ପଟ୍ଟାମୁଣ୍ତାଇରେ ସଦର ଥାନା କେବେ? ପୁଲିସ ସେବା ଅପହଞ୍ଚ

ପଡିରହିଛି ଶହଶହ ମାମଲା, ଆଜବେଷ୍ଟସ ଘରେ ଆଦର୍ଶ ଥାନା

ପଟ୍ଟାମୁଣ୍ତାଇ: କିଛିବର୍ଷ ତଳେ ଜିଲ୍ଲା ସବୁ ଥାନାକୁ ଭାଗ କରାଯାଇ ଦୁଇଟି ଥାନା ପ୍ରତିଷ୍ଠା କରାଗଲା। ମାତ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଅଦ୍ୟାବଧି ପଟ୍ଟାମୁଣ୍ତାଇ ଥାନାକୁ ଦୁଇଟି ଥାନା କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ନାଲିଫିତା ତଳେ ରହିଛି। ପଟ୍ଟାମୁଣ୍ତାଇ ସଦର ଥାନା କରିବା ପାଇଁ ପଟ୍ଟାମୁଣ୍ତାଇ-ରାଜନଗର ବସ୍‌ ରାସ୍ତା ଚନ୍ଦନଗରଠାରେ ଜାଗା ଚିହ୍ନଟ କରାଯାଇଥିଲା। ହେଲେ ଥାନା ପ୍ରତିଷ୍ଠା କରାଯାଇ ପାରୁନାହିଁ। ପଟ୍ଟାମୁଣ୍ତାଇ ଆଦର୍ଶ ଥାନା ଏବେ ଗୋଟିଏ ଆଜବେଷ୍ଟସ ଘରେ ଚାଲୁଛି। କର୍ମଚାରୀ ବସିବାକୁ ଯାଗାନାହିଁ। ଆବଶ୍ୟକ କର୍ମଚାରୀ, ଭିତ୍ତିଭୂମି ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଦର୍ଶଥାନାକୁ ଆହାର କେନ୍ଦ୍ର ନିକଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇ ୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଜାଗା ସମସ୍ୟାକୁ ନେଇ ଏହାର ନିର୍ମାଣରେ ବିଳମ୍ବ ଦେଖାଦେଇଛି। କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସମସ୍ୟା ଉପୁଜିବା ସହ ଅଫିସର ବସିବାରେ ସମସ୍ୟା ଦେଖାଦେଇଛି। ପଟ୍ଟାମୁଣ୍ତାଇ ଅଂଚଳରେ ସଦର ଥାନା ପ୍ରତିଷ୍ଠା ପାଇଁ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପଟ୍ଟାମୁଣ୍ତାଇ ଥାନା ଅଂଚଳର ଲୋକ ସଂଖ୍ୟା ହେଉଛି ୨.୫୦ ଲକ୍ଷ । ଲୋକଙ୍କୁ ପୁଲିସ ସେବା ଯୋଗାଇ ଦେବାକୁ ଥାନାରେ ନାହାନ୍ତି ଆବଶ୍ୟକ ଅଫିସର। ଥାନାରେ ୨ଜଣ ଇନ୍‌ସପେକ୍ଟର, ୪ଜଣ ସବ୍ଇନସ୍ପେକ୍ଟର, ୪ ଜଣ ଏଏସଆଇ ଓ ୧୫ଜଣ କନେଷ୍ଟବଳ। ଏହି ୧୫ଜଣ କନଷ୍ଟେବଳଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ ମହିଳା। ଥାନାର ଗୋଟିଏ ପଟରୁ ଅନ୍ୟ ଗୋଟିଏ ପଟର ଲମ୍ବା ହେଉଛି ପାଖାପାଖି ୫୦ କିମି। ଥାନାକୁ ପ୍ରତ୍ୟେକ ଦିନ ପାଖାପାଖି ୫୦ରୁ ଅଧିକ ଏତଲା ଆସିଥାଏ।

ଅଭିଯୁକ୍ତକୁ ଥାନାକୁ ଡକାଇ ଘଟଣା ସଂପର୍କରେ ବୁଝିବାକୁ ପୁଲିସକୁ ୪ରୁ ୫ଦିନ ଲାଗିଥାଏ। ହତ୍ୟା, ଧର୍ଷଣ ଓ ରାହାଜାନି ଘଟଣାରେ ପୁଲିସ ଶୀଘ୍ର ତତ୍ପରତା ଦେଖାଉଥିଲେ ମଧ୍ୟ ଅନ୍ୟ ମାମାଲା ଉପରେ ଗୁରୁତ୍ବ ନ ଥାଏ। ପଟ୍ଟାମୁଣ୍ତାଇ ଥାନା ଅଂଚଳରେ ୩୬ଟି ପଂୟେତ ସହ ଗୋଟିଏ ପୌରପାଳିକା ରହିଛି। କର୍ମଚାରୀ ଅଭାବ ଯୋଗୁ ଥାନାରେ ତଦନ୍ତ ନ ହୋଇ ପ୍ରାୟ ୫ଶହରୁ ଅଧିକ ମାମାଲା ପଡିରହିଛି। ଡକାୟତି ଚୋରି ଓ ସମ୍ବେଦନଶୀଳ ମାମଲାଗୁଡିକର ତଦନ୍ତ ଆଗେଇ ପାରୁ ନାହିଁ। ପଟ୍ଟାମୁଣ୍ତାଇ ଭଳି ଏକ ସମ୍ବେଦନଶୀଳ ଅଂଚଳରେ କର୍ମଚାରୀ ଅଭାବ ଯୋଗୁ ଲୋକେ ପୁଲିସ ସେବାରୁ ବଂଚିତ ହେବା ସହ  ଅସ୍ଥା ମଧ୍ୟ ହରାଉଛନ୍ତି। ପଟ୍ଟାମୁଣ୍ତାଇ ପୌରପରିଷଦକୁ ୩୦ ବର୍ଷ ପୂରିଥିଲେ ମଧ୍ୟ ଏଠାରେ ସହରାଚଂଳ ପୁଲିସ ସେବା ଯୋଗାଇବାରେ ସରକାର ଅଦ୍ୟାବଧି ସକ୍ଷମ ହୋଇନାହାନ୍ତି। ଫଳରେ ଟ୍ରାଫିକ ସମସ୍ୟା ସହ ରାହାଜାନୀ ଓ ଅପରାଧ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ସରକାର ‘ମୋ ସରକାର’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ସାମିଲ କରିଥିଲେ ଥାନାକୁ। ସାଧାରଣ ଲୋକେ କେମିତି ନ୍ୟାୟ ପାଉଛନ୍ତି ବଡବଡିଆ ପୁଲିସ ବାବୁମାନେ ଫୋନ୍‌ ଯୋଗେ ପଚାରିରି ବୁଝିଲେ। ଏହି ଘଟଣା ସହ ଯୋଡି ହେଲା ପଟ୍ଟାମୁଣ୍ତାଇ ଥାନାର ଆଉ ଏକ ଘଟଣା। ଏହି ସମୟରେ ସରକାର ପଟ୍ଟାମୁଣ୍ତାଇ ଥାନାକୁ ମଡେଲ ଥାନା ଭାବେ ଘୋଷଣା କଲେ। ଲୋକଙ୍କ ଭରସା ଆହୁରି ବଢିଗଲା। ମାତ୍ର ଭରସା ପାଣି ଫୋଟକା ପରି ମିଳେଇ ଯାଇଛି। ପଟ୍ଟାମୁଣ୍ତାଇ ଥାନା ଅଂଚଳରେ ପୁଲିସ ସେବା ଲୋକଙ୍କ ପାଇଁ ଅପହଂଚ ହୋଇ ପଡିଛି। ଯେତେ ମୁଣ୍ତ ବାଡେଇଲେ ବି କେହି ଶୁଣୁ ନାହାନ୍ତି।

 

ସମ୍ବନ୍ଧିତ ଖବର