ବଡ଼ନଦୀରେ ପୋଲ ନିର୍ମାଣ ସ୍ବପ୍ନ ସାକାର କେବେ? ସବୁକିଛି ଯୋଜନା ପ୍ରତିଶ୍ରୁତିରେ ସୀମିତ

ବେଲଗୁଣ୍ଠା : ଗାଁକୁ ଗାଁ ସହ ଯୋଡ଼ିବାକୁ ସବୁଠି ପକ୍କାରାସ୍ତା ଓ ନଦୀ ଉପରେ ସେତୁ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ନାନା ଯୋଜନା ହାତକୁ ନେଇଛନ୍ତି। ହେଲେ ଗମନାଗମନ ସୁବିଧା ପାଇଁ ମାଳମାଳ ଯୋଜନା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ୧୧ଟି ପଞ୍ଚାୟତବାସୀଙ୍କ ପ୍ରତି ଯେମିତି ଉପହାସ ଭଳି ମନେ ହେଉଛି। କାରଣ ଗ୍ରାମବାସୀଙ୍କ ପାଇଁ ଦୁଃଖ ବୋଲାଉଥିବା ବଡ଼ନଦୀ‌ ଉପରେ ଆଜିଯାଏ ପୋଲ ନିର୍ମାଣ କେବଳ ଆଲୋଚନା, ଯୋଜନା ଓ ପ୍ରତିଶ୍ରୁତି ଭିତରେ ସୀମିତ ହୋଇ ରହିଛି। ଜନପ୍ରତିନିଧି ମାନେ ବି କଥା ଦେଇଛନ୍ତି। କିନ୍ତୁ ଏହା ପାଳନ କରୁନାହାନ୍ତି। ଫଳରେ ଆଜି ବି ଶତାଧିକ ଲୋକେ ପୋଲ ନଥିବାରୁ ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଥିବାର ନଜିର୍ ରହିଛି।
ବଡ଼ନଦୀ ଯୋଗୁଁ ଇଙ୍ଗିନାଠି, ବଡ଼ପଡ଼ା, ନେଟଙ୍ଗା, ବେଣୀପଲ୍ଲୀ, ଗୋବରା, ବଡ଼ବୋରସିଂ, ଶାସନ, କ୍ଷତ୍ରିୟବରପୁର, ଗାଙ୍ଗପୁର, ଖଇରପୁଟି ଏବଂ ପାଇଲିପଡ଼ା ଭଳି ଏଗାରଟି ପଞ୍ଚାୟତର ଗ୍ରାମବାସୀ ସଦରମହକୁମା ସହ ସିଧାସଳଖ ‌ଗମନାଗମନର ସୁବିଧା ପାଇପାରୁନାହାନ୍ତି। ଏସସ୍ତ ଗ୍ରାମଗୁଡ଼ିକରୁ ସଦରମହକୁମା ବେଲଗୁଣ୍ଠାର ଦୂର ମାତ୍ର ପାଞ୍ଚରୁ ୧୦ କିଲୋମିଟର। ହେଲେ କୌଣସି କାମରେ ସେଠାକୁ ଯିବାକୁ ପଡ଼ିଲେ ଚିନ୍ତା ବଢ଼ିଯାଉଛି। କାରଣ ବେଲଗୁଣ୍ଠାରେ ପହଞ୍ଚିବାକୁ ହେଲେ ସେମାନଙ୍କୁ ଭଞ୍ଜନଗର ଦେଇ ଅଧିକ ୩୦ କିଲୋମିଟର ବୁଲି କରି ଯିବାକୁ ପଡ଼ୁଛି। କିଛି ଲୋକ ନଦୀରେ ପହଁରି ଯାଉଥିବାର ବି ବହୁ ନଜିର୍ ରହିଛି।  ବିଶେଷ କରି ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ଆଣିବା ଏବଂ ତହସିଲ କାମ ପାଇଁ ୩୦ କିଲୋମିଟର ବୁଲି ଯିବା ଫଳରେ ଗ୍ରାମବାସୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। କେବଳ ଯିବା ଆସିବାରେ ସାରା ଦିନ ବିତିଯାଉଛି। ଫଳରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମନ୍ଦାର ଏବଂ ଠେଙ୍ଗାଧର ଗ୍ରାମ ମଧ୍ୟରେ ବଡ଼ନଦୀ ଉପରେ ପୋଲ ନିର୍ମାଣ ପାଇଁ ବିଭିନ୍ନ ସ୍ତରରେ ଦାବି ଉପସ୍ଥାପନ କରାଯାଇଥିଲେ ହେଁ, କୌଣସି ସୁଫଳ ମିଳୁନି।
ବେଲଗୁଣ୍ଠା ବ୍ଲକ୍ ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବେଳେ  ୨୦୦୬ରେ ଲୋହରାଖଣ୍ଡି ନଦୀ ଉପରେ ରତ୍ନପୁର ଏବଂ ମନ୍ଦାର ଗ୍ରାମ ମଧ୍ୟରେ ପୋଲ ନିର୍ମାଣ ହୋଇଥିଲା। କିନ୍ତୁ ବେଲଗୁଣ୍ଠା ସହ ଯୋଗାଯୋଗ ପାଇଁ ତାହା ପର୍ଯ୍ୟାପ୍ତ ନଥିଲା। ଏହି ପୋଲ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ‌ଯୋଗ ଦେଇ ବଡ଼ନଦୀ ଉପରେ ବ୍ରିଜ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅନ୍ୟ ଜନପ୍ରତିନିଧି ବି ବହୁବାର କଥା ଦେଇଛନ୍ତି। ହେଲେ ଦୁଃଖର କଥା ହେଲା, ସମୟ ଗଡ଼ିଯାଉଥିଲେ ବି ବ୍ରିଜ୍ କାମ ଆରମ୍ଭ ହୋଇପାରୁନି। ବେଲଗୁଣ୍ଠା ବ୍ଲକ୍ ସୋରଡ଼ା ନିର୍ବାଚନମଣ୍ଡଳୀ ଅଧୀନକୁ ସୀମା ନିର୍ଦ୍ଧାରଣ ପରେ ଚାଲିଯାଇଛି। କିନ୍ତୁ ଫଳ ଶୂନ୍। ଏହାରି ଭିତରେ ବେଲଗୁଣ୍ଠା ପଞ୍ଚାୟତ ସମିତିର ତିନିଟି ବୈଠକରେ ଦଳମତ ନିର୍ବିଶେଷରେ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରାଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି।
ବ୍ରିଜ୍ ଟିଏ ନଥିବାରୁ ୧୧ ପଞ୍ଚାୟତବାସୀ ଭଞ୍ଜନଗର, ଆସିକା ଏବଂ ସୋରଡ଼ା ଉପରେ ବାଣିଜ୍ୟ ଲାଗି ନିର୍ଭର କରୁଛନ୍ତି। ବ୍ରିଜ୍‌ଟିଏ ନିର୍ମାଣ ହୋଇ ପାରିଲେ ଲୋକେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି। ଏଦିଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଲାଗି ଦାବି ହୋଇଛି।
ସମ୍ବନ୍ଧିତ ଖବର