ଗଞ୍ଜାମ ଚାଷୀଙ୍କୁ ବର୍ଷା ହିଁ ସାହା, ମାତ୍ର ୬୦ ହଜାର ହେକ୍ଟର ଜଳସେଚିତ

ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କେବେ? 

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଜୀବନରେଖା ଭାବେ ପରିଚିତ ଋଷିକୁଲ୍ୟା ନଦୀର ପାଣିକୁ ସଦ୍‌ବିନିଯୋଗ କରିପାରୁ ନାହାନ୍ତି ସରକାର। ନଦୀରେ ପ୍ରବାହିତ ହେଉଥିବା ପ୍ରାୟ ୮୦ ପ୍ରତିଶତ ପାଣି ସମୁଦ୍ରରେ ମିଶି ନଷ୍ଟ ହୋଇଯାଉଛି। ଏତେ ବଡ଼ ନଦୀରୁ ଗଞ୍ଜାମ ଜିଲ୍ଲାର ମାତ୍ର ୬୦ହଜାର ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା କରାଯାଇ ପାରିଛି। ଋଷିକୁଲ୍ୟା ନଦୀର ପାଣିର ସୁବିନିଯୋଗ ନିମନ୍ତେ ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କରିବା ପାଇଁ ବିଭିନ୍ନ ଚାଷୀ ସଙ୍ଗଠନ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି। ହେଲେ ଏ ଦିଗରେ ସରକାର ଆନ୍ତରିକତା ଦେଖାଉ ନାହାନ୍ତି। ଏଣୁ ଋଷିକୁଲ୍ୟା ପାଣି ଅଯଥାରେ ନଷ୍ଟ ହେଉଛି। ଏ ଦିଗରେ ସରକାର ଦୃଷ୍ଟି ଦେଇ କିଛି ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ସଂଗଠନଗୁଡ଼ିକ ଦାବି କରିଛନ୍ତି।

ଚଳିତ ଖରିଫ୍ ଋତୁରେ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରେ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ତେବେ ମୋଟ ଚାଷ ଜମି ମଧ୍ୟରୁ ୩ଲକ୍ଷ ୨ହଜାର ୧୦୯ ହେକ୍ଟର୍‌ ଜମିକୁ ବିଭିନ୍ନ ଜଳ ପ୍ରକଳ୍ପ ଦ୍ବାରା ଜଳସେଚନ ବ୍ୟବସ୍ଥା କରାଯାଇଛି। ୧ଲକ୍ଷ ୬ହଜାର ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା ନଥିବା ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଥିବା ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍‌ ଚାଷ ଜମିକୁ ବୃହତ ଓ ମଧ୍ୟମ ଜଳ ପ୍ରକଳ୍ପ ଜରିଆରେ ୧ଲକ୍ଷ ୩୦ହଜାର ହେକ୍ଟର୍‌ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇ ପାରିଛି। ତନ୍ମଧ୍ୟରେ ଋଷିକୁଲ୍ୟା ସିଷ୍ଟମ୍‌ରୁ ଗଞ୍ଜାମ ଜିଲ୍ଲାର ମାତ୍ର ୬୦ହଜାର ୩୫୫ ହେକ୍ଟର୍‌ ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ଜଳ ସମ୍ପଦ ବିଭାଗ ତରଫରୁ ପ୍ରକାଶ।

ସେହିପରି ଘୋଡ଼ାହାଡ଼ ନଦୀରୁ ୭ହଜାର ୭୫୮ ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା ରହିଥିବା ବେଳେ ବାଘୁଆରୁ ୮ହଜାର ୩୬୭ ହେକ୍ଟର୍‌, ଧନେଇରୁ ୪ହଜାର ୫୦୮ ହେକ୍ଟର୍‌, ଜୟମଙ୍ଗଳ କେନାଲ୍‌ରୁ ୭ହଜାର ୩୪୮ ହେକ୍ଟର୍‌, ଡହରୁ ୬ହଜାର ୫୮୦ ହେକ୍ଟର୍‌ ଓ ବାଘଲଟିରୁ ୫ହଜାର ୪୮୮ ହେକ୍ଟର୍‌ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି। ଏହି ସବୁ ଦନୀର ପାଣି ଶେଷରେ ଋଷିକୁଲ୍ୟାରେ ପଡ଼ୁଛି। ୬ଟି ନଦୀର ପାଣି ଋଷିକୁଲ୍ୟାରେ ପ୍ରବାହିତ ହେଉଥିଲେ ସୁଦ୍ଧା ତା’ର ସଦ୍‌ବିନିଯୋଗ କରାଯାଇପାରୁ ନାହିଁ। ଏଣୁ ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କରିବାକୁ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି। ଋଷିକୁଲ୍ୟା ନଦୀର ପାଣି ଉଭୟ ଚାଷ ଓ ପାନୀୟ ଜଳ ଭାବେ ବ୍ୟବହାର ହେଉଛି। କିନ୍ତୁ ଏହାର ସଠିକ୍‌ ପରିଚାଳନା କରାଯାଇପାରୁ ନାହିଁ। ସବୁ ସୁବିଧା ଥାଇ ମଧ୍ୟ ଚାଷୀ ଆବଶ୍ୟକ ପାଣି ପାଉ ନାହାନ୍ତି। ଏଣୁ ଗଞ୍ଜାମ ଜିଲ୍ଲାରେ ଦୋ’ ଫସଲି ଚାଷ ସୁବିଧା ଏବେ ବି ସ୍ବପ୍ନ ହୋଇ ରହିଛି। ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କରି ସେଥିରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଅଧିକାରୀଙ୍କୁ ସ୍ଥାନିତ କରି ଋଷିକୁଲ୍ୟା ନଦୀର ପାଣିକୁ କେମିତି ବ୍ୟବହାର ଉପଯୋଗୀ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ସମ୍ପାଦକ ନାହାକ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନାହିଁ। ଜିଲ୍ଲାରେ ଜଳ ଉତ୍ସର ଅଭାବ ନାହିଁ। ନଦୀ, ନାଳ, ପୋଖରୀ ଭର୍ତ୍ତି ରହିଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ବହୁ ଜଳଉତ୍ସ ପୋତି ହୋଇଗଲାଣି। ଗଞ୍ଜାମ ଜିଲ୍ଲାରେ ଚାଷ ପାଇଁ ପାଣିର ଅଭାବ ଦେଖା ଦେଇଥିବା ବେଳେ ଖରାଦିନରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇ ପଡ଼ୁଛି। ପାନୀୟ ଜଳ ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରକଳ୍ପ ହାତକୁ ନେଉଛନ୍ତି। କିନ୍ତୁ ଚାଷ କାମ ପାଇଁ ସେଭଳି ଉଦ୍ୟମ କରୁ ନଥିବା ଚାଷୀ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଫଳରେ ଗଞ୍ଜାମ ଚାଷୀଙ୍କୁ ଚାଷ ପାଇଁ ବର୍ଷା ପାଣି ହିଁ ସାହା ବୋଲି କୁହାଯାଏ।

ସମ୍ବନ୍ଧିତ ଖବର