ବଲଙ୍ଗୀର, ୫ା୫ (ଇମିସ): ବଲାଙ୍ଗୀର ସହରରେ ଭିନ୍ନ ଭିନ୍ନ ସମୟରେ ଅପରାଧୀମାନେ ଗୁଳି ଫୁଟାଉଛନ୍ତି। ଗୁଳି ମାଡ଼ ଘଟଣା ମଝିରେ ମଝିରେ ସାମ୍ନାକୁ ଆସୁଛି। ଏବେ ବଲାଙ୍ଗୀର ଗାନ୍ଧୀନଗରପଡ଼ାରେ ଏକ ହୋଟେଲରେ କାମ କରୁଥିବା ଜଣେ ଯୁବକଙ୍କୁ ମାଡ଼ ମରାଯିବା ସହ ଫାଙ୍କା ଗୁଳିଚାଳନା କରି ଦୃର୍ବୃତ୍ତ ଫେରାର ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତ ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଛି। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ଗୁଳି ଫୁଟିବା ଭଳି କିଛି ସାମଗ୍ରୀ ପୁଲିସ ପାଇନି। ତଦନ୍ତ ଜାରି ରହିଥିବା ପୁଲିସ କହୁଛି। ତେବେ ସହରକୁ ବନ୍ଧୁକ ଓ ଗୁଳି କେଉଁଠୁ ଆସୁଛି? କିଏ କିଏ ବେଆଇନ ବନ୍ଧୁକ କାରବାରରେ ଲିଙ୍କ ରଖୁଛନ୍ତି? ଏ ଦିଗରେ ପୁଲିସ ବିଭିନ୍ନ ସମୟରେ ତଦନ୍ତ କରାଯିବ ବୋଲି କହୁଥିଲେ ହେଁ ଏଯାଏଁ ସେଭଳି କାହାକୁ ଧରିବାରେ ସଫଳ ହୋଇନି। ମଝିରେ ଜଣେ ଅଭିଯୁକ୍ତ ପାଖରୁ ବନ୍ଧୁକ ଜବତ ହୋଇଥିଲା। ଉକ୍ତ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ବନ୍ଧୁକ ଆଣିଥିବା ସୂଚନା ଦେଇଥିଲା। କିନ୍ତୁ ସେ ଦିଗରେ ଆଉ ତଦନ୍ତ ଆଗେଇଲାନି। ଠିକ ସେହିପରି ସଦାଇପାଲି ଗୁଳିକାଣ୍ଡ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଧରିଥିଲେ ବି ବନ୍ଧୁକ ଜବତ କରିବାରେ ବିଫଳ ହୋଇଥିଲା। ଏଣୁ ବନ୍ଧୁକ କିଏ କିଏ ବେଆଇନ ଭାବରେ ରଖିଛନ୍ତି ପୁଲିସ ଗୁଇନ୍ଦା ସୂଚନା ନେଇ ସେମାନଙ୍କୁ ଗିରଫ କରିବାକୁ ଦାବି ହେଉଛି।