କେବେ ପଲିଥିନ୍‌ ମୁକ୍ତ ହେବ ଭିତରକନିକା? ବିପଦରେ ଜୀବଜନ୍ତୁ, କୁମ୍ଭୀର ପେଟରୁ ବାହାରିଲା କଳା ପଲିଥିନ

ରାଜନଗର: ପ୍ରାକୃତିକ ଉପାୟରେ ପ୍ଲା‌ଷ୍ଟିକ, ପଲିଥିନ କ୍ଷୟ ହେଉନାହିଁ। ଏହା ପରିବେଶ ଦୂଷିତ କରିବା ସହ ଜୈବ ବିବିଧତାକୁ ପ୍ରଭାବିତ କରୁଛି। ପ୍ଲାଷ୍ଟିକ ବ୍ୟବହାର କଟକଣା ପାଇଁ ଆଇନ ପରେ ଆଇନ ପ୍ରଣୟନ ହେଉଥିଲେ ମଧ୍ୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏପଟେ ପ୍ଲାଷ୍ଟିକ୍‌, ପଲିଥିନ ଯୋଗୁଁ ଭିତରକନିକା‌ର ଜୈବ ବିବିଧତା ବିଗିଡ଼ିବାରେ ଲାଗିଛି। ନଦୀ, ସମୁଦ୍ର ଓ ଜଙ୍ଗଲରେ ପଡ଼ୁଥିବା ପଲିଥିନ ଖାଇ ଜୀବଜନ୍ତୁ ମୃତ୍ୟୁବରଣ କରୁଛନ୍ତି। ଚଳିତ ମାସ ୨୭ ତାରିଖ ଦିନ ଉଦ୍ଧାର ମୃତ କୁମ୍ଭୀର ପେଟରୁ ୨ଟି କଳା ପଲିଥିନ ବାହାରିବା ଘଟଣା ଏହି ଭୟାନକ ସତ୍ୟକୁ ପ୍ରମାଣିତ କରୁଛି। ଭିତରକନିକାରେ ପଲିଥିନ ଓ ପ୍ଲାଷ୍ଟିକ୍ ନିଷେଧ ପାଇଁ ୨୦୧୩ରୁ କଟକଣା ଜାରି ହୋଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆନଯିବାରୁ ପଲିଥିନ ଖାଇ ଜୀବଜନ୍ତୁ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି। କେବେ ଭିତରକନିକା ହେବ ପଲିଥିନ ମୁକ୍ତ, ବନ ବିଭାଗ କେବେ ନେବ ପଦକ୍ଷେପ ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଛି। ରାଜନଗରରେ ପ୍ରବାହିତ ବ୍ରାହ୍ମଣୀର ଶାଖା ନଦୀ ହଂସୁଆରୁ ଗତ ୨୭ ତାରିଖ ଦିନ ଏକ ବିରାଟକାୟ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଥିଲା। ୧୭ ଫୁଟ ୮ ଇଞ୍ଚ ଲମ୍ବ ଓ ୭ ଫୁଟ ଚଉଡ଼ାର ଏହି ବିଶାଳକାୟ କୁମ୍ଭୀରର ଶବ ବ୍ୟବଚ୍ଛେଦ ବେଳେ ତା ପେଟରୁ ଗୋଟିଏ କୁକୁର, ଝୋଟ ଅଟା, ପ୍ଲାଷ୍ଟିକ୍‌ ଦଉଡ଼ି ଓ ୨ଟି କଳା ରଂଗର ପଲିଥିନ ବାହାରିଥିଲା। କୁମ୍ଭୀର ଏ ସବୁ ଗିଳିବା ପରେ ହଜମ ନ ହେବାରୁ ତାର ମୃତ୍ୟୁ ଘଟିଲା ବୋଲି ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ କହୁଛି। ଅର୍ଥାତ୍ କୁମ୍ଭୀର ମୃତ୍ୟୁର କାରଣ ମଧ୍ୟରୁ ପଲିଥିନ ଓ ପ୍ଲାଷ୍ଟିକ ଦଉଡ଼ି ଗୋଟିଏ କାରଣ ତାହା ସ୍ପଷ୍ଟ।

କୁମ୍ଭୀର ମୃତ୍ୟୁ ଗୋଟିଏ ଉଦାହରଣ ହୋଇଥିବା ବେଳେ ଏହି ପଲିଥିନ ଓ ପ୍ଲାଷ୍ଟିକ ପାଇଁ ଶହ ଶହ ଜୀବଜନ୍ତୁ ମୃତ୍ୟୁବରଣ କରୁଛନ୍ତି। କୁମ୍ଭୀର ପେଟରୁ ପଲିଥିନ, ପ୍ଲାଷ୍ଟିକ ଦଉଡ଼ି ବାହାରିବା ପରେ ପୁଣି ଭିତରକନିକାରେ ପଲିଥିନ, ପ୍ଲାଷ୍ଟିକ କଟକଣା ପାଇଁ ଦାବି ଉଠିଛି।
ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରୁ ପଲିଥିନ, ପ୍ଲାଷ୍ଟିକ ନିଷେଧ ପାଇଁ ୨୦୧୩ରେ କଟକଣା ଜାରି କରାଯାଇଥିଲା। ସେ ସମୟରେ କିଛିଦିନ ପାଇଁ ଭିତରକନିକା ମଧ୍ୟକୁ ପଲିଥିନ୍‌, ପ୍ଲାଷ୍ଟିକ ବୋତଲ ଛଡ଼ା ଯାଇ ନ ଥିଲା। ଭିତରକନିକାକୁ ବୁଲି ଆସୁଥିବା ପର୍ଯ୍ୟଟକ ଆଣିଥିବା ପଲିଥିନ ତନଖି କରାଯାଇ ଗୋଟ ପାଖରେ ରଖାଯାଉଥିଲା। କାଗଜ ଓ କପଡ଼ା ତିଆରି ବ୍ୟାଗ ଭିତରକୁ ଛଡ଼ାଯାଉଥିଲା। ଏହି କଟକଣା ୨/୩ ମାସ ରହିବା ପରେ ହାକିମ ବଦଳିବା ପରେ ହୁକୁମ ବଦଳି ଯାଇଥିଲା। ଏବେ ଭିତରକନିକା ମଧ୍ୟକୁ ପଲିଥିନ ଅବାଧରେ ଯାଉଛି। ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀ, ନାଳ, ସମୁଦ୍ର ମଧ୍ୟରେ କୁଢ଼ କୁଢ଼ ପ୍ଲାଷ୍ଟିକ, ପଲିଥିନ ଆବର୍ଜନା ଭାସୁଛି। ଭିତରକନିକା ସ୍ଥଳ ଭାଗରେ ଓ ଜଳ ଭାଗରେ ବାସ କରୁଥିବା ଜୀବଜନ୍ତୁ ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ଖାଇ ମୃତ୍ୟୁବରଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଥିବା ବେଳେ ବିରାଟକାୟ କୁମ୍ଭୀର ପେଟରୁ ପଲିଥିନ ଓ ପ୍ଲାଷ୍ଟିକ ଦଉଡ଼ି ବାହାରିବା ପରେ ଏହାକୁ ଆଉ କୌଣସି ପକ୍ଷ ଅସ୍ବୀକାର କରିପାରିବେ ନାହିଁ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ନିଷେଧ କରାଯାଇଛି। ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା (ସଂଶୋଧନ) ନିୟମ ୨୦୨୧ ଅନୁଯାୟୀ ପୁନଃପ୍ରକ୍ରିୟାକରଣ ପଦ୍ଧତିରେ ପ୍ରସ୍ତୁତ ୭୫ ମାଇକ୍ରନରୁ କମ୍‌ (୦.୦୭ ମିଲିମିଟର ମୋଟେଇ) ପ୍ଲ‌ାଷ୍ଟିକ ବ୍ୟାଗ ଉତ୍ପାଦନ, ଆମଦାନୀ, ମହଜୁଦ, ଆବଣ୍ଟନ, ବିକ୍ରି ଓ ବ୍ୟବହାରକୁ ସେପ୍‌ଟେମ୍ବର ୩୦, ୨୦୨୧ରୁ ନିଷେଧ କରାଯାଇଛି। ଏହା ପୂର୍ବରୁ ୫୦ ମାଇକ୍ରନରୁ କମ୍ ମୋଟେଇ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ରୋକ ଲାଗିଥିଲା। ଗତ କିଛି ବର୍ଷ ହେଲା ରାଜ୍ୟରେ ପଲିଥିନ ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ ପାଇଁ କଟକଣା କରାଯାଇଥିଲେ ମଧ୍ୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ତାହା ଫଳପ୍ରଦ ହୋଇପାରିନାହିଁ। ପ୍ଲାଷ୍ଟିକ୍ ପଦାର୍ଥ ଦ୍ବାରା ଖାଦ୍ୟ, ଜଳ ଓ ବାୟୁ ମାଧ୍ୟମରେ ମଣିଷ ଓ ପଶୁଙ୍କ ଶରୀରରେ କର୍କଟ ଓ ହୃଦ୍‌ରୋଗ ପରି ଜଟିଳ ରୋଗ ଦେଖା‌ଯାଉଥିବା ବେଳେ ଏହା ଜୈବ ବିବିଧତାକୁ ସଂପୂର୍ଣ୍ଣ ବିଗାଡ଼ି ଦେଲାଣି। କେବେ ରାଜ୍ୟରେ ପଲିଥିନ କଟକଣା କଡ଼ାକଡ଼ି ହେବ ଓ ଭିତରକନିକା ଜାତୀୟ ଉଦ୍ୟାନ ପଲିଥିନ, ପ୍ଲାଷ୍ଟିକ୍‌ମୁକ୍ତ ହେବ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର