ନାଉଗାଁ: ୨୦୨୧ ନଭେମ୍ବରରେ ସାମୁଦ୍ରିକ ଝଡ଼ ‘ଜୱାଦ’ ପ୍ରଭାବରେ ନାଉଗାଁ ବ୍ଲକର ୧୨୪୨ ଚାଷୀଙ୍କର ୨ କୋଟି ୭୯ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିଲା। ନାଉଗାଁ କୃଷି ବିଭାଗ ଓ ରାଜସ୍ବ ବିଭାଗର ମିଳିତ ସର୍ଭେ ପରେ ସରକାରଙ୍କୁ ଏହି ରିପୋର୍ଟ ଦିଆଯାଇଥିଲା। ଇତିମଧ୍ୟରେ ୧୦ ମାସ ବିତିଲାଣି। ଅଥଚ ଚାଷୀଙ୍କୁ କାଣି କଉଡ଼ି ଟିଏ ସହାୟତା ମିଳିନଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ନିକଟରେ ଏହି କ୍ଷୟକ୍ଷତି ବାବଦରେ ଆର୍ଥିକ ସହାୟତା ପହଞ୍ଚିଥିବା କୁହାଯାଉଥିଲେ ହେଁ ତାହା ବଣ୍ଟନ କରାଯାଉନାହିଁ। ଏଣେ ଚଳିତ ମାସ ଲଘୁଚାପ ଜନିତ ବର୍ଷାରେ ଗତ ୭ ଦିନ ଭିତରେ ନାଉଗାଁ ବ୍ଲକର ୬ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ବର୍ଷା ପାଣି ଜମିରହି ବ୍ୟାପକ ତଳି ଓ ରୁଆ ହୋଇଥିବା ଧାନଗଛ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି।
ନାଉଗାଁ, ଜାମୁଗାଁ, ନନ୍ଦିଗ୍ରାମ, ବାଂଶ, ବଛାଳୋ, ଶିଖର, ଓଷକଣା, କୋରୁଅ, ଡାବର, ତିରୁଣା, ଗୋଠଦା, ଅରିଓଦା, ଦହିପାଳ, ଅରଖକୁଦ, ଗଳଦାରି, ସଂସାଇଲୋ, ଡେରିକ ସମେତ ୧୬ଟି ପଞ୍ଚାୟତରେ ହୋଇଥିବା କ୍ଷୟକ୍ଷତିର ତୁରନ୍ତ ଆକଳନ, ଉଦ୍ବୃତ୍ତ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଓ କୃଷି ଋଣ ଛାଡ଼ କରିବାକୁ କୃଷକ ନେତା ଅଶୋକ ସ୍ବାଇଁ, ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, କମ୍ରେଡ ସୁବାସ ସ୍ବାଇଁ, ଯୁବନେତା ସୁନୀଲ ମାଟିଆ, ଅନିଲ ଲେଙ୍କା, ପଦ୍ମଚରଣ ରାଉତ, ଗୋପବନ୍ଧୁ ଅଗ୍ରଗାମୀ ପରିଷଦ ସାଧାରଣ ସମ୍ପାଦକ ସରୋଜ ଲେଙ୍କା ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/BARSHA-1_6.jpg)