ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ଣର ପ୍ରଖରତା ବଢିବାରେ ଲାଗିଛି। ଲୋକେ ସକାଳ ୧୦ ହେଲେ ଘରୁ ଆଉ ପଦାକୁ ବାହାରିବା ମୁସକିଲ ହୋଇପଡୁଛି।ତାପମାତ୍ରା ୪୨ ଡେଇଁଲାଣି। ଗରମରୁ ଲୋକେ ମୁକୁଳିପାରୁନଥିବା ବେଳେ ପାଣି ସମସ୍ୟା ମଧ୍ୟ ଉତ୍କଟ ହେବାକୁ ଲାଗିଲାଣି। ଗାଁଗାଁରେ ଏବେ ନଈନାଳ, କୂଅ, ନଳକୂପ ଶୁଖିବାକୁ ଲାଗିଲାଣି। ନଳକୂପରୁ ମଧ୍ୟ ଏବେ ଆଉ ପାଣି ବାହାରୁ ନାହିଁ। ତେଣୁ ଲୋକେ ମାଇଲ ମାଇଲ ବାଟ ଚାଲି ଚୁଆରୁ ପାଣି ସଂଗ୍ରହ କରୁଥିବା ଦୃଶ୍ୟ ପ୍ରାୟତଃ ଗ୍ରାମଗୁଡିକରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ପାଣିର ଉତ୍କଟ ସମସ୍ୟାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ୨୦୧୯ ମସିହାରେ ଜିଲ୍ଲାରେ ୧୦ଟି ମେଗା ପାଇପ ଜଳ ଯୋଗାଣ ପ୍ରୋଜେକ୍ଟକୁ ମଞ୍ଜୁର କରିଥିଲେ। ଏହି ୧୦ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆଜି ଅଧୁରା ହୋଇ ରହିଛି।
Advertisment
ରିପୋର୍ଟ ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକ ୫ଟି ପଞ୍ଚାୟତର ୨୧ଟି ଗ୍ରାମର ୫୮୬୫ ଘରର ୨୭,୬୮୯ ଲୋକଙ୍କ ପାଇଁ ୪୬ କୋଟି ଟଂକା ବ୍ୟୟରେ ମେଗା ପାଇପ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୦ରୁ ଆରମ୍ଭ ହୋଇଥିବା ବେଳେ ୨୦୨୨ରେ ସମାପ୍ତ ହେବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ୭୦ ପ୍ରତିଶତ ହିଁ ସମାପ୍ତ ହୋଇଛି। ମାଲକାନଗିରି ଏବଂ କାଲିମେଳା ବ୍ଲକର ଏମଭି-୩୯ ଗ୍ରାମରେ ନିର୍ମାଣ ହେଉଥିବା ୬୫ କୋଟି ଟଂକାର ପ୍ରକଳ୍ପ ଯୋଗୁଁ ଏହି ଦୁଇ ବ୍ଲକର ୫ଟି ପଞ୍ଚାୟତର ୩୩ଟି ଗାଁର ୫୨୮୬ ପରିବାରର ୩୦,୭୦୨ ଲୋକ ଉପକୃତ ହେବେ। କିନ୍ତୁ ଏହା ବି ୭୦ ପ୍ରତିଶତ ହିଁ ସରିଛି। କୋରକୋଣ୍ଡା ବ୍ଲକର ମାରିବେଡା ଠାରେ ନିର୍ମାଣ ହେଉଥିବା ୧୨୨ କୋଟି ଟଂକାର ପାଇପ ଜଳ ଯୋଗଣ ବ୍ଲକର ୧୧ଟି ପଞ୍ଚାୟତର ୮୯ଟି ଗ୍ରାମର ୧୩୮୯୧ ପରିବାରର ୬୬୩୯୯ ଲୋକ ଉପକୃତ ହେବେ। କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟ ୫୦ ପ୍ରତିଶତ ହିଁ ସରିଛି।
ସେହିପରି ପଡିଆ ବ୍ଲକର ୮ଟି ପଞ୍ଚାୟତର ୪୮ ଗ୍ରାମର ୯୬୨୮ ପରିବାରର ୪୩୧୯୨ ଲୋକଙ୍କ ପାଇଁ ଏମପିଭି-୬୬ ଗ୍ରାମରେ ମେଗା ପ୍ରକଳ୍ପ୧୦୪ କୋଟି ଟଂକା ବ୍ୟୟରେ ନିର୍ମାଣ ହେଉଥିବା ବେଳେ ଏହାର ଅବଧି ସମୟ ସରିଛି। କିନ୍ତୁ ଏହା ଆଜି ପର୍ଯ୍ୟନ୍ତ ୪୯ ପ୍ରତିଶତ ହିଁ ସରିପାରିଛି। ଚିତ୍ରକୋଣ୍ଡା ବ୍ଲକର ୪ଟି ପଞ୍ଚାୟତର ୨୧୩୭ ପରିବାରର ୧୦୨୬୯ ଲୋକଙ୍କ ପାଇଁ ୪୩ କୋଟି ଟଂକା ବ୍ୟୟରେ ଅରାପଦର ଗ୍ରାମରେ ମେଗା ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ସମାପ୍ତ ଅବଧି ସରିଛି।ଏହା ବର୍ତ୍ତମାନ ୨୫ ପ୍ରତିଶତ ହିଁ ସରିଛି।ସେହିପରି ଚିତ୍ରକୋଣ୍ଡା ବ୍ଲକର ରାଜଲକୋଣ୍ଡା ଗ୍ରାମରେ ନିର୍ମାଣ ହେଉଥିବା ୨୯ କୋଟି ଟଂକା ବ୍ୟରେ ୨ଟି ପଞ୍ଚାୟତର ୨୧ଟି ଗ୍ରାମର ୧୭୮୭ ପରିବାର ଉପକୃତ ହେବେ। ଏହି ମେଗା ଜଳ ପ୍ରକଳ୍ପ ମଧ୍ୟ ୧୭ ପ୍ରତିଶତ ହିଁ ସହିଛି। କାଲିମେଳା ବ୍ଲକର ଏମପିଭି-୬ ଗ୍ରାମରେ ନିର୍ମାଣ ହେଉଥିବା ୬ଟି ପଞ୍ଚାୟତର ୩୩ଟି ଗ୍ରାମର ୭୨୫୬ ପରିବାରର ୩୨୭୫୨ ଲୋକଙ୍କ ପାଇଁ ୮୨ କୋଟି ଟଂକାରେ ମେଗା ପ୍ରକଳ୍ପ କାର୍ଯ୍ୟ ହେଉଛି। ଏହା ମଧ୍ୟ ୧୭ ପ୍ରତିଶତ ହିଁ ସରିଛି।
ସେହିପରି କାଲିମେଳା ବ୍ଲକର ପଲୁର ଠାରେ ନିର୍ମିତ ୧୫୫ କୋଟି ଟଂକାର ମେଗା ପ୍ରକଳ୍ପ ଦ୍ବାରା ୧୧ଟି ପଞ୍ଚାୟତର ୮୬ ଗ୍ରାମର ୧୩୮୨୦ ପରିବାର ଉପକୃତ ହେବେ।ଏହା ୨୨ ପ୍ରତିଶତ ହିଁ ସରିଛି। ମାଥିଲି ଓ ମାଲକାନଗିରି ବ୍ଲକର ୧୮ଟି ପଞ୍ଚାୟତର ୧୨୧ଟି ଗ୍ରାମର ୧୮୧୦୪ ପରିବାର ପାଇଁ ଏବଂ ଖଇରପୁଟ, ମାଥିଲି ଓ ମାଲକାନଗିରି ବ୍ଲକର ୨୬ଟି ପଞ୍ଚାୟତର ୨୧୦ଟି ଗ୍ରାମର ୩୦୧୪୬ ପରିବାର ପାଇଁ ୨୦୭ କୋଟି ଟଂକାର ମେଗା ପ୍ରକଳ୍ପ ମାଥିଲି ବ୍ଲକର ସାରଦାପୁଟ ଠାରେ ନିର୍ମିତ ହେଉଛି। ଏହା ଆଜି ପର୍ଯ୍ୟନ୍ତ ୧୯ ପ୍ରତିଶତ ହିଁ ସରିଛି।ଏହି ୧୦ଟି ମେଗା ପ୍ରକଳ୍ପର ଅବଧି ସରିବା ପରେ ମଧ୍ୟ ଅବଧି ଦିଆଯାଇଥିଲା। ତାହା ମଧ୍ୟ ଏବେ ସରିଛି।ଲୋକେ କେବେ ଏହି ପ୍ରକଳ୍ପରୁ ପାଣି ପାଇବେ ଦେଖିବାକୁ ବାକି ରହିଲା।