‘ବିକ୍ରମଦେବ’କୁ ମାନ୍ୟତା; କେନ୍ଦ୍ରାପଡ଼ାକୁ କେବେ?

‘ଏ’ ଗ୍ରେଡ୍‌ ମାନ୍ୟତା ସହ ୧୦ଟି ବିଷୟରେ ଅଛି ପିଜି, ଦାବି ପୂରଣ ପାଇଁ ହେଇଛି ଆନ୍ଦୋଳନ; କର୍ତୃପକ୍ଷ ଲେଖିଛନ୍ତି ଚିଠି

କେନ୍ଦ୍ରାପଡ଼ା: କୋରାପୁଟ ଜୟପୁରସ୍ଥିତ ବିକ୍ରମଦେବ ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସ˚ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି। କିନ୍ତୁ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିଲେ ମଧୢ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଜିଲ୍ଲାବାସୀଙ୍କ ମଧୢରେ ଅସନ୍ତୋଷର କାରଣ ହୋଇଛି। ଏ କଥା ନୁହେଁ ଯେ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇ ଦାବି ଜଣାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଶିକ୍ଷାମନ୍ତ୍ରୀଙ୍କ ଯାଏ ବିଭିନ୍ନ ସମୟରେ ଚିଠି ଲେଖାଯିବା ସହିତ ଏକାଧିକବାର ଆନ୍ଦୋଳନ ବି କରାଯାଇଛି। ଏହାସତ୍ତ୍ବେ ଦାବି ପୂରଣ ନ ହେବା କେନ୍ଦ୍ରାପଡ଼ା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପରିଚୟ ବୋଲି ସାଧାରଣରେ ଅଭିଯୋଗ ହେଉଛି।\ ରାଜ୍ୟର ସର୍ବବୃହତ୍‌ ସରକାରୀ ଅନୁଦାନପ୍ରାପ୍ତ କଲେଜ ହେଉଛି କେନ୍ଦ୍ରାପଡ଼ା। ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲେଜର ସାରା ରାଜ୍ୟରେ ସୁନାମ ଓ ସ୍ବତନ୍ତ୍ରତା ରହିଛି। ଜିଲ୍ଲାର ସର୍ବବୃହତ୍‌ କଲେଜ ହୋଇଥିବା ବେଳେ ପା˚ଚ ହଜାରରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ବିଶାଳ କ୍ୟାମ୍ପସ୍‌ ସା˚ଗକୁ ଅତ୍ୟାଧୁନିକ ଲାଇବ୍ରେରୀ, ଇଣ୍ତୋର‌୍‌ ଓ ଆଉଟଡୋର‌୍‌ ଷ୍ଟାଡିୟମ୍‌ ରହିଛି। ୨୦୦୬ରୁ କଲେଜକୁ ସ୍ବୟ˚ଶାସିତ ମାନ୍ୟତା ମିଳିଥିବା ବେଳେ ଲଗାତର ଦୁଇ ଦୁଇ ଥର ନାକ୍‌ ଟିମ୍‌ ଦ୍ବାରା ‘ଏ’ ଗ୍ରେଡ୍‌ ମାନ୍ୟତା ବି ହାସଲ କରିଛି। ୧୦ଟି ବିଷୟରେ ପିଜି ପାଠ୍ୟକ୍ରମ ମଧୢ ଖୋଲି ସାରିଛି। କେବଳ କେନ୍ଦ୍ରାପଡ଼ା ଜିଲ୍ଳା କାହିଁକି; ପଡେ଼ାଶୀ ଜଗତସି˚ହପୁର, ଯାଜପୁର, କଟକ, ଭଦ୍ରକ ଜିଲ୍ଲାରୁ ପିଲା ମାନେ ଏଠାରେ ପଢ଼ୁଛନ୍ତି। ଗୁଣାତ୍ମକ ପାଠପଢ଼ା ପାଇଁ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହିସାବରେ କେନ୍ଦ୍ରାପଡ଼ାର ନାଁ ଥିଲେ ମଧୢ ବିଭିନ୍ନ କ୍ଷେତ୍ରରେ ସରକାରୀ ଅବହେଳା କଲେଜ ପାଇଁ ସମସ୍ୟା ସୃଷ୍ଟି କରୁଛି।

ଏଇ ଯେମିତି ପିଜି ପାଠ୍ୟକ୍ରମ ଖୋଲିବା କ୍ଷେତ୍ରରେ ବିଳମ୍ବ। ପିଜି ଖୋଲିବା ପାଇଁ କଲେଜ କର୍ତୃପକ୍ଷଙ୍କୁ ଆବେଦନ ପରେ ଚାରି ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ବହୁବାର ଚିଠି ଏବ˚ ଗଣମାଧୢମରେ ଖବର ପ୍ରକାଶ ପରେ କଲେଜରେ ବର୍ତ୍ତମାନ ସୋସିଓଲୋଜି, ଅର୍ଥନୀତି, ରାଜନୀତି ବିଜ୍ଞାନ, ବାଣିଜ୍ୟ, ପଦାର୍ଥ ବିଜ୍ଞାନ, ଓଡ଼ିଆ, ମନସ୍ତତ୍ତ୍ବ, ଶିକ୍ଷା, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଆଦି ବିଷୟରେ ପିଲା ମାନେ ପିଜି କରିବାର ସୁବିଧା ରହିଛି। ମୋଟ ଉପରେ ସବୁପ୍ରକାର ସୁବିଧା ତଥା ଯୋଗ୍ୟତା ଥାଇ ସୁଦ୍ଧା ବିଶ୍ବବିଦ୍ୟାଳୟ ଦାବି ପ୍ରତି ସରକାର ଅଣଦେଖା କରିବା ଜିଲ୍ଳାବାସୀଙ୍କ ମଧୢରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଛି। ୬୩ବର୍ଷର ପୁରୁଣା କେନ୍ଦ୍ରାପଡ଼ା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିପାରିବ ନାହିଁ, ତା’ହେଲେ ଆଉ କେବେ ମିଳିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ବଡ଼ କଥା ହେଉଛି, ଆଜି ଯେଉଁ ଜୟପୁରର ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ନିଷ୍ପତ୍ତି ହେଲା, ସେହି କଲେଜକୁ ସ୍ବୟ˚ଶାସିତ ମାନ୍ୟତା ୨୦୦୪ମସିହାରେ ମିଳିଥିଲା। କେନ୍ଦ୍ରାପଡ଼ାକୁ ମିଳିଛି ୨୦୦୬ରେ। ଅର୍ଥାତ୍‌ ଦୁଇ ବର୍ଷ ଆଗରୁ। ସେହିପରି ନାକ୍‌ ଟିମ୍‌ ଦ୍ବାରା ବିକ୍ରମ ଦେବ କଲେଜ ‘ବି’ ଗ୍ରେଡ୍‌ ମାନ୍ୟତା ମିଳିଥିବା ବେଳେ କେନ୍ଦ୍ରାପଡ଼ାକୁ କିନ୍ତୁ ଲଗାତର ମିଳିଛି ‘ଏ’ ଗ୍ରେଡ୍‌। ଏପରିକି କଲେଜ କର୍ତୃପକ୍ଷ, ପୁରାତନ ଛାତ୍ର ସ˚ଘଠୁ ଆରମ୍ଭ କରି ବିରୋଧୀ ରାଜନୈତିକ, ବୁଦ୍ଧିଜୀବୀଙ୍କ ଯାଏ ସମସ୍ତେ ବିଶ୍ବବିଦ୍ୟାଳୟ ପାଇଁ ଚିଠି ଲେଖିଛନ୍ତି। କିନ୍ତୁ ଯୋଗ୍ୟତା କ୍ଷେତ୍ରରେ ଆଗରେ ଥାଇ ବି କେନ୍ଦ୍ରାପଡ଼ା କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବା ଦାବିକୁ ବିଚାର ପରିସରଭୁକ୍ତ କରାନଯିବା ପରିତାପର ବିଷୟ ହୋଇଛି। କଲେଜ ଅଧୢକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା କହିବା କଥା ହେଉଛି ଏ ସ˚କ୍ରାନ୍ତରେ ପୂର୍ବରୁ ଏକାଧିକବାର ଚିଠି ଲେଖାଯାଇଛି। ବିଶ୍ବବିଦ୍ୟାଳୟ ପାଇଁ ଯାହା ଦରକାର, କଲେଜରେ ସେହିଭଳି ଭିତ୍ତିଭୂମି ରହିଛି।

କେବେ ଶୁଣିବେ ସରକାର?

ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଯାଇଛି
କେନ୍ଦ୍ରାପଡ଼ା କଲେଜକୁ ବିଶ୍ବବିଦ୍ୟାଳୟ କରାଯିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଯାଇଛି। ସେ ଏ ବାବଦରେ ଅବଗତ ଅଛନ୍ତି। ଜିଲ୍ଲାର ବିକାଶ ପ୍ରତି ତାଙ୍କର ସ୍ବତନ୍ତ୍ର ଦୃଷ୍ଟି ଅଛି। ଠିକ୍‌ ସମୟରେ ଏ ଦିଗରେ ଉପଯୁକ୍ତ ନିଷ୍ପତ୍ତି ନେବେ।
ଅତନ୍ୟୁ ସାବ୍ୟସାଚ୍ଚୀ ନାୟକ, କ୍ୟାବିନେଟ୍‌ ମନ୍ତ୍ରୀ
ଆନ୍ଦୋଳନ ଜୋରଦାର ହେବ

ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ କରାଯିବାରେ ଆମର କିଛି ଆପତ୍ତି ନାହିଁ। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କେନ୍ଦ୍ରାପଡ଼ାକୁ ବି ବିଶ୍ବବିଦ୍ୟାଳୟ ମାନ୍ୟତା ମିଳୁ। ଏଥିସକାଶେ କ˚ଗ୍ରେସ ଦୁଇ ଥର ଆନ୍ଦୋଳନ କରାଯାଇଛି। ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଯାଇଛି। ସବୁ ଯୋଗ୍ୟତା ଥାଇ କେନ୍ଦ୍ରାପଡ଼ା କଲେଜ ପ୍ରତି ସରକାର ଅବହେଳା କରିବା ଆଦୌ ଗ୍ରହଣୀୟ ହେଉନି। ସରକାର ଦାବି ନ ମାନିଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର‌୍‌ କରାଯିବ।
ଗଣେଶ୍ବର ବେହେରା, ବରିଷ୍ଠ କ˚ଗ୍ରେସ ନେତା

ଅବହେଳାର ଆଉ ଏକ ନମୁନା
କେନ୍ଦ୍ରାପଡ଼ାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନରେ କ୍ଷେତ୍ରରେ ଆଜି ପଡେ଼ାଶୀ ଜିଲ୍ଳା ତୁଳନାରେ ଆମ ଜିଲ୍ଲା ପଛୁଆ। ମେଡିକାଲ୍‌ କଲେଜ ପଡେ଼ାଶୀ ଜିଲ୍ଳାରେ ହେଲା। ଅଥଚ ଆମର ହେଲା ନାହିଁ। କେନ୍ଦ୍ରାପଡ଼ା କଲେଜକୁ ବିଶ୍ବବିଦ୍ୟାଳୟ କରିବା ସହିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ୍‌ କରିବା ପାଇଁ ଦୀର୍ଘ ଦିନ ହେବ ଆମେ ଦାବି କରି ଆସୁଛି। କିନ୍ତୁ ସରକାର ଶୁଣୁନାହାନ୍ତି। ଆଗାମୀ ଦିନରେ ଜିଲ୍ଳାବାସୀ ଜନ ଅଦାଲତରେ ଏହାର ବିଚାର କରିବେ।
ଭୁବନ ଜେନା, ବରିଷ୍ଠ ବିଜେପି ନେତା

ସମ୍ବନ୍ଧିତ ଖବର