କେଉଁଠି ରାଜା ଖାନ୍ ?

ବରଗଡ଼: ବରଗଡ଼ ଜିଲ୍ଲାରେ ଗୁଡ଼ାଏ ଆପରାଧିକ ମାମଲାରେ ସଂପୃକ୍ତ ଥିବ ରାଜା ଖାନ୍‌ର ପତ୍ତା ମିଳୁନି। ଯେତେବେଳେ ରାଜା ଖୁଲମଖୁଲା ବୁଲୁଥିଲା, ପୁଲିସ୍‌ ତା’ର ଗତିବିଧି ଉପରେ ନଜର ରଖିଲା ନାହିଁ। ରାଜା ପୂର୍ବ ଭଳି ନିଜ କାରବାର ଚଳାଇଥିଲା। ଗୁଡ୍ଡୁ ମୁସ୍‌ଲିମ୍‌ ସହ ଲିଙ୍କରେ ରାଜା ଥିବା ଜଣାପଡ଼ିବା ପରେ ଉତ୍ତରପ୍ରଦେଶର ଏସ୍‌ଟିଏଫ୍‌ ଟିମ୍‌ ରାଜାକୁ ଜେରା କରିଥିଲା। କିନ୍ତୁ ସେହି ଦିନଠୁ ରାଜା ନିଖୋଜ୍‌। ରାଜା କେଉଁଠି ଅଛି, ତାହା ଜାଣିବାକୁ ବି ବରଗଡ଼ ପୁଲିସ୍‌ର ଇଚ୍ଛା ନ ଥିବା ବାରି ହେଉଛି। ଗୁଡ୍ଡୁକୁ ପିଛା କରି ଉତ୍ତରପ୍ରଦେଶ ପୁଲିସ୍‌ର ସ୍ବତନ୍ତ୍ର ସ୍କ୍ବାର୍ଡ ଓଡ଼ିଶା ପହଂଚିଥିଲା। ମୋବାଇଲ୍‌ ଟ୍ରାକ୍‌ ପରେ ଏସ୍‌ଟିଏଫ୍‌ ପହଂଚିଲା ବରଗଡ଼। ସୋହେଲା ଏବଂ ବରଗଡ଼ର ନିଗମାନନ୍ଦବିହାରରେ ଚଢ଼ଉ ହେଲା। ଗୁଡ୍ଡୁର ଡ୍ରାଇଭର୍‌ ସହ ବରଗଡ଼ର ରାଜା ଖାନ୍‌ର ସୁସଂପର୍କ ଥିବା ଜଣାପଡ଼ିଥିଲା।

ଏହାପରେ ରାଜା ଖାନ୍‌ ପୁଣି ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ସେହି ଦିନରୁ ରାଜା ନିଖୋଜ୍‌। ବିଗତ ବର୍ଷରେ ରାଜା ଖାନ୍‌ ବ୍ରାଉନ୍‌ସୁଗାର୍‌ କାରବାରରେ ଧରାପଡ଼ିଥିଲା। ତା’ ନାମରେ ପୂର୍ବରୁ ସୋହେଲା, ବିଜେପୁର ଓ ପଦ୍ମପୁର ଥାନାରେ ନିଶା କାରବାରରେ ଜନିତ ମାମଲା ରହିଛି। ସେ ଜେଲ୍‌ରୁ ମୁକୁଳିବା ପରେ ପୁଲିସ୍‌ ତା’ର ଗତିବିଧି ଉପରେ ନଜର ରଖିବା କଥା। ହେଲେ ସେଭଳି କିଛି ହେଲା ନାହିଁ। ରାଜା ଲୁହୁରାଚଟୀରେ ରହି ତନଖି ଫାଟକରେ ବାହାର ରାଜ୍ୟରୁ ଆସୁଥିବା ଭାରି ଯାନ ଗୁଡ଼ିକର ସେଲ୍‌ ଟ୍ୟାକ୍ସ ଫାଙ୍କିବା ସହ ଓଭର ଲୋଡ୍‌ ପାସିଂ କରିବା କାମରେ ଲିପ୍ତ ଥିଲା। ଫଳରେ ବାହାର ରାଜ୍ୟର ବଡ଼ ବଡ଼ ଟ୍ରାନ୍ସପୋର୍ଟ କମ୍ପାନି ସହ ତା’ର ଭଲ ସଂପର୍କ ଥିଲା। ତେଣୁ ବେଆଇନ୍‌ ଟ୍ରାନ୍‌ସପୋର୍ଟିଂରେ ସେ ପାଦ ଜମାଇ ସାରିଥିଲା। ଲୁହୁରାଚଟୀରେ‌ ଗୋଟିଏ ହିସାବରେ ରାଜାର ରାଜୁତି ଚାଲିଥିଲା। ଗୋଟିଏ ପରେ‌ ଗୋଟିଏ ମାମଲାରେ ରାଜା ଜେଲ୍‌ ଗଲା। ଜେଲ୍‌ରୁ ମୁୁକୁଳିବା ପରେ ନିଜ ସାମ୍ରାଜ୍ୟ ପୂର୍ବ ଭଳି ଚଳାଇଥିