ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ହେଉଛି ଖଣି ଖାଦାନ ବିଶିଷ୍ଟ ଆଦିବାସୀ ବହୁଳ ଅଂଚଳ। ଉପଖଣ୍ଡର ସଦର ହେଉଛି ରାଇରଙ୍ଗପୁର। ଅତୀତରେ ଶିଳ୍ପ ସମୃଦ୍ଧ ଥିଲା ଏହି ବାମନଘାଟୀ ଉପଖଣ୍ଡ। ତେବେ ବର୍ତ୍ତମାନ ଶିଳ୍ପ ବିହୀନ ହୋଇ ପଡିଛି। ଉପଖଣ୍ଡରେ ଟାଟା ନଗର-ବାଦାମପାହାଡ ରେଳ ଲାଇନ ରହିଛି। ଉକ୍ତ
ଲାଇନରେ ମାତ୍ର ଦୁଇଟି ଯାତ୍ରୀବାହୀ ଟ୍ରେନ ଚାଲୁଥିବା ବେଳେ ଅନ୍ୟସମୟରେ ଗୋରୁମହିଷାଣୀ, ବାଦାମପାହାଡ ଲୁହାଖଣିରୁ ଲୁହାପଥର ପରିବହନ ପାଇଁ ମାଲବାହୀ ଟ୍ରେନ ଚଳାଚଳ କରିଥାଏ। ଏହାବ୍ୟତୀତ ରାଇରଙ୍ଗପୁର ସହରର ଦେଇ ରାଞ୍ଚି-ବିଜୟବାଡା ୨୨୦ ନମ୍ବର ଜାତୀୟ ରାଜପଥ ଯାଇଛି। ରାଇରଙ୍ଗପୁର ସହର ଠାରୁ ମାତ୍ର ୪ କି.ମି ରାସ୍ତା ଗଲେ ପଡେ ଦାଣ୍ଡବୋଷ ଗ୍ରାମ ଓ ସେଠାରୁ ବାମରେ ପଶ୍ଚିମ ଦିଗକୁ ୨ କି.ମି ଗଲେ ପଡେ ବ୍ରିଟିଶ୍ ଅମଳର ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ (ବିମାନ ଅବତରଣ କେନ୍ଦ୍ର)। ଉକ୍ତ ଏୟାରଷ୍ଟ୍ରିପ୍ଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ନିର୍ମାଣ ହୋଇଥିବାର କୁହନ୍ତି ଅଂଚଳବାସୀ। ଉକ୍ତ ଏୟାଷ୍ଟ୍ରିପ୍ ଟି ୬୧ ଏକର ପରିମିତ ଜାଗାର ଅବସ୍ଥିତ। ତେବେ ଏନେଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ରାଇରଙ୍ଗପୁର ଡିଭିଜନରେ ଏୟାରଷ୍ଟ୍ରିପ୍ ସମ୍ବନ୍ଧୀୟ କୌଣସି ତଥ୍ୟ ନାହିଁ।

Advertisment

ପୂର୍ବରୁ ବାମନଘାଟୀ ଉପଖଣ୍ଡର ଗୋରୁମହିଷାଣୀ, ବାଦାମପାହାଡ ଓ ସୁଲେଇପାଟ ଠାରେ ଟିସ୍କୋ କମ୍ପାନିର ଅସ୍ଥାୟୀ ଉଡାଜାହାଜ ଅବତରଣ ପାଇଁ ପଡିଆ ଥିଲା। ଟିସ୍କୋ କମ୍ପାନିର ପଦାଧିକାରୀ ମାନେ ସେହି ସମୟରେ କେବେ କେବେ ଉଡାଜାହାଜରେ ଯିବା ଆସିବା କରୁଥିଲେ। ଉପଖଣ୍ଡରେ ୩ଟି ବଡବଡ ଲୁହାପଥର ଖଣି ସମେତ ମୋଟ୍ ୧୧ ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି ମଧ୍ୟ ରହିଛି। ଜିଲ୍ଲାର ଭୌଗଳିକ ବିଶାଳତା ତଥା ସାମଗ୍ରୀକ ଉନ୍ନତି ଦୃଷ୍ଟି କୋଣରୁ ରାଇରଙ୍ଗପୁର ସହର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ସାମିଲ ହୋଇ ବିମାନ ସେବା ଆରମ୍ଭ ହେଲେ ବାମନଘାଟୀ ଅଞ୍ଚଳର ବହୁ ଲୋକ ବିଶେଷ ଭାବେ ଉପକୃତ ହୋଇ ପାରିବେ। ଉକ୍ତ ଏୟାରଷ୍ଟ୍ରିପ୍ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ବାହାରୁ ଶିଳ୍ପପତି, ଖଣିଖାଦାନ ସହ ସମ୍ପୃକ୍ତ ବ୍ୟବସାୟୀ, ଉଦ୍ୟୋଗିପତି, କେନ୍ଦ୍ରୀୟ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ସମେତ ଦେଶବିଦେଶରେ ଚାକିରି କରୁଥିବା ବ୍ୟକ୍ତି ଓ ଉଚ୍ଚଶିକ୍ଷା ପାଇଁ ଦେଶ ବିଦେଶକୁ ଛାତ୍ରଛାତ୍ରୀ ମାନେ ଯିବାଆସିବା କରିବାରେ ସୁବିଧା ପାଇ ପାରିବେ।

