ଭଞ୍ଜନଗର: ଦିନର କୋଳାହଳ ପରେ ରାତିର ଶୂନଶାନରେ ମୁଣ୍ଡ ଗୁଞ୍ଜିବା ପାଇଁ ଖୋଜାପଡେ ଦୋକାନ ପିଣ୍ଡି କିମ୍ବା ଘର ବାରଣ୍ଡା। ବର୍ତ୍ତମାନ ରାତି ବଢିବା ସହ ଶୀତର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି। ଏହି ଶୀତ ରାତିରେ ୪ ହାତ ଚାଦରରେ ନିଜକୁ ସାଉଁଟି ରଖିବାକୁ ଚାଲେ ଅନବରତ ପ୍ରୟାଶ। ଖୋଲା ଯାଗାରେ ଯେତେ ଚେଷ୍ଟା କଲେ ମଧ୍ୟ ଶୀତର ପ୍ରକୋପରୁ ନିଜକୁ ରକ୍ଷା କରିବା ଏକ ପ୍ରକାର ଅସମ୍ଭବ ହୋଇଥିଲେ ମଧ୍ୟ ଯେଣେତେଣେ ରାତି କଟାଇବା ପାଇଁ ଚାଲେ ସଂର୍ଘଷ। ଏହା ଦିନେ କିମ୍ବା ଦୁଇ ଦିନର ନୁହେଁ ଭଞ୍ଜନଗର ସହରର ପ୍ରତିଦିନର ଦୃଶ୍ୟ। ଗରୀବ ଅସହାୟ ତଥା ମାନିସିକ ବିକଳାଙ୍ଗ ମାନଙ୍କ ରାତ୍ରୀ ଯାପନ କରିବା ନିମନ୍ତେ ନିର୍ଦ୍ଧିଷ୍ଟ କୌଣସି ଘର ନଥିବାରୁ ଦୋକାନ ପିଣ୍ଡି ଓ ଘର ବାରଣ୍ଡା ଏମାନଙ୍କ ରାତ୍ରୀ ଯାପନ କରିବାର ଏକ ମାତ୍ର ରାହା ପାଲଟିଥିବା ଦେଖିବାକୁ ମିଳିଛି। ସେହିପରି ଛୋଟ ମୋଟ ବ୍ୟବସାୟ କରିବାକୁ ସହର ଆସୁଥିବା ବ୍ୟବସାୟୀ ମାନଙ୍କ ମଧ୍ୟ ସମାନ ଅବସ୍ଥା। ଯଦି କୌଣସି କାରଣ ବଶତଃ ଘରକୁ ଫେରି ନହୁଏ ବାଧ୍ୟ ହୋଇ କାହାର ପିଣ୍ଡାରେ ନିଜ ଜିନିଷ ସହ ଆଶ୍ରୟ ନେବାକୁ ବାଧ୍ୟ ହୋଇଥାନ୍ତି। ଅନେକ ଲୋକ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ସେମାନଙ୍କ ରାତ୍ରୀ ଯାପନ ପାଇଁ ଗୋଟିଏ ମଧ୍ୟ ରାତ୍ରୀ ଆଶ୍ରୟସ୍ଥଳୀ ନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ପ୍ରମୁଖ ସ୍ଥାନ ମଧ୍ୟରେ ଭଞ୍ଜନଗର ସହରର ଗୁରୁତ୍ବ ବହୁତ ରହିଛି। ଏଠାରେ ପ୍ରତିଦିନ ବହୁ ଗରୀବ ଅସହାୟ ତଥା ନିରାଶ୍ରୟ ଲୋକ ମାନେ ବୁଲୁଥିବା ଦେଖିବାକୁ ମିଳେ। ଦିନସାରା ଯେଣେତେଣେ ଦିନ କଟି ଯାଉଥିବା ବେଳେ ରାତିର ଶୂନଶାନ ଭିତରେ ଖୋଜା ଆରମ୍ଭ ହୁଏ ଆଶ୍ରୟ ପାଇଁ ଜାଗା। ବହୁ ବୁଲା ବେପାରି ମଧ୍ୟ ଦୂର ଦୂରାନ୍ତରୁ ଆସି ଘର ଘର ବୁଲି ସାମଗ୍ରୀ ବିକ୍ରି କରିଥାନ୍ତି। ଆର୍ଥିକ ଅଭାବକୁ ବ୍ୟବସାୟିକ ସାମଗ୍ରୀକୁ ନିଜ ମୁଣ୍ଡରେ ଧରି ସହରକୁ ଆସିଥାନ୍ତି।
ଏଠାରେ ପନିପରିବା ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ଖେଳନା, ଶୀତବସ୍ତ୍ର, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ମାଟି ନିର୍ମିତ ସାମଗ୍ରୀ, ଝାଡୁ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ବିକ୍ରି କରିଥାନ୍ତି। ଦିନସାରା ଖରାରେ ବୁଲି ବୁଲି ଜିନିଷ ବିକ୍ରି କରିବା ପାଇଁ ଲାଗି ପଡନ୍ତି। ଯେଉଁ ଦିନ ଭଲ ବିକ୍ରି ହୋଇଯାଏ ସେଦିନ ସେହି ଟଙ୍କାକୁ ନେଇ ଘରକୁ ଫେରନ୍ତି। କିନ୍ତୁ ଯେଉଁଦିନ ଜିନିଷ ବିକ୍ରି ହୋଇନଥାଏ ବଳକା ସାମଗ୍ରୀକୁ ଧରି ସେଦିନ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଯେଉଁ ସାମଗ୍ରୀ ସରି ନଥାଏ ତାହାକୁ ନେଇ ଗାଁକୁ ଫେରିବା ପୁଣି ପରଦିନ ସକାଳୁ ବିକ୍ରି ପାଇଁ ସହରକୁ ଆସିବା କଷ୍ଟକର ବ୍ୟାପାର ହୋଇପଡେ। ଦୂର ଦୂରାନ୍ତ ଗାଁରୁ ଆସିଥିବା ବେପାରୀ ନିକଟରେ ଟଙ୍କାର ଅଭାବରୁ ଗାଁକୁ ସାମଗ୍ରୀ ନେଇ ପୁଣି ସକାଳୁ ବିକ୍ରି ପାଇଁ ଆସିବା ସମ୍ଭବ ହୋଇ ନଥାଏ। ତେଣୁ ସେମାନେ ବାଧ୍ୟ ହୋଇ ଦୋକାନ ପିଣ୍ଡି କିମ୍ବା ସରକାରୀ ଅନୁଷ୍ଠାନ ସମ୍ମୁଖର ଆଶ୍ରୟ ନେଇଥାନ୍ତି। ବହୁ ଲୋକ ବସଷ୍ଟାଣ୍ଡରେ ମଧ୍ୟ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ ବହୁ ଗରୀବ ଅସହାୟ ମାନଙ୍କ ନିମନ୍ତେ ବହୁ ଯୋଜନା କରାଯାଉଥିବା ବେଳେ ସହରକୁ ଆସୁଥିବା ନିରାଶ୍ରୟ ମାନଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ ଟିଏ ନଥିବାରୁ ଶୀତ କାକରରେ ରାତି କଟାଇବା ବହୁ କଷ୍ଟସାଧ୍ୟ ହୋଇ ପଡୁଥିବା ଦେଖିବାକୁ ମିଳୁଛି। ଫଳରେ କାହାର ଘର ପିଣ୍ଡାରେ କିମ୍ବା ମେଡିକାଲରେ ପ୍ରତୀକ୍ଷା ସ୍ଥଳରେ ବସି ରାତି କାଟୁଛନ୍ତି। କେବଳ ଯେ ବୁଲା ବିକାଳି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ନୁହେଁ ବହୁ ଶ୍ରମିକଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି।