ତିଗିରିଆ: ତିଗିରିଆରେ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନକୁ ଅଢ଼େଇ ବର୍ଷ ବିତି ଗଲାଣି। ଏବେ ବି’ ଗୃହକାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଛି। ବର୍ତ୍ତମାନ ବିଦ୍ୟାଳୟର ୮୩ଜଣ ଛାତ୍ରଛାତ୍ରୀ ଅସ୍ଥାୟୀ ଭାବେ ନୂଆପାଟଣା ଅର୍ଜୁନସୁବୁଦ୍ଧି ଉଚ୍ଚବିଦ୍ୟାଳୟର ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିବା ଜଣାଯାଇଛି। ବିଦ୍ୟାଳୟରେ ବହୁ ଶିକ୍ଷକ ଓ କର୍ମଚାରୀ ପଦ ମଧ୍ୟ ଖାଲି ପଡ଼ିଛି। ଫଳରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ଓଡ଼ିଶାର ଗରିବ ଓ ନିମ୍ନମଧ୍ୟବିତ୍ତ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ ସହ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଭଳି ଯୁଗାନ୍ତକାରୀ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ତିଗିରିଆ ବ୍ଲକ୍‌ ଅଚଳକୋଟ ପଞ୍ଚାୟତ ଅନ୍ତର୍ଗତ ଚାରିଛକ ନିକଟରେ ଗତ ୨୦୨୦ ଜାନୁଆରି ୧୭ ତାରିଖରେ ୧୧ ଏକର ୩୫ ଡେସିମିଲ୍‌ ଜମିରେ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିପାଇଁ ୩ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାଯାଇଛି। ଗୃହ କାର୍ଯ୍ୟ ଏକବର୍ଷ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

Advertisment

ଇତିମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହେବାକୁ ଅଢ଼େଇ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ମାତ୍ର କାମ ଶେଷ ହେଉନାହିଁ। ଆସନ୍ତା ୧ ବର୍ଷ ଭିତରେ କାମଶେଷ ହେବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ନୂଆପାଟଣାସ୍ଥିତ ଅର୍ଜୁନସୁବୁଦ୍ଧି ଉଚ୍ଚବିଦ୍ୟାଳୟରେ ଚଳିତବର୍ଷ ଅସ୍ଥାୟୀ ଭାବେ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ପାଠପଢ଼ା ବ୍ୟବସ୍ଥା କରାଯାଇଥିଲା। ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ନାମ ଲେଖାଇଥିବା ୮୪ ଜଣ ଛାତ୍ରଛାତ୍ରୀ ଗତମାସ ୧୭ ତାରିଖରୁ ଏଠାରେ ପାଠପଢ଼ା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବିଦ୍ୟାର୍ଥୀ ଟିସି ନେଇଯାଇଥିଲା ବେଳେ ୮୩ ଜଣ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିବା ଜଣାଯାଇଛି। ଗୋଟିଏ ଶ୍ରେଣୀଗୃହରେ ଏତେସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାରେ ଶିକ୍ଷକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ସେହିପରି ବିଦ୍ୟାଳୟରେ ଅଧ୍ୟକ୍ଷ ପଦ ସମେତ ଏସ୍‌ଏସ୍‌ଟି, ଗଣିତ, ସଂସ୍କୃତ, ହିନ୍ଦୀ ଆଦି ବିଷୟରେ ଶିକ୍ଷକ ପଦ ଖାଲି ପଡ଼ିଛି। ବିଦ୍ୟାଳୟରେ ପିଅନ, ରାତ୍ର ଜଗୁଆଳ, ରୋଷେୟା ଓ ସହଯୋଗୀ ପଦବି ମଧ୍ୟ ପୂରଣ ହୋଇ ନ ଥିବା ସୂଚନା ମିଳିଛି। ଶିକ୍ଷକ ପଦବି ଖାଲି ପଡ଼ିଥିବାରୁ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଥାଶୀଘ୍ର ବିଦ୍ୟାଳୟର ଖାଲି ପଦ ପୂରଣ ସହ ଗୃହନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।