ଜୟପୁର: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ଜୟପୁର ଫୁଲବାଡ଼ ଠାରେ ସମନ୍ବିତ କ୍ରୀଡ଼ା କମ୍ପ୍ଲେକ୍ସର କାମ ୨୦୧୯ ମସିହାରେ ନିର୍ମାଣ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଏକ ସଂସ୍ଥା ଠିକା ନେବା ସହ ବର୍ଷକ ମଧ୍ୟରେ ସାରିବାକୁ ଚୁକ୍ତି କରିଥିଲା। ଧାର୍ଯ୍ୟ ସମୟ ସୀମାର ୩ବର୍ଷ ବିତିଲାଣି। ଏହାରି ମଧ୍ୟରେ ଯେଉଁ ସବୁ କ୍ରୀଡା ଭିତ୍ତିଭୂମିର ଅନୁସଙ୍ଗିକ ଉନ୍ନୟନ ହେବାର ରହିଥିଲା ସେଥିରୁ ବହୁ ଭିତ୍ତିଭୁମିର ଅର୍ଦ୍ଧାଧିକର କାମ ସରିନାହିଁ। ଏସବୁର କାମ ସରିବ କେବେ? ଏହି ଭିତ୍ତିଭୂମିର ଲାଭ ଉଠାଇ ଏଠାକାର ବହୁ କ୍ରୀଡାବିତ୍ ସର୍ବଭାରତୀୟ କିମ୍ବା ଅନ୍ତଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗ ନେବେ ତାହାର ସ୍ପଷ୍ଟ ଉତ୍ତର କାହା ନିକଟରେ ନାହିଁ।
କୋରାପୁଟ ଜିଲ୍ଲାର କ୍ରୀଡାବିତ୍ମାନଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଭିତ୍ତିଭୁମି, ବୈଷୟିକ ପ୍ରଣାଳୀ ସହ ଉନ୍ନତମମାନର ତାଲିମ ଦେବା ଲକ୍ଷ୍ୟରେ ଏହାର ନିର୍ମାଣ ଜାରି ରହିଛି। ୧୨ ଏକର ପରିମିତ ଜମିରେ ୨୬କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଫୁଟବଲ ପଡ଼ିଆ, ଚାରି ପଟେ ସିନ୍ଥେଟିକ୍ ଟ୍ରାକ, ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଜିମ୍, ସୁଇମିଂ ଫୁଲ, ଦର୍ଶକ ବସିବା ପାଇଁ ଗ୍ୟାଲେରୀ ଓ ପ୍ରଶାସନିକ ଭବନ ନିର୍ମାଣ କରାଯିବା ଯୋଜନା ରହିଛି। ତେବେ ଏ ପର୍ଯ୍ୟନ୍ତ ନିର୍ମାଣାଧୀନ ଅତ୍ୟାଧୁନିକ ଫୁଟବଲ ପଡିଆ ସମ୍ମୁଖରେ ଦୁଇ ପାର୍ଶ୍ବର ଦର୍ଶକ ଗ୍ୟାଲେରି, ସୁଇମିଂ ଫୁଲ ନିକଟରେ ୨ଟି ଦର୍ଶକ ଗ୍ୟାଲେରୀ, ସ୍ବାଗତ ଗେଟ୍, ଜିମ୍, ପ୍ରଶାସନିକ ଭବନ ଆଦି ଅର୍ଦ୍ଧନିର୍ମିତ ଅବସ୍ଥାରେ ଧିରେ ସୁସ୍ଥେ ନିର୍ମାଣ ଜାରୀ ରହିଛି। ଆହୁରି ପଡିଆ ଚାରିପଟେ ଦର୍ଶକ ଗ୍ୟାଲେରି, ସୁଇମିଂ ଫୁଲର କାମ ସହ ଅତ୍ୟାଧୁନିକ ଫୁଟବଲ ପଡିଆ, ସିନ୍ଥେଟିକ୍ ଟ୍ରାକ୍ କାମ ଆଦି ବି କରିବା ବାକି ରହିଛି। ମନ୍ଥର ଗତିରେ ନିର୍ମାଣକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କ୍ରୀଡାମନ୍ତ୍ରୀଙ୍କୁ ଚିଠି କରିବା ଏବଂ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ।
୧୩କୋଟିର ଅନୁଦାନ ରାଜ୍ୟସରକାର ଦେଇ ସାରିଥିବା ବେଳେ ବଳକା କାମ ସାରି ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ମାତ୍ରକେ ବଳକା ଟଙ୍କା ବି ଦିଆଯିବ ବୋଲି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଥିଲେ। ସେ ନିଜେ ଏହି ନିର୍ମାଣ କାମର ନିରୀକ୍ଷଣ କରିବା ସହ ମାର୍ଚ୍ଚ ମାସରେ ସାରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହାରି ମଧ୍ୟରେ କ୍ରୀଡାମନ୍ତ୍ରୀଙ୍କ ନିର୍ଦ୍ଦେଶର ୬ମାସ ବିତି ସାରିଥିଲେ ହେଁ ଅର୍ଦ୍ଧାଧିକ କାମ ଏ ପର୍ଯ୍ୟନ୍ତ ଶେଷ ହୋଇନି। ନୂଆଦିଲ୍ଲୀର ଗୋଟିଏ ଠିକା ସଂସ୍ଥା ଏହାର ନିର୍ମାଣ କାମ ନେଇ ବିଭିନ୍ନ ଆଳ ନେଇ କାମ ସାରୁନାହିଁ। ୨୦୨୨ମସିହା ଡିସେମ୍ବର ମାସ ସୁଦ୍ଧା ନିର୍ମାଣ କାମ ସାରି ହସ୍ତାନ୍ତର କରିବା ଧାର୍ଯ୍ୟ ହୋଇଥିଲା ତେବେ ତାହା ହୋଇ ପାରିନି ବୋଲି କହିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ। ତେବେ ଉକ୍ତ ଠିକାସଂସ୍ଥା କାହାରି କଥା ଶୁଣୁ ନଥିବାରୁ ଏହାର ନିର୍ମାଣ କାମ କେବେ ସରିବ ସେ ନେଇ ଜିଲ୍ଲା କ୍ରୀଡାକ୍ରୀଡା ଅଧିକାରୀ ଭାବେ ବି ସ୍ପଷ୍ଟଭାବେ କହିବା ମୁସ୍କିଲ ବୋଲି କହିଛନ୍ତି। ହାତ ଗଣତି ଅଳ୍ପ କିଛି ରାଜମିସ୍ତ୍ରୀ, ଶ୍ରମିକଙ୍କୁ ନେଇ କାମ ଚାଳୁଥିବାରୁ ଏହାକୁ ସଂପୁର୍ଣ୍ଣ ହେବାକୁ ଆଉ କେତେ ବର୍ଷ ଲାଗିବ ବୋଲି ବରିଷ୍ଠ କ୍ରୀଡାବିତ୍ ମାନେ ପ୍ରଶ୍ନ କରିଛନ୍ତି।