ପଟ୍ଟାମୁଣ୍ତାଇ: କେବେ ବଦଳିବ ପଟ୍ଟାମୁଣ୍ତାଇ ସହରର ରୂପରେଖ। ସହରର କଚେରି ପୋଖରୀ ପୁନରୁଦ୍ଧାର ହେବା ସହ ସହର ସୌନ୍ଦର୍ଯ୍ୟକରଣ, ରାସ୍ତାଘାଟ ଓ ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ହେବ ? ସହରବାସୀ ଦୀର୍ଘ ବର୍ଷ ହେଲା ଏହି ପ୍ରଶ୍ନ ପଚାରି ଚାଲିଛନ୍ତି। ଏହାର ଉତ୍ତର ସରକାରୀ ନାଲିଫିତା ତଳେ ରହିଯାଇଛି। ସହରର ମୁଖ୍ୟ ସମସ୍ୟାଗୁଡିକ ମେଗା ପ୍ରକଳ୍ପରେ ସାମିଲ ହୋଇଛି। ଏହାର ଚୂଡାନ୍ତ ରୂପରେଖ କିନ୍ତୁ ପ୍ରସ୍ତୁତ ହୋଇପାରିଲା ନାହିଁ। ବିଧାୟକ ଭାବରେ ଧ୍ରୁବ ସାହୁ ନିର୍ବାଚିତ ହେବା ପରେ ପଟ୍ଟାମୁଣ୍ତାଇର ଏହି ସମସ୍ୟାଗୁଡିକୁ ମେଗା ପ୍ରକଳ୍ପରେ ସାମିଲ କରାଯାଇଥିଲା। ପ୍ରକଳ୍ପଗୁଡିକ ସରକାରୀ ଅନୁମ‌ୋଦନ ଲାଭ କରିବା ପରେ ଅର୍ଥବରାଦ ମଧ୍ୟ ହୋଇଥିଲା। ବିଡମ୍ବନା ଏହିକି ଯେ କିଛି ପ୍ରକଳ୍ପ କାମ ଆରମ୍ଭ ଅଧପନ୍ତରିଆ ହୋଇ ପଡିଥିବା ବେଳେ ଆଉ କିଛି କାମ ଆରମ୍ଭ ହୋଇପାରିଲା ନାହିଁ। ଆଗକୁ ପୌରନିର୍ବାଚନ। ଏହି ପ୍ରସଙ୍ଗ ବିରୋଧୀଙ୍କୁ ଖୋରାକ ଯୋଗାଇବ। ବିଧାନସଭା ନିର୍ବାଚନରେ ବିଜେଡି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ମାଗିଥିବା ସେମାନଙ୍କ ନିର୍ବାଚନ ମଣ୍ତଳୀର ୩ଟି ମୁଖ୍ୟ ପ୍ରକଳ୍ପ ମଧ୍ୟରୁ ପଟ୍ଟାମୁଣ୍ତାଇର ଦୁଇଟି ପ୍ରକଳ୍ପ ସାମିଲ ହୋଇଥିଲା।

Advertisment

ପଟ୍ଟାମୁଣ୍ତାଇ ପୌରପରିଷଦକୁ ୩୦ ବର୍ଷ ପୂରିଥିଲେ ମଧ୍ୟ ସହରବାସୀ ସାଧାରଣ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହୋଇ ଆସୁଛନ୍ତି। ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଓ ପରିତ୍ୟକ୍ତ ଅବସ୍ଥାରେ ଥିବା କଚେରି ପୋଖରୀର ପୁନରୁଦ୍ଧାର ପାଇଁ ଦେଢ଼ କ‌ୋଟି ଟଙ୍କା ବ୍ୟୟରେ ଟେଣ୍ଡର କରାଗଲା। ଉଦ୍ଦେଶ୍ୟ ଥିଲା ଏହି ପୋଖରୀକୁ ପନରୁଦ୍ଧାର କରି ଏହାର ଚାରିପଟ ଢଳେଇ କରାଯିବା ସହ ଏଠାରେ ବୋଟିଂ ଓ ବୃକ୍ଷରୋପଣ କରାଯିବ। ଏହାକୁ ଏକ ଚିତ୍ତବିନୋଦ ସ୍ଥାନ ଭାବେ ପୌର ଅଧିବାସୀ ବ୍ୟବହାର କରିବେ। ଦୀର୍ଘ ଦିନରୁ ସରବାସୀ ଏହି ପୋଖରୀର ପୁନରୁଦ୍ଧାର କରିବାକୁ ଦାବି ମଧ୍ୟ କରିଆସୁଥିଲେ। ମାତ୍ର ଏହି କାମ ଅଧାପନ୍ତରିଆ ହୋଇ ରହିଛି। ଏହାଛଡା ସହରର ସମସ୍ତ ରାସ୍ତାଘାଟ ନିର୍ମାଣ ହେବା ସହ ସହରରୁ ସ୍ଥାୟୀ ଭାବେ ଜଳନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯିବାକୁ ଏହି ପ୍ରକଳ୍ପରେ ସାମିଲ କରାଯାଇଥିଲା। ସେହିପରିବାଇପାଶଠାରୁ ଏକ ରିଂରୋଡ ବକ୍ତାରପୁର ଛକ ପର୍ଯ୍ୟନ୍ତ ଆସିବାକୁ ଏହି ପ୍ରକଳ୍ପରେ ପ୍ରସ୍ତାବ ଦିଆଯାଇଥିଲା। ଏହାଛଡା ସହରର ମୁଖ୍ୟରାସ୍ତା ଗୁଡ଼ିକରେ ଉଚ୍ଚ ଆଲୋକ ବ୍ୟବସ୍ଥା କରାଯିବାକୁ ବ୍ୟବସ୍ଥା କରାଯିବାକୁ ମଧ୍ୟ ପଦକ୍ଷେପ ନିଆଯାଇଥିଲା। ମାତ୍ର ଏହି କାମ ଅଦ୍ୟାବଧି ଆରମ୍ଭ ହୋଇପାରିଲା ନାହିଁ।