ଜଗତସିଂହପୁର ଟାଉନ୍: ରାଜ୍ୟ ସରକାର ଅନ୍ତଃଜିଲ୍ଲା ଜଳାଶୟ ଯୋଜନା କରି ମହାନଦୀରେ ଏକ ବୃହତ ବ୍ୟାରେଜ୍ ନିର୍ମାଣ କରିବାକୁ ଯାଉଛନ୍ତି। କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଚାଷୀ ଏଥିରେ ଲାଭବାନ ହେବା ସହ ଶିଳ୍ପ ପାଇଁ ମଧ୍ୟ ଜଳ ଯୋଗାଣ ଚାହିଦା ମେଣ୍ଟିବ। ସରକାର ଯଦି ଅନ୍ତଃଜିଲ୍ଲା ଜଳାଶୟ କଥା ଚିନ୍ତା କରୁଛନ୍ତି ତେବେ କେବଳ ମହାନଦୀରେ କାହିଁକି, ଦେବୀ ନଦୀରେ ମଧ୍ୟ ବ୍ୟାରେଜ୍ ନିର୍ମାଣ କରାଯିବ ନାହିଁ କାହିଁକି ବୋଲି ଏବେ ବିଭିନ୍ନ ମହଲରେ ଦାବି ଉଠିଲାଣି। ତେଣୁ ସରକାର ବାସ୍ତବରେ ଚାଷୀଙ୍କ ପାଇଁ ନୁହଁ ବରଂ ଶିଳ୍ପକୁ ଜଳ ଯୋଗାଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଓ ଜିଲ୍ଲା କଂଗ୍ରେସ୍ କମିଟି ସଭାପତି ନଟବର ବାରିକ ଅଭିଯୋଗ କରିଛନ୍ତି। ଏପରି ବ୍ୟାରେଜ୍ ପ୍ରକଳ୍ପ ନେଇ ଉଭୟ ନେତା ସରକାରଙ୍କୁ ବିବାଦକୁ ଟାଣିଛନ୍ତି। ସେମାେନ ଅଭିଯୋଗ କରିଛନ୍ତି ଚାଷୀଙ୍କୁ ଆଳ କରି ଶିଳ୍ପସଂସ୍ଥାକୁୁ ଜଳଯୋଗାଣ ହେଉଛି ଏହାର ଅସଲ ଉଦ୍ଦେଶ୍ୟ।
ଓଡ଼ିଶାର ବହୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମହାନଦୀରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରି ମହାନଦୀର ପ୍ରବାହକୁ ପ୍ରତିରୋଧ କରି ଚାଷ ଓ ଶିଳ୍ପରେ ପାଣି ଲଗାଉଛି। ଏହାକୁ ନେଇ ଛତିଶଗଡ଼ ଓଡ଼ିଶା ଭିତରେ ବିବାଦ ଚାଲିଛି। ରାଜ୍ୟରେ ଶାସକ ବିଜେଡି ଦଳ ମହାନଦୀ ବଞ୍ଚାଅ ଆନ୍ଦୋଳନ କରିଛି। ଆଜି ବି ପାରାଦୀପ ଶିଳ୍ପ ପାଇଁ କଟକ ନରାଜ୍ ବ୍ୟାରେଜ୍ରୁ ପାଣି ଆସୁଛି। ଏବେ ମହାନଦୀରେ ଯେଉଁ ବ୍ୟାରେଜ୍ କରିବାକୁ ସରକାର ଯାଉଛନ୍ତି ଏ ଦାବି ଦୁଇ ଦଶନ୍ଧି ତଳର। କିନ୍ତୁ ସେତେବେଳେ ସରକାର ଚାଷୀଙ୍କ ଦାବିକୁ କର୍ଣ୍ଣପାତ କରି ନଥିଲେ। ଆଉ ଏବେ ଏହାକୁ ଗୁରୁତ୍ବ ଦେଇ କୁଜଙ୍ଗ ବ୍ଲକ୍ ସନ୍ତରା ନିକଟରେ ପ୍ରାୟ ୬ ଶହ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଇସାରା ଦେଲେଣି। ଗତକାଲି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିଧାୟକ, ସାଂସଦ, ବିଭିନ୍ନ ବ୍ଲକ୍ର ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଥିଲେ। ଏଥିପ୍ରତି ୫ଟି ସଚିବ ସବୁଜ ସଙ୍କେତ ଦେଇଛନ୍ତି । ବ୍ୟାରେଜ୍ ନିର୍ମାଣ ହେଲେ ଚାଷୀଙ୍କ କ୍ଷେତକୁ ପାଣି, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଗମନା ଗମନ ସୁଗମ ଓ ଶିଳ୍ପ ସଂସ୍ଥା ପାଣି ପାଇବା ସହ ସାଲାଇନ୍ ସ୍ତରକୁ ରୋକା ଯାଇ ପାରିବ ବୋଲି କୁହାଯାଇଛି।
ଏହି ୩ଟି ଜିଲ୍ଲା ପାଇଁ ଅତ୍ୟନ୍ତ ଖୁସିର ଖବର। କିନ୍ତୁ ଜଗତସିଂହପୁର ଜିଲ୍ଲାର ଅନ୍ୟପଟେ ପ୍ରବାହିତ ଦେବୀ ନଦୀରେ ସମାନ ଢଙ୍ଗରେ କାହିଁକି ବ୍ୟାରେଜ୍ ନିର୍ମାଣ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି। କାରଣ କଟକ କାଠଯୋଡ଼ି ନଦୀରୁ ବିରିଡ଼ି ନିକଟରେ ଦେବୀ ନଦୀ ବାହାରି ବନ୍ଦର ନିକଟରେ ସମୂଦ୍ରରେ ମିଶିଛି। ତେଣୁ କାଠଯୋଡ଼ି ଓ ଦେବୀ ନଦୀର ଲକ୍ଷ ଲକ୍ଷ ଘନ ଫୁଟ ଜଳ ପ୍ରତି ବର୍ଷ ନଷ୍ଟ ହେଉଛି। ମାଛଗାଁ ଠାରୁ ଗଣ୍ତକୂଳ ମଧ୍ୟରେ ବ୍ୟାରେଜ୍ କରି ନଦୀର ଜଳକୁ ଅଟକ ରଖାଯାଇ ଚାଷ ସମେତ ବହୁମୁଖୀ କାର୍ଯ୍ୟରେ ଲାଗି ପାରନ୍ତା। ବିଶେଷ କରି ବାଲିକୁଦା, ଏରସମା, ନାଉଗାଁ, ଜଗତସିଂହପୁର, ବିରିଡ଼ି ବ୍ଲକ୍ର ବହୁ ଚାଷୀ ଉପକୃତ ହୋଇ ପାରନ୍ତେ। ବାଲିକୁଦା–ନାଉଗାଁ ଅଂଚଳରେ ସାଲାଇନ୍ ପାଣିର ସ୍ତରକୁ ରୋକାଯିବା ସହ ପୁରୀ ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଗମନାଗମନ ସୁଗମ ହୁଅନ୍ତା। ପୁରୀ ଓ କୋଣାର୍କକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରକୃତିର ଗନ୍ତାଘର ପର୍ଯ୍ୟଟନ ସ୍ଥଳୀ ବନ୍ଦରକୁ ଯୋଡ଼ା ଯାଇପାରନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/JSP-TWN-DEBI-NADI-BRIZE-STORY-23072021_6.jpg)
