ଜୟପୁର: ଜୟପୁର ମହିଳା ଥାନା ପରିସରରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜିଲ୍ଲାପୁଲିସ ଶିଶୁ ବନ୍ଧୁତ୍ବ ଥାନା ନିର୍ମାଣ କରିଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣର ବର୍ଷକ ବିତିସାରିଥିଲେ ହେଁ ଏହାର ଲୋକାର୍ପଣ ହୋଇ ପାରିନି। ତେବେ ଏହା କେବେ ଲୋକାର୍ପଣ କରାଯିବ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି କରିଛି। ମହିଳା ଥାନାକୁ ବିଭିନ୍ନ ମାମଲାକୁ ନେଇ ଆସୁଥିବା ମହିଳା ମାନେ ନିଜର ଛୋଟ ଛୋଟ ପିଲା ମାନଙ୍କୁ ନେଇକି ଆସିଲେ ସେମାନେ ଏହି ଶିଶୁ ବନ୍ଧୁତ୍ବ ଥାନାକୁ ଆସି ପିଲା ମାନଙ୍କୁ ସେଠାରେ ଛାଡି ପାରିବେ। ପିଲା ମାନଙ୍କର ଖେଳକୁଦ ପାଇଁ ସବୁ ସାମଗ୍ରୀ ରଖାଯାଇଛି। ସେଭଳି ମହିଳା ମାନେ ଛୋଟ ଛୋଟ ପିଲାଙ୍କୁଧରି ଆସିଲେ ସେମାନଙ୍କୁ ସ୍ତନ୍ୟପାନ କରାଇବା ଏବଂ ପିଲାଙ୍କୁ ଖେଳାଇବା ଆଦିର ବ୍ୟବସ୍ଥା ଏହାରି ମଧ୍ୟରେ ରହିଛି। ମହିଳା ମାନଙ୍କୁ ପୁଲିସ ପ୍ରତି ଆସ୍ଥା, ବିଶ୍ବାସ ଓଉତ୍ତମ ସୁସଂପର୍କ ସ୍ଥାପନ କରିବା ପାଇଁ ଏହା ରାଜ୍ୟ ଗୃହ ବିଭାଗର ପ୍ରୟାସ।
ତେବେ ସବୁ ସାମଗ୍ରୀ ଥାନା ପରିସରରେ ଥିବା ବେଳେ ଏହାକୁ ଲୋକାର୍ପଣ କାହିଁକି କରାଯାଉନି ବୋଲି ପ୍ରଶ୍ନ ଉଠିଛି। ଅପରପକ୍ଷରେ ମହିଳା ଥାନାକୁ ଛୋଟ ପିଲାଙ୍କୁ ନେଇ ଆସୁଥିବା ମହିଳା ମାନଙ୍କୁ ବ୍ୟବହାର କରିବାର ସୁଯୋଗ ଏହାରି ମଧ୍ୟରେ ଦିଆଯାଉଛି ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ। ତେବେ ଏହାକୁ ଲୋକାର୍ପଣ କରିବା ସହ ଏହି ଥାନା ସଂପର୍କରେ ପ୍ରଚାର ଓ ପ୍ରସାର କଲେ ଲୋକେ ଏହାର ଲାଭ ଉଠାଇ ପାରିଥାନ୍ତେ ବୋଲି ବୁଦ୍ଧିଜୀବୀ ଓ ଆଇନଜୀବୀ ମାନେ ମତ ପ୍ରକାଶ କରିଛନ୍ତି।