ଜଗତସିଂହପୁର ଟାଉନ୍/ତିର୍ତୋଲ: ତିର୍ତୋଲରେ ପୋଲ ପାଇଁ ସରକାର ୨ଶହ କୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି। କିନ୍ତୁ ରୋଜିରୋଟିର କାରଖାନା ସାରଳା ସୂତାକଳର ସୂତାକଳର ପୁନରୁଦ୍ଧାର ପାଇଁ ଉଦ୍ୟମ ହେଉନାହିଁ। ସୂତାକଳ ନ ହେଲା ନାଇଁ ଅନ୍ୟ କୌଣସି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ କାହିଁକି ଉଦ୍ୟମ ହେଉ ନାହିଁ। ଏଦିଗରେ ନା ପ୍ରଶାସନ ନା ରାଜନେତା କାହାରି ଇଚ୍ଛଶକ୍ତି ଥିବା ଭଳି ମନେ ହେଉନାହିଁ। ନିର୍ବାଚନ ପରେ ତିର୍ତୋଲବାସୀ ସେହି ବଣଜଙ୍ଗଲ ଘେରା ସୂତାକଳର ଦୁର୍ଦ୍ଦଶା ଦେଖି ନେତାଙ୍କୁ କଟାକ୍ଷ କରନ୍ତି। ଦିନ ଥିଲା ସୂତାକଳର ସାଇରନ୍ରେ ତିର୍ତୋଲବାସୀଙ୍କ ନିଦ ଭାଙ୍ଗୁଥିଲା। ହେଲେ ଆଜି ସବୁ ନିସ୍ତବ୍ଦ। ଦିନେ ୧୫ ହଜାର ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ସାରଳା ସୂତାକଳ ଏବେ କେବଳ ରାଜନେତାଙ୍କ ନିର୍ବାଚନୀ ଅସ୍ତ୍ର ପାଲଟିଛି।
ପ୍ରତିଥର ନିର୍ବାଚନରେ ପ୍ରାର୍ଥୀ ହେଉଥିବା ନେତା ସାରଳା ସୂତାକଳ ପୁନରୁଦ୍ଧାରକୁ ପ୍ରମୁଖ ପ୍ରସଙ୍ଗ ଭାବେ ଉଠାଇଥାନ୍ତି। ନିର୍ବାଚନ ସରିବା ପରେ ଯଥାଂ ପୂର୍ବ ତଥା ପରଂ। ଆଉ କେତେ ବର୍ଷ ଲାଗିବ ପୁନରୁଦ୍ଧାର ? କେତେ ମିଛ ପ୍ରତିଶ୍ରୁତି ଦେବେ ରାଜନେତା ! ତିର୍ତୋଲ ଜନତା ଆଉ କେତେ ଦିନ ଚାହିଁ ରହିବେ ବୋଲି ଏବେ ଚର୍ଚ୍ଚା ହେଉଛି। ନାଉସିରାରେ ଶ୍ରୀ ସାରଳା ବୁଣାକାର ସମବାୟ ସୂତା କଳ ଲିଃ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୩୦ ଏକରୁ ଅଧିକ ଜମିରେ ୧୨ କୋଟି ଟଙ୍କା ବ୍ୟୟରେ ସାରଳା ସୂତାକଳ ଆରମ୍ଭ ହୋଇଥିଲା। ୧୮୮୨ରେ ସୂତାକଳ ଆରମ୍ଭ ହୋଇ ୧୯୮୪ରେ ସୂତା ଉତ୍ପାଦନ ହୋଇଥିଲା। ସମବାୟ ଭିତ୍ତିରେ ଆରମ୍ଭ ହୋଇଥିବାରୁ ସରକାର ବୁଣାକାରମାନଙ୍କୁ ୫୦ ପ୍ରତିଶତ ସବ୍ସିଡି ଦେଉଥିଲେ। ଏହା ଭିତରେ ଗେଷ୍ଟ ହାଉସ୍, ଷ୍ଟାଫ୍ କ୍ବାର୍ଟର ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିଲା। ସୂତାକଳକୁ ଓଡ଼ିଶାର କଳାହାଣ୍ତି, କୋରାପୁଟ, ବଲାଙ୍ଗୀର, ମହାରଷ୍ଟ୍ର ଓ ପାକିସ୍ତାନରୁ କଞ୍ଚାମାଲ୍ ଆସୁଥିଲା। ଏଠାରେ ଥିବା କୁଶଳୀ କାରିଗର ମେସିନ୍ ସାହାଯ୍ୟରେ ସୂତା ପ୍ରସ୍ତୁତ କରୁଥିଲେ। ସୂତାର ଚାହିଦା ଥିବାରୁ କଲିକତା, ଗୁଜୁରାଟ ଏପରିକି କୋରିଆକୁ ମଧ୍ୟ ଜାହାଜରେ ରପ୍ତାନୀ ହେଉଥିଲା।
୪୦ ତନ୍ତକୁ ପ୍ରତି ମାସରେ ସରକାର ପ୍ରାୟ ୭ ଲକ୍ଷ ଟଙ୍କା ରିହାତି ଦେଉଥିଲେ। କିଛି ଦିନ ପରେ ରିହାତି ବନ୍ଦ କରିଦେଲେ। କର୍ମଚାରୀଙ୍କ ଦରମା ବଢ଼ାଇ ଦିଆଗଲା। ଫଳରେ ସୂତାକଳ ଚଳାଇବା କଷ୍ଟକର ହୋଇ ପଡ଼ିଲା। ୧୯୯୯ ମସିହା ମହାବାତ୍ୟା ଏଥିରେ ଦାଉ ସାଧିଲା। ସରକାର ସୂତାକଳର ମରାମତି ପାଇଁ ୮୫ ଲକ୍ଷ ଟଙ୍କା ଦେଇଥିଲେ ହେଁ ସମ୍ପୂର୍ଣ୍ଣ ମରାମତି ସମ୍ଭବ ହେଲାନାହିଁ। କ୍ରମେ ସରକାରଙ୍କ ଆନ୍ତରିକତା ଅଭାବରୁ ସୂତାକଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଏବେ ଫାଟକରେ ତାଲା ଝୁଲୁଛି। ୨୦୦୦ରୁ ଏହା ଭିତରେ ୫ ଥର ନିର୍ବାଚନ ସରିଲାଣି।
ପ୍ରତି ନିର୍ବାଚନରେ ସୂତାକଳ ପ୍ରମୁଖ ପ୍ରସଙ୍ଗ ହେଉଛି। ୫ ବର୍ଷ ପରେ ନିର୍ବାଚନ ଆସିଲେ ନେତାଙ୍କ କୁମ୍ଭୀର କାନ୍ଦଣା ଆରମ୍ଭ ହୁଏ। ତେବେ ୨୦୦୦ ରୁ ରାଜ୍ୟରେ ସ୍ଥିର ସରକାର ରହିଛି। ୨୦୦୯ରୁ ବିଜେଡି ଦଳକୁ ତିର୍ତୋଲବାସୀ ବହୁମତ ଦେଉଛନ୍ତି। ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ, କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ବାଳ, ବିଜେଡି ନେତା ସ୍ବର୍ଗତ ରବୀନ୍ଦ୍ର ଭୋଇ, ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଦାସ ପ୍ରମୁଖ ଏଠାରୁ ପ୍ରତିନିଧିତ୍ବ କରିଛନ୍ତି। ବିଷ୍ଣଙ୍କ ବିୟୋଗ ପରେ ଉପ ନିର୍ବାଚନରେ ଜିଣି ପୁଅ ବିଜୟ ଶଙ୍କର ବିଧାୟକ ହୋଇଛନ୍ତି। ବିଷ୍ଣୁ ଦାସ ବଞ୍ଚିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ସୂତାକଳର ପୁନରୁଦ୍ଧାର କରିବେ ବୋଲି କହିଥିଲେ। ତେବେ ତିର୍ତୋଲ ପାଇଁ ଯଦି ମୁଖ୍ୟମନ୍ତ୍ରୀ ଦୁଇ ଶହ କୋଟି ଟଙ୍କାର ସେତୁ ଭେଟି ଦେଇ ପାରୁଛନ୍ତି ତେବେ ଶିଳ୍ପ ପାଇଁ ଦେବାକୁ କାହିଁକି ପଛଘୁଂଚା ? ବୋଲି ଏବେ ସାଧାରଣରେ ପ୍ରଶ୍ନ ହେଉଛି।