ମାଲକାନଗିରି ଜିଲ୍ଲାରେ ‘ସୋପାନ’ ଯୋଜନା ଆରମ୍ଭ କେବେ?

୭୪୨୦ ଗର୍ଭବତୀ, ୭୪୩୨ ପ୍ରସୂତୀ ଏବଂ ୨୨୫୯୨ କିଶୋରୀଙ୍କୁ ମିଳୁନି ସୁବିଧା

ମାଲକାନଗିରି: ରାଜ୍ୟ ସରକାର ଗତ ଏପ୍ରିଲ ମାସରେ ରାଜ୍ୟରେ ଆରମ୍ଭ କରିଥିଲେ ସୋପାନ ଯୋଜନା। ଏହି ଯୋଜନା ଆରମ୍ଭ ହେବା ପରେ ରାଜ୍ୟର ଗର୍ଭବତୀ, ପ୍ରସୂତୀଙ୍କୁ ରନ୍ଧା ଖାଦ୍ୟ ଏବଂ କିଶୋରୀ ବାଳିକାମାନଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ବ୍ୟବସ୍ଥା କରାଯିବା ନେଇ ଏହା କାର୍ଯ୍ୟକାରୀ ହୋଇଥିଲା। ତେବେ ଏହା ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବା ପୂର୍ବରୁ ଅଖିଳ ଭାରତୀୟ ଅଂଗନବାଡି କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ କରାଯାଇନଥିବାରୁ ଏହାକୁ ସେମାନେ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ପ୍ରକାଶ ଥାଉକି ଗର୍ଭବତୀ ଏବଂ ପ୍ରସୂତୀ ମହିଳାଙ୍କୁ ପୋଷଣଯୁକ୍ତ ରନ୍ଧା ଖାଦ୍ୟ ଦେବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏଥିପାଇଁ ପ୍ରତି ହିତାଧିକାରୀଙ୍କ ପାଇଁ ୯ ଟଂକା ଖର୍ଚ୍ଚ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ପ୍ରତି ଅଂଙ୍ଗନବାଡି କେନ୍ଦ୍ରରେ ଏହି ରନ୍ଧା ଖାଦ୍ୟ ଗର୍ଭବତୀ ଓ ପ୍ରସୂତୀଙ୍କୁ ପ୍ରଦାନ କରାଯିବ। ସେହିପରି ସୋପାନ ଅନ୍ତର୍ଗତ ୧୫ରୁ ୧୯ ବର୍ଷୀୟା କିଶୋରୀଙ୍କ ପାଇଁ ସାପ୍ତାହିକ ପୋଷଣଯୁକ୍ତ ଖାଦ୍ୟ ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ପାଇଁ କ୍ରେଚ, ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ଓଜନ ଉତ୍ସବ ମଧ୍ୟ କରାଯିବାର ଥିଲା। ରାଜ୍ୟର ୨୨ଟି ଜିଲ୍ଲାରେ ୧୨୫ଟି ବ୍ଲକକୁ ସୋପାନ ଯୋଜନାରେ ସାମିଲ କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହା ଗତ ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା। କିନ୍ତୁ ମାଥିଲି ବ୍ଲକକୁ ଛାଡିଦେଲେ ଅନ୍ୟ ବ୍ଲକଗୁଡିକରେ ଥିବା ଅଙ୍ଗନବାଡି କର୍ମୀମାନେ ଏହାକୁ କରିବେ ନାହିଁ ବୋଲି ମନା କରିଦେଇଥିଲେ।

ଯେତେବେଳ ପର୍ଯ୍ୟନ୍ତ ସେମାନଙ୍କର ଦାବି ସରକାର ନ ମାନନ୍ତି ସେତେବେଳ ପର୍ଯ୍ୟନ୍ତ ସେମାନେ ଏହାକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି ସଫା ସଫା କହି ଦେଇଥିଲେ। ତେବେ ମାଥିଲି ବ୍ଲକରେ ମଧ୍ୟ ଏକ ମାସ ଏହା ଚାଲିବା ପରେ ଅନ୍ୟ ଅଂଗନବାଡି କର୍ମୀଙ୍କ ଚେତାବନୀ ପରେ ଏହି ବ୍ଲକରେ ମଧ୍ୟ ଏହା ବନ୍ଦ ହୋଇଯାଇଥିଲା। ତେବେ ଜିଲ୍ଲାର ସ୍ଥିତି ଦେଖିଲେ ଖଇରପୁଟ ବ୍ଲକରେ ୭୧୯ ଜଣ ଗର୍ଭବତୀ ମହିଳା,୭୦୧ ଜଣ ପ୍ରସୂତୀ ମହିଳା ଏବଂ ୧୯୨୮ ଜଣ କିଶୋରୀଙ୍କ ପାଇଁ ସରକାର ୩,୮୫,୩୮୦ ଟଂକା ପ୍ରଦାନ କରିଥିବା ବେଳେ ଚିତ୍ରକୋଣ୍ଡା ବ୍ଲକରେ ଥିବା ୯୮୫ ଜଣ ଗର୍ଭବତୀ,୮୭୯ ଜଣ ପ୍ରସୂତୀ ଏବଂ ୩୩୭୮ ଜଣ କିଶୋରୀଙ୍କ ପାଇଁ ରାଜ୍ୟ ସରକାର ମୋଟ ୪,୬୦,୩୬୯ ଟଂକା,ପଡିଆ ବ୍ଲକରେ ଥିବା ୪୭୩ ଜଣ ଗର୍ଭବତୀ,୫୪୬ ଜଣ ପ୍ରସୂତୀ ଏବଂ ୧୪୧୩ ଜଣ କିଶୋରୀଙ୍କ ପାଇଁ ୨,୮୭,୨୫୩ ଟଂକା, ମାଲକାନଗିରି ବ୍ଲକରେ ଥିବା ୧୫୮୪ ଗର୍ଭବତୀ,୧୬୩୦ ପ୍ରସୂତୀ ଏବଂ ୫୪୭୮ ଜଣ କିଶୋରୀଙ୍କ ପାଇଁ ୧୦,୭୨,୮୧୮ ଟଂକା, କୋରକୋଣ୍ଡା ବ୍ଲକରେ ଥିବା ୯୫୨ ଜଣ ଗର୍ଭବତୀ,୧୦୨୮ ଜଣ ପ୍ରସୂତୀ ଏବଂ ୩୨୧୮ ଜଣ କିଶୋରୀଙ୍କ ପାଇଁ ମୋଟ ୬,୩୨,୭୦୦ ଟଂକା,ମାଥିଲି ବ୍ଲକରେ ଥିବା ୧୧୮୫ ଜଣ ଗର୍ଭବତୀ,୧୨୨୮ ଜଣ ପ୍ରସୂତୀ ଏବଂ ୩୦୩୦ ଜଣ କିଶୋରୀଙ୍କ ପାଇଁ ରାଜ୍ୟ ସରକାର ୬,୧୦,୫୫୧ ଟଂକା ପ୍ରଦାନ କରିଥିବାବେଳେ କାଲିମେଳା ବ୍ଲକରେ ଥିବା ୧୫୨୨ ଜଣ ଗର୍ଭବତୀ,୧୪୨୦ ଜଣ ପ୍ରସୂତୀ ଏବଂ ୫୨୧୭ ଜଣ କିଶୋରୀଙ୍କ ପାଇଁ ୧୦,୧୮,୪୯୪ ଟଂକା ପ୍ରଦାନ କରିଛନ୍ତି।

ତେବେ ମୋଟରେ ଜିଲ୍ଲାରେ ଥିବା ୭୪୨୦ ଜଣ ଗର୍ଭବତୀ,୭୪୩୨ ଜଣ ପ୍ରସୂତୀ ଏବଂ ୨୨,୫୯୨ ଜଣ କିଶୋରୀ ବାଳିକାଙ୍କ ପାଇଁ ମୋଟରେ ୪୦ ଲକ୍ଷ ୬୬ ହଜାର ୫୬୦ ଟଂକା ପ୍ରଦାନ କରାଯାଇଥିବା ବେଳେ ଏହା ଟଂକାକୁ ଜିଲ୍ଲାରେ ଖର୍ଚ୍ଚ କରାଯାଇ ପାରୁନାହିଁ। ଯାହାଫଳରେ ଗର୍ଭବତୀ ଓ ପ୍ରସୂତୀଙ୍କ ରକ୍ତହୀନତା ବଢୁଥିବାବେଳେ କିଶୋରୀ ବାଳିକାମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ଜିଲ୍ଲାରେ ଥିବା ସମାଜ ମଙ୍ଗଳ ବିଭାଗ ମଧ୍ୟ ଏଥିପାଇଁ କୌଣସି ପଦକ୍ଷେପ ନେଇପାରୁ ନାହିଁ। ତେବେ ଏହା କେବେ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଗର୍ଭବତୀ,ପ୍ରସୂତୀ ଏବଂ କିଶୋରୀମାନେ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର