ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୩ଟି ଥାନା ରାଜଗାଙ୍ଗପୁର, ଧରୁଆଡିହି ଓ ବୀରମିତ୍ରପୁରରେ ଅତି ସମ୍ବେଦନଶୀଳ ହାଜତ ମୃତ୍ୟୁ ଅଭିଯୋଗ ରହିଛି। କେବଳ ବୀରମିତ୍ରପୁର ମାମଲାରେ ଥାନାଧିକାରୀ ସମେତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। କିନ୍ତୁ ଏହା ପୂର୍ବରୁ ରୁଜୁ ହୋଇଥିବା ରାଜଗାଙ୍ଗପୁର ଓ ଧରୁଆଡିହି ହାଜତ ମୃତ୍ୟୁ ମାମଲାରେ ଥାନାଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେବଳ ତଳିଆ କନଷ୍ଟେବଳଙ୍କୁ ନିଲମ୍ବିତ କରି କାମ ସାରି ଦେଇଛି ବିଭାଗ।

Advertisment

୨୦୧୮ ଡିସେମ୍ବର ୫ ତାରିଖରେ ରାଜଗାଙ୍ଗପୁର ଥାନାରେ ଓ ତା’ର ଠିକ୍ ୭ ମାସ ପରେ ୨୦୧୯ ଜୁଲାଇ ୨୦ରେ ଧରୁଆଡିହି ଥାନାରେ ହୋଇଥିଲା ହାଜତମୃତ୍ୟୁ। ରାଜଗାଙ୍ଗପୁର ଥାନାରେ ଘଟିଥିବା ଜୟ ଲାକଡା ନାମକ ଜଣେ ଯୁବକଙ୍କ ହାଜତ ମୃତ୍ୟୁ ଘଟଣାରେ କଟକସ୍ଥିତ ମାନବିକ ଅଧିକାର ସେଲ୍ର ନିର୍ଦ୍ଦେଶ ପରେ ମୁଖ୍ୟ ଅଭିଯୁକ୍ତ ଭାବେ ତତ୍କାଳୀନ ଥାନାଧିକାରୀ ପ୍ରଦୀପ କୁମାର ଜେନାଙ୍କ ବିରୋଧରେ ରାଜଗାଙ୍ଗପୁର ଥାନାରେ ମାମଲା ରୁଜୁ ହୋଇଛି ସତ, କିନ୍ତୁ ଅଢ଼େଇ ବର୍ଷ ପରେ ମଧ୍ୟ ଏଯାଏ ସମ୍ପୃକ୍ତ ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇନାହିଁ। ବରଂ ଜୟ ଲାକଡାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୁଲିସ ଅଭିଯୋଗକାରୀ ରବୀନ୍ଦ୍ର ଲାକଡା ଓ ତାଙ୍କ ଭାଇ ନକୁଳ ଲାକଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଅନ୍ୟପଟେ ମାମଲାଟି ମାନବାଧିକାର ଆୟୁକ୍ତଙ୍କ ପାଖରେ ପହଞ୍ଚିବା ପରେ ମୃତକଙ୍କ ପତ୍ନୀଙ୍କୁ ଏଯାଏ ୫ ଲକ୍ଷ ଟଙ୍କା କ୍ଷତିପୂରଣ କାହିଁକି ଦିଆଯାଇ ନାହିଁ ବୋଲି ମୁଖ୍ୟଶାସନ ସଚିବଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟପଟେ ଧରୁଆଡିହି ଥାନାରେ ଘଟିଥିବା ହାଜତ ମୃତ୍ୟୁ ଘଟଣା ମଧ୍ୟ ଫାଇଲ ଭିତରେ ବନ୍ଦ ପଡ଼ିଛି। ଯଦିଓ ଘଟଣା ପରେ ଜିଲ୍ଲା ପୁଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଥାନାର ଜଣେ ଏଏସ୍ଆଇ ବିନୋଦ କୁମାର ପଟେଲ ଓ ଦୁଇ କନଷ୍ଟେବଳ ବୈକୁଣ୍ଠ ନାଏକ, ଜୟରାମ ଧମେଲଙ୍କୁ ନିଲମ୍ବିତ କରିଥିଲା। ତଥାପି ହାଜତ ମୃତ୍ୟୁ ପରି ଅତି ସମ୍ବେଦନଶୀଳ ମାମଲାରେ ଯେପରି ଠୋସ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା, ସେ ଦିଗରେ ବିଭାଗ ନିରବ ଥିବା ଚର୍ଚ୍ଚା ହେଉଛି।

ଜିଲ୍ଲା ପୁଲିସ ବଡ଼ବଡ଼ିଆଙ୍କୁ ମାଫ କରି ତଳିଆ କର୍ମଚାରୀଙ୍କୁ ବଳି ପକାଇ ହାତ ଝାଡ଼ି ଦେଇଥିଲା ବୋଲି ସେତେବେଳେ ଜୋର୍ ଚର୍ଚ୍ଚା ଉଠିଥିଲା। ଏପରିକି ଥାନାଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏବେ ଘଟଣାକୁ ଅଢ଼େଇ ବର୍ଷ ବିତିଯାଇଥିବା ବେଳେ ମାମଲାର ତଦନ୍ତ କେଉଁଠି ଅଛି, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଉ ନାହିଁ।

ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବରରେ ରାଇକାକଛାରର ଜୟ ଲାକଡା ନାମକ ଜଣେ ବ୍ୟକ୍ତିଙ୍କୁ ଥାନାଧିକାରୀ ପ୍ରଦୀପ କୁମାର ଜେନା ଏକ ବ୍ୟାଙ୍କ ଠକେଇ ଘଟଣାରେ ମାମଲା ରୁଜୁ ନକରି ବେଆଇନ ଅଟକ ରଖିଥିଲେ। ଜୟକୁ ୪/୫ ଦିନ ଅଟକ ରଖିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଡିସେମ୍ବର ୫ ତାରିଖ ସନ୍ଧ୍ୟାରେ ଥାନା ହାଜତରେ ଏକ ଦଉଡ଼ି ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ହାଜତ ମୃତ୍ୟୁ ମାମଲା ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର।

ସେହିପରି ଧରୁଆଡିହି ଥାନା ମନମୁଣ୍ଡାର ଏକ ନାବାଳିକା ବିକ୍ରି ଘଟଣାରେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ରେହେଲା ଥାନା କସାଲପିପିଆ ଗ୍ରାମରୁ ସୁନିଲ ଲୋଧି (୩୪)ଙ୍କୁ ୨୦୧୯ ଜୁଲାଇ ୧୯ ତାରିଖରେ ସୁନ୍ଦରଗଡ଼ ଆଣିଥିଲା ପୁଲିସ। ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ରାତିରେ ଧରୁଆଡିହି ଥାନାରେ ରଖାଯାଇଥିଲା। ତେବେ ୨୦ ତାରିଖ ଭୋର୍ରେ ସୁନିଲଙ୍କ ମୃତ ଦେହ ଥାନାରୁ ଉଦ୍ଧାର ହୋଇଥିଲା। ସୁନିଲ ବାଥରୁମ ଫାଇବର କବାଟ ଫ୍ରେମ୍ରେ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ହାଜତ ମୃତ୍ୟୁ ନୁହେଁ, ସୁନିଲ ଆତ୍ମହତ୍ୟା ଉଦ୍ୟମ କରିଥିବା ଓ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ମଝାପଡ଼ା ଓ ପରେ ସୁନ୍ଦରଗଡ଼ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତା’ର ମୃତ୍ୟୂ ହୋଇଯାଇଥିବା କହିଥିଲା ପୁଲିସ। କିନ୍ତୁ ସୁନିଲଙ୍କ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରି ନଥିଲେ। ପୁଲିସ ମାଡ଼ରେ ତା’ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ୪୮ ଘଣ୍ଟା ଭିତରେ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାଥ ବେଳେ ରାଜଗାଙ୍ଗପୁର, ଧରୁଆଡିହି ଥାନା ଅଧିକାରୀଙ୍କ ପ୍ରତି ଅନୁକମ୍ପା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।