍କୁ ମୋଟୁ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ନୂତନ ଭାବେ ବିଜୟଲାଭ କରିଥିବା ମାଲକାନଗିରି ବିଧାୟକ ନରସିଙ୍ଗ ମାଡକାମି ଉକ୍ତ ବସଷ୍ଟାଣ୍ଡକୁ ଯାଇ ବୁଲି ଦେଖିବା ସହ ଏହା କିଭଳି ଜନସାଧାରଣଙ୍କ କାମରେ ଲାଗିବ ଏଥିନେଇ ମୋଟୁ ତହସିଲଦାର ଓ କାଲିମେଳା ବିଡିଓଙ୍କ ସହ ଆଲୋଚନା କରିବା ସହ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏଥିନେଇ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି ଏହାକୁ କିଭଳି କାର୍ଯ୍ୟକ୍ଷମ କରାଯିବ ଏଥିନେଇ ସେ କାଲିମେଳା ବ୍ଲକ ବିଡିଓଙ୍କୁ କହିଛନ୍ତି। ଅଳ୍ପ ଦିନ ମଧ୍ୟରେ କୌଣସି ଏକ ଏସଏଚଜି ମହିଳା ଗୋଷ୍ଠୀଙ୍କ ସହ କଥାହୋଇ ସେମାନଙ୍କୁ ଏହାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ବ ଦିଆଯିବ ଏବଂ ଖୁବଶୀଘ୍ର ଏହି ସ୍ଥାନରୁ ବସ୍ ଚଳାଚଳ କରିବ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ। ସରକାର ବଦଳି ନୁଆ ସରକାରଙ୍କ ଶାସନ ଆରମ୍ଭ ହେଲାଣି,କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋଟୁ ଅନ୍ତଃରାଜ୍ୟ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ କାର୍ଯ୍ୟକ୍ଷମ ହୋଇ ଲୋକଙ୍କ ଉପଯୋଗୀରେ ଆସିବ ଏହି ବସଷ୍ଟାଣ୍ଡ।