କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବୟ˚ଶାସିତ  ମହାବିଦ୍ୟାଳୟ। ରାଜ୍ୟର ସର୍ବବୃହତ୍‌ ସରକାରୀ ଅନୁଦାନ ପ୍ରାପ୍ତ କଲେଜ। ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲେଜ ପ୍ରତି ସରକାରୀ ଅବହେଳାର ସୀମା ନାହିଁ। କେତେବେଳେ ଅଧୢାପକ ନିଯୁକ୍ତିରେ କାଳକ୍ଷେପଣ ନୀତି ତ’ କେବେ ଭିତ୍ତିଭୂମି ବିକାଶରେ ସରକାରୀ ଅନୁଦାନର ଘୋର ଅଭାବ। ଏ ସବୁ ଭିତରେ କେନ୍ଦ୍ରାପଡ଼ା କଲେଜ ପ୍ରତି ସରକାରୀ ଅବହେଳାର ତାଜା ଚିତ୍ର ଏବେ ପିଜି ପାଠ୍ୟକ୍ରମ ଖୋଲିବାକୁ ନେଇ ଆସିଛି। କେନ୍ଦ୍ରାପଡ଼ାଠୁ ପଛରେ ପ୍ରତିଷ୍ଠା ହୋଇଥିବା ଏକାଧିକ କଲେଜକୁ ବିଭିନ୍ନ ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ସାରିଲାଣି। ଅଥଚ, ଚାରି ବର୍ଷ ତଳୁ ଆବେଦନ କରିଥିବା କେନ୍ଦ୍ରାପଡ଼ା କଲେଜକୁ ଏହି ଅନୁମତି ମିଳୁନାହିଁ। ସବୁଠୁ ବଡ଼ କଥା ହେଉଛି, କେନ୍ଦ୍ରାପଡ଼ା କଲେଜ ଦୁଇ ଥର ନାକ୍‌ ଟିମ୍‌ ଦ୍ବାରା ‘ଏ’ ଗ୍ରେଡ୍‌ ମାନ୍ୟତା ହାସଲ କରିଛି। ହେଲେ ଦୁର୍ଭାଗ୍ୟ ଯେ ‘ଏ’ ଗ୍ରେଡ୍‌ ହାସଲ କରିନଥିବା ଏକାଧିକ କଲେଜକୁ ନିକଟ ଅତୀତରେ ପିଜି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିସାରିଥିବା ବେଳେ କେନ୍ଦ୍ରାପଡ଼ା କଲେଜ ପ୍ରତି ବାରମ୍ବାର ଉପେକ୍ଷା ଜିଲ୍ଲାବାସୀ ତଥା ବୁଦ୍ଧିଜୀବୀ ମହଲକୁ ବିଚଳିତ କଲାଣି। ଜିଲ୍ଲାର ବିକାଶ ଦାୟିତ୍ବ ମୁଖ୍ୟମନ୍ତ୍ରୀ ନେବା ପରେ ବି ଶିକ୍ଷା ଭଳି ମୌଳିକ ଅଧିକାର ପ୍ରସଙ୍ଗରେ ଯଦି ସ୍ଥିତି ବଦଳିବ ନାହିଁ ଆଉ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମେତ ପାଞ୍ଚକୁ ପାଞ୍ଚ ବିଜେଡି ବିଧାୟକ ଓ ସା˚ସଦ ଏହି ପ୍ରସଙ୍ଗରେ ଚୁପ୍‌ ରହିବାକୁ ଶ୍ରେୟ ମନେ କରିବେ, ତା’ ହେଲେ ଧରିନେବାକୁ ପଡ଼ିବ ଯେ ବିକାଶ ନାମରେ ଜିଲ୍ଲାବାସୀଙ୍କୁ ଖାଲି ପ୍ରତାରଣା କରାଯାଉଛି।
ପିଜି ପାଠ୍ୟକ୍ରମ ଖୋଲିବା ପ୍ରସଙ୍ଗରେ କେନ୍ଦ୍ରାପଡ଼ାଠୁ କନିଷ୍ଠ ପଡେ଼ାଶୀ ସାଲେପୁର କଲେଜ, କଟକର ୟୁଏନ୍‌ କଲେଜ(ଅଡ଼ଶପୁର), ଗୋବିନ୍ଦପୁର କଲେଜ(କଟକ), ଯାଜପୁରର ଚିତାଳ କଲେଜ ଆଦିକୁ ଉଦାହରଣ ଭାବେ ନିଆଯାଉ। ଏ ସବୁ କଲେଜ କେନ୍ଦ୍ରାପଡ଼ା କଲେଜ ପଛରେ ପ୍ରତିଷ୍ଠା ହୋଇଛି। ହେଲେ ଏ ସବୁ କଲେଜରେ ପିଜି ପାଠ୍ୟକ୍ରମ ଖୋଲି ସାରିଲାଣି। ୧୯୬୪ମସିହାରେ ପ୍ରତିଷ୍ଠା ହୋଇଥିବା ସାଲେପୁର କଲେଜକୁ ଗତ ଅଗଷ୍ଟ ୨୦ତାରିଖରେ ଚାରିଟି ବିଷୟ ରସାୟନ ବିଜ୍ଞାନ, ଗଣିତ, ଶିକ୍ଷା ଓ ସ˚ସ୍କୃତରେ ପିଜି ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗ ଅନୁମତି ଦେଇଛି। ସେହିପରି ୧୯୮୨ମସିହାରେ ପ୍ରତିଷ୍ଠା ହୋଇଥିବା ଅଡ଼ଶପୁରର ୟୁ.ଏନ୍‌ କଲେଜରେ ବହୁ ପୂର୍ବରୁ ପ୍ରାୟ ସବୁ ବିଷୟରେ ପିଜି ସୁବିଧା ଉପଲବ୍ଧ ଥିବା ବେଳେ ୧୯୯୦ରେ ତିଆରି ଗୋବିନ୍ଦପୁର କଲେଜକୁ ତିନି ବର୍ଷ ତଳୁ ଏ ଅନୁମତି ମିଳିଛି। ଯାଜପୁରର ଚିତାଳ କଲେଜ ବି ଏହି ସୁବିଧା ହାସଲ କରିସାରିଛି।

Advertisment

ହେଲେ ୨୦୧୮, ନଭେମ୍ବର ୨୯ତାରିଖରୁ କେନ୍ଦ୍ରାପଡ଼ା କଲେଜ କର୍ତୃପକ୍ଷ ସାତଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଆବେଦନ କରିଥିଲେ ବି ଏଯାଏ ଅନୁମତି ମିଳିଲା ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କଲେଜର ଏହି ପ୍ରସ୍ତାବକୁ ଉଚ୍ଚକ୍ଷମତା ସ˚ପନ୍ନ କମିଟି ୨୦୧୯, ଡିସେମ୍ବର ୧୧ତାରିଖରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଗ୍ରହଣ କରିନେବା ପରେ ଏକ ଯୁଗ୍ମ କମିଟି ଆସି କଲେଜ ଭିତ୍ତିଭୂମି ଅନୁଧୢାନ କରିଥିଲା। ୨୦୨୦, ଜାନୁଆରୀ ୨୨ତାରିଖରେ କମିଟି ଅନୁଧୢାନ କରି ରିପୋର୍ଟ ଦେଇଥିଲା। କିନ୍ତୁ ଇତିମଧୢରେ ଦୁଇ ବର୍ଷ ବିତି ଯାଇଥିଲେ ବି ଏଯାଏ ଇ˚ରାଜୀ, ଓଡ଼ିଆ, ଅର୍ଥନୀତି, ରାଜନୀତି ବିଜ୍ଞାନ, ହିନ୍ଦୀ, ଏମ୍‌.କମ୍‌(ଇନକମ ଟ୍ୟାକ୍ସ) ଏବ˚ ପଦାର୍ଥ ବିଜ୍ଞାନ ବିଷୟରେ ପିଜି ପାଠ୍ୟକ୍ରମ ଆବେଦନ କାଗଜକଲମରେ ସୀମିତ ରହିଯାଇଛି। ପ୍ରତି ବିଷୟରେ ୩୨ଟି ଲେଖାଏ ସିଟି ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲେ ହେଁ, ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ରାପଡ଼ା କଲେଜର ଏ ଆବେଦନକୁ କାହିଁକି ବିଚାରକୁ ନେଉନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ୨୦୧୮-୧୯ରେ ଖୋଲିଥିବା ୧୬ସିଟ୍‌ ବିଶିଷ୍ଟ ସୋସିଓଲୋଜି ବିଷୟ ପରଠୁ ଆଉ ପିଜି ପାଠ୍ୟକ୍ରମ ଆଗକୁ ବଢ଼ିପାରୁନାହିଁ। ୬୩ବର୍ଷର ପୁରୁଣା ଏହି କଲେଜର ଗୁଣାତ୍ମକ ଶିକ୍ଷାକୁ ନେଇ ସାରା ରାଜ୍ୟରେ ସୁନାମ ରହିଛି। ଲଗାତର ଦୁଇ ଥର ନାକ୍‌ ଟିମ୍‌ ଦ୍ବାରା ‘ଏ’ ଗ୍ରେଡ୍‌ ହାସଲ କରିଛି। ହେଲେ ବିଡ଼ମ୍ବନର ବିଷୟ ହେଉଛି, ଉପରୋକ୍ତ ଯେତୋଟି ବି କଲେଜରେ ପିଜି ପାଠ୍ୟକ୍ରମ ଖୋଲିଛି, ସେଥିମଧୢରୁ ଗୋଟିଏ ବି କଲେଜ ‘ଏ’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହେଇନାହିଁ।

ପଡେ଼ାଶୀ ସାଲେପୁର କଲେଜର ‘ବି’ ଗ୍ରେଡ୍‌ ମାନ୍ୟତା ଥାଇ ବି ପିଜି ଅନୁମତି ମିଳୁଥିବା ବେଳେ କେନ୍ଦ୍ରାପଡ଼ାକୁ ବାରମ୍ବାର ଉପେକ୍ଷା ପରୋକ୍ଷରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ସୂଚାଉଛି। ନିକଟରେ ଗତ ଅଗଷ୍ଟ ୨୩ତାରିଖରେ ଆଉ ଥରେ କଲେଜ ଅଧୢକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ପ୍ରସଙ୍ଗରେ ଚିଠି ଲେଖି ଉଚ୍ଚ ଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ଏଭଳି ସ୍ଥିତିରେ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ‘କୃତଜ୍ଞତା ସଭା’ କରି ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରୁଥିବା ଶାସକ ବିଜେଡିର ଲୋକ ପ୍ରତିନିଧି ମାନେ କେବେ ପିଜି ପାଠ୍ୟକ୍ରମ କେନ୍ଦ୍ରାପଡ଼ା କଲେଜରେ ଚାରି ବର୍ଷ ହେଲା ଖୋଲି ପାରୁନଥିବା ବିଷୟରେ ସମୀକ୍ଷା କରିଛନ୍ତି କି? କେବେ ଥରୁଟିଏ ଜଡ଼ିତ ଏହି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି? ହଜାର ହଜାର ପିଲାଙ୍କ ଭବିଷ୍ୟତ ସହିତ ଜଡ଼ିତ ଶିକ୍ଷା ପ୍ରସଙ୍ଗରେ ଯଦି ନେତା ମାନେ ମୁହଁ ଖୋଲିବେ ନାହିଁ, ତା’ ହେଲେ ଆଉ କେବେ ପାଟି ଫିଟିବ? ଏମିତିରେ ଯେଉଁଠି ଆବେଦନର ଚାରି ବର୍ଷ ପରେ ବି ପିଜି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳୁନାହିଁ, ସେଠି ବିରୋଧୀଙ୍କ ବିଶ୍ବବିଦ୍ୟାଳୟ ଦାବି କେତେଦୂର ପୂରଣ ହେବ, ତାହା ସମୟ ହିଁ କହିବ।