ଭଞ୍ଜନଗର: କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନାପୀଠ କୁଲାଡ଼ର ମା’ବାଗ୍ଦେବୀ ପୀଠ। ଘୁମୁସର ମାଟିର ଐତିହ୍ୟ, ପରମ୍ପରା ଓ ପ୍ରାଚୀନ ସଂସ୍କୃତିର ଗୌରବ ଗାଥା ବହନ କରୁଥିବା ଏହି ପୀଠ ପର୍ଯ୍ୟଟକଙ୍କୁ ୧୨ ମାସ ଧରି ଆକର୍ଷିତ କରିଥାଏ। କିନ୍ତୁ ଦୁଃଖର ବିଷୟ ହେଉଛି, ସବୁଜିମା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୀଠ ଯେମିତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ସଂପ୍ରତି ରାଜ୍ୟର ବିଭିନ୍ନ ପ୍ରାଚୀନ ମନ୍ଦିର ଓ ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ରୂପାନ୍ତରଣ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଯେଉଁଥିରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ମଧ୍ୟ ସାମିଲ ହୋଇଛି। ସେହିପରି ଶେରଗଡ଼ର କିଛି ମନ୍ଦିରକୁ ମଧ୍ୟ ରୂପାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ କୁଲାଡ଼ର ଏହି ପ୍ରାଚୀନ ପୀଠକୁ ରୂପାନ୍ତରଣରୁ ବଞ୍ଚିତ କରାଯିବାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। କାରଣ ଆଜି ପର୍ଯ୍ୟନ୍ତି ଏହି ପୀଠରେ ଆଖିଦୃଶିଆ ଉନ୍ନତି ହୋଇପାରୁନି।
ଭଞ୍ଜନଗର ସହର ଠାରୁ ମାତ୍ର ୮ କିମି ଦୂରରେ ଏହି ପୀଠ ରହିଛି। ଏକ ପାହାଡ଼ ଉପର ପଥର କୋରଡ଼ରେ ଦେବୀଙ୍କ ଆସ୍ଥାନ ରହିଛି। ଦେବୀଙ୍କୁ ଦର୍ଶନ କରିବାକୁ ହେଲେ ୨୮୬ ଟି ପାହାଚ ଚଢ଼ିବାକୁ ପଡ଼େ। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପାହାଚ ସମେତ ମନ୍ଦିର ବେଢ଼ା, ଯଜ୍ଞମଣ୍ଡପ ଓ ରୋଷେଇଶାଳ ଆଦି ନିର୍ମାଣ ହୋଇଛି। ଏଥିସହ ମନ୍ଦିର ପାର୍ଶ୍ବରେ ପ୍ରଭୁ ଶ୍ରୀ ଗଣେଶ ଓ ଦେବୀ ସରସ୍ବତୀଙ୍କ ମଧ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ମଧ୍ୟ ଶୋଭା ପାଉଛି। ପୀଠକୁ ପ୍ରାକୃତିକ ସବୁଜିମା ଘେରି ରହିଛି।
/sambad/media/post_attachments/wp-content/uploads/2023/07/9-10.jpg)
କିନ୍ତୁ ଏହି ପ୍ରାଚୀନ କୀର୍ତ୍ତିରାଜିକୁ ସରକାରୀସ୍ତରରେ ଗୁରୁତ୍ବ ଦିଆଯାଉ ନଥିବା ଅଭିଯୋଗ ହୋଇଛି।। ଅନେକ ବର୍ଷ ପୂର୍ବେ ଏକ ଅଣଓସାରିଆ ରାସ୍ତା ନିର୍ମାଣ ହୋଇଛି। ଉପରକୁ ଯିବା ପାଇଁ ବିକଳ୍ପ ଭାବେ ରୋପୱେର ଆବଶ୍ୟକତା ରହିଛି। ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗରେ ଦୈନିକ ଭୋଗରାଗ ହେଉଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଗନ୍ନାଥ ମନ୍ଦିର ପଛପାଖରେ ୫୦ ଲକ୍ଷ ଟଙ୍କା ବ୍ୟୟରେ କେବଳ ଏକ ପାନ୍ଥନିବାସ ନିର୍ମାଣ କରାଯାଇଛି। ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବା ବେଳେ ଦଶହରା ସମୟରେ ମୟୂରଭଞ୍ଜରୁ ରାଜା ଆସି ମହାସପ୍ତମୀ ଓ ଅଷ୍ଟମୀ ପୂଜା ଏଠାରେ କରିଥାନ୍ତି। ସଂପ୍ରତି ରାଜ୍ୟ ସରକାର ୫-ଟି ଜରିଆରେ ରାଜ୍ୟର ବିଭିନ୍ନ ଐତିହ୍ୟସମ୍ପନ୍ନ ପୀଠର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଛନ୍ତି। ଏହିକ୍ରମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନାପୀଠର ମଧ୍ୟ ବିକାଶ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/8-11.jpg)