ଏହାବ୍ୟତୀତ ପର୍ଯ୍ୟଟନ ଦୃଷ୍ଟିରୁ ପର୍ଯ୍ୟଟକ ମାନେ ବିଶ୍ୱ ବିଖ୍ୟାତ ଶିମିଳିପାଳ ତଥା ଜିଲ୍ଲାର ପ୍ରସିଦ୍ଧ ଖିଚିଂର ମାଆ କିଚକେଶ୍ୱରୀ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ବହୁ କମ୍ ସମୟ ମଧ୍ୟରେ ବୁଲିବାର ସୁଯୋଗ ପାଇ ପାରିବେ। ଏହାବ୍ୟତିତ ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ଅଂଚଳର ଉନ୍ନତି ହୋଇ ପାରିବ। ଏଣୁ କେନ୍ଦ୍ର ସରକାର ଏଦିଗରେ ଏହାର ଉଚିତ୍ ସର୍ଭେ କରି ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ର ଆଧୁନିକୀକରଣ ସହିତ ଉଡାନ ଯୋଜନାରେ ଯଥାଶୀଘ୍ର ବିମାନ ସେବା ଆରମ୍ଭ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ତେବେ ଗତ ମାର୍ଚ୍ଚ ୨୦୨୨ରେ ଦାଣ୍ଡବୋଷ ଏୟାଷ୍ଟ୍ରିପକୁ ଉଡାନ ଯୋଜନାରେ ସାମିଲ କରାଯାଇଥିବା ନେଇ ଘଷୋଣା କରାଯାଇଥିଲା। ତେବେ ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ବିଜେପି ଦଳ ବହୁମତ ପାଇ ଶାସନ କରୁଛି ଏବଂ ତା’ସହିତ ଜିଲ୍ଲାରେ ବିଶେଶ୍ୱର ଟୁଡୁଙ୍କ ଭଳି କେନ୍ଦ୍ର ମନ୍ତ୍ରୀ ଥିବାରୁ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ଯଥାଶୀଘ୍ର ବିମାନ ସେବା ଆରମ୍ଭ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

publive-image Sambad

ସୂଚନାଯୋଗ୍ୟ ଯେ, ଉକ୍ତ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍‌ଟି ସମୁଦ୍ର ପତନ ଠାରୁ ୮୫୩ ଫୁଟ୍ ଉଚ୍ଚରେ ରହିଛି। ରାଇରଙ୍ଗପୁର ତହସିଲର ମୁର୍ଗାଘୁଟୁ ମୌଜାର ଖାତା ନଂ ୯୮ ରେ ମୋଟ୍ ୬୧ ଏକର ୦୧ ଡେସିମିଲ୍ ପରିମିତ ଜମିରେ ଏହି ଏୟାରଷ୍ଟ୍ରିପ ରହିଛି। ରାଇରଙ୍ଗପୁର ସହର ଠାରୁ ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ ପିଚୁ ରାସ୍ତା ମଧ୍ୟ ରହିଛି। ପୂର୍ବରୁ ଉକ୍ତ ଦାଣ୍ଡବୋଷ ଏୟାରଷ୍ଟ୍ରିପର ରନୱେ ସମତଳ ମାଟି ପଡ଼ିଆ ଥିଲା। ଏୟାରଷ୍ଟ୍ରିପ ଚାରିପଟେ କୌଣସି ସୁରକ୍ଷା ବାଡ ମଧ୍ୟ ନଥିଲା। ପୂର୍ବରୁ ଉକ୍ତ ଏୟାରଷ୍ଟ୍ରିପର ଦୈର୍ଘ୍ୟ ୭୫୦ ମିଟର ଥିଲା ଓ ପରେ ଏୟାରଷ୍ଟ୍ରିପର ଅନେକ ଉନ୍ନତିମୂଳକ କାର୍ଯ୍ୟ ହେବାପରେ ରନୱେ ୮୮୮ ମିଟର ହୋଇଥିବା ବେଳେ ବର୍ତ୍ତମାନ ସମ୍ପ୍ରସାରଣ ପରେ ୪୮୪ ମିଟର ଅଧିକ ଦୈର୍ଘ୍ୟ ହୋଇ ୧୩୭୨ ମିଟର ରନୱେ କରାଯାଇଛି ଏବଂ ୧୫ ମିଟର ଓସାର ବିଶିଷ୍ଟ ପିଚୁରେ ନିର୍ମାଣ କରାଯାଇଛି। ମୋଟ୍ ୧ କୋଟି ୬୫ ଲକ୍ଷ ଟଙ୍କା ବିନିମୟରେ ଏହି ସମ୍ପ୍ରସାରଣ ଓ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି। ତା’ସହିତ ଉଭୟ ପାର୍ଶ୍ୟରେ ୧୪୦୦ ମିଟର ଦୈର୍ଘ୍ୟର ପାଚେରୀ ନିର୍ମାଣ କରାଯାଇଥିବା ବେଳେ ରନୱେର ପାଚେରୀ ନିର୍ମାଣ ହୋଇଥିବା ବେଳେ ଏୟାରଷ୍ଟ୍ରିପ ମଧ୍ୟରେ ଏକ ବିଶ୍ରାମଗାର ରହିଛି। କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ଅବତରଣ ପରେ ସେଠାରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥାଏ। ବର୍ତ୍ତମାନ ଉକ୍ତ ଏୟାରଷ୍ଟ୍ରିପରେ ମାତ୍ର ଜଣେ ଜଗୁଆଳି ଦାୟିତ୍ୱରେ ରହିଥିବା ଦେଖିବାକୁ ମିଳେ। ତେବେ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ କେବେ ଠାରୁ ବିମାନ ସେବା ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା।