ଅମଲିପାଲି ବାଇପାସ ରାସ୍ତା ନିର୍ମାଣ କାମ ସରିବ କେବେ?

ସୁନ୍ଦରଗଡ଼: ସୁନ୍ଦରଗଡ଼ କଲେଜ ଛକରୁ ଶଙ୍କରା ରାଜ୍ୟ ରାଜପଥ-୧୦କୁ ସଂଯୋଗ କରୁଥିବା ଅମଲିପାଲି ବାଏପାସ୍ ରାସ୍ତା। ଖାସ୍‌ କରି ଏମ୍‌ସିଏଲର କୋଇଲା ପରିବହନ ପାଇଁ ଉଦ୍ଧିଷ୍ଟ ଏହି ରାସ୍ତାର ଦୈର୍ଘ୍ୟ ମାତ୍ର ସାଢ଼େ ୫ କିଲୋମିଟର। ନିର୍ମାଣ ଅଟକଳ ୫୫ କୋଟି ଓ ୪୧ କୋଟିରେ ଟେଣ୍ଡର। କିନ୍ତୁ ବର୍ଷେ ପରେ ମଧ୍ୟ ରାସ୍ତା କାମ ଶେଷ ହୋଇପାରୁ ନାହିଁ। ଠିକା ସଂସ୍ଥାର ମନମାନୀ ଯୋଗୁଁ ନିର୍ମାଣ ଅଧାରେ ଅଟକିଛି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଓ ସାଧାରଣ ଯାତାୟତରେ ସମସ୍ୟା ଦେଖାଦେଇଛି।

୨୦ ବର୍ଷ ତଳେ ତିଆରି ହୋଇଥିବା ଏହି ରାସ୍ତା କୋଇଲା ବୋଝେଇ ଭାରୀଯାନ ଚଳାଚଳ ଯୋଗୁଁ ଶୋଚନୀୟ ସ୍ଥିତିକୁ ଚାଲିଆସିବା ପରେ ତାର ସ୍ଥାୟୀ ଉନ୍ନତିକରଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୫୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ଠିକା ସଂସ୍ଥା ଏନ୍‌ବିସିସି ତାକୁ ୪୧ କୋଟିରେ ଟେଣ୍ଡର ନେଇ କାମ କରୁଛି। ତେବେ ସାଢ଼େ ୫ କିଲୋମିଟର ରାସ୍ତାକୁ ୪୧ କୋଟି ଟଙ୍କା ଆଉ ଏକ ପ୍ରଶ୍ନ ଛିଡ଼ା କରିଛି। ଦୁଇ ଥାକିଆ ରାସ୍ତାର ଚଉଡ଼ା ରହିବ ୮.୨୫ ମିଟର। ମାଟିମୁରୁମ ପକାଯିବା ପରେ ଦୁଇ ଲେୟାର କଂକ୍ରିଟ ପଡ଼ିବ। ଏଠାରେ ପ୍ରତି କିଲୋମିଟର ୭.୯୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ପୂର୍ତ୍ତ, ରାଜ୍ୟ ରାଜପଥ ନିର୍ମାଣ ଅଟକଳ ଠାରୁ ବହୁଗୁଣରେ ଅଧିକ ବୋଲି କୁହାଯାଉଛି।

ଏହା ମଧ୍ୟରେ ଜିଲ୍ଲାବାସୀଙ୍କୁ ଆନ୍ଦୋଳିତ କରିଥିବା ଅନ୍ୟ ଏକ ପ୍ରଶ୍ନ ହେଲା, ସାଧାରଣ ଭାବେ କୋଇଲା ପରିବହନ ପାଇଁ ଉଦ୍ଧିଷ୍ଟ ରାସ୍ତାର ଉନ୍ନତି ବା ନିର୍ମାଣ ପାଇଁ ଏମ୍‌ସିଏଲ ହିଁ ଅର୍ଥ ଯୋଗାଇବା କଥା। କିନ୍ତୁ ଏଠାରେ ଅଗ୍ରାଧୀକାରଭିତ୍ତିରେ ଖଣି ପ୍ରଭାବିତ ଲୋକଙ୍କ ସର୍ବବିଧ ଉନ୍ନତି ଓ ଅତି ଆବଶ୍ୟକତା ବିଶେଷରେ ଜିଲ୍ଲାର ଅନ୍ୟ କ୍ଷେତ୍ରର ବିକାଶ ପାଇଁ ଥିବା ଅର୍ଥକୁ ଏମ୍‌ସିଏଲର ସୁବିଧାଜନକ କୋଇଲା ପରିବହନ ପାଇଁ କିପରି ଖର୍ଚ୍ଚ କରାଯାଉଛି।

ଅନ୍ୟପଟେ ବାଙ୍କିବାହାଲରୁ ଭେଡ଼ାବାହାଲ ୪ ଶହ କୋଟିର ଯେଉଁ ଚାରିଥାକିଆ କୋଲ୍ କରିଡର୍ ଏବେ ନିର୍ମାଣ ଚାଲିଛି, ତାହା ସମ୍ପୂର୍ଣ୍ଣ ହେଲା ପରେ ଏମ୍‌ସିଏଲ ସେ ରାସ୍ତାରେ ହିଁ କୋଇଲା ପରିବହନ କରିବ। ସେତେବେଳେ ଏ ବାଏପାସ୍‌ ରାସ୍ତା ବିଶେଷ କାମକୁ ଆସିବ ନାହିଁ। ଅର୍ଥାତ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୪୧ କୋଟି ଟଙ୍କା ପାଣିରେ ପଡ଼ିବ। ଏତେ ସବୁ ପ୍ରଶ୍ନ ମଧ୍ୟରେ ରାସ୍ତା ନିର୍ମାଣର ମନ୍ଥରତା ସହରବାସୀଙ୍କ ପାଇଁ ବଡ଼ ଅସନ୍ତୋଷର କାରଣ ହୋଇଛି। ଘଟଣାକ୍ରମେ ବୁଧବାର ଅପରାହ୍ନରେ ବାଏପାସ୍‌ ରାସ୍ତାର ଏକ ପୋଲ କାମ ସରି ନଥିବା ବେଳେ ବର୍ଷାରେ ଡାଇଭର୍ସନ ଧୋଇଯିବାରୁ କୋଇଲା ବୋଝେଇ ଭାରୀଯାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଶହଶହ ଟ୍ରକ ରାସ୍ତାରେ ଅଟକି ରହିଥିବାରୁ ବନ୍ଧପାଲିରୁ ସୁନ୍ଦରଗଡ଼ ଯାଏ ୬ କିଲୋମିଟର ରାସ୍ତାରେ ଭୀଷଣ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ଏପରିକି ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଗୁଡ଼ିକ ମଧ୍ୟ ଜାମ୍‌ରେ ଫସି ରହିଥିଲା। ଯାହାକୁ ନେଇ ପୁଲିସ ମଧ୍ୟ ନାକେଦମ ହୋଇଥିଲା। ଶେଷକୁ କୋଇଲା ଟ୍ରକ ଗୁଡ଼ିକୁ ସାମୟିକ ଭାବେ ସହର ଭିତର ରାସ୍ତାରେ ଯିବାକୁ ଅନୁମତି ଦେଇ ଟ୍ରାଫିକ ଜାମରୁ ଆମ୍ବୁଲାନ୍ସକୁ ବାହାର କରିଥିଲା ପୁଲିସ ବାହିନୀ। ଏହା ମଧ୍ୟରେ ରାସ୍ତାର ଜରୁରୀ ମରାମତି କରିବାକୁ ଠିକା ସଂସ୍ଥାକୁ ପୁଲିସ, ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ରାତି ଭିତରେ ମରାମତି ସାରି ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ କହିଥିଲେ। କିନ୍ତୁ ଠିକା ସଂସ୍ଥା ତାକୁ ନଜର ଅନ୍ଦାଜ କରି ଦେଇଛି। ଆଜି ମଧ୍ୟ ରାସ୍ତାରେ କୋଇଲା ବୋଝେଇ ଟ୍ରକ ଚଳାଚଳ ସ୍ବାଭାବିକ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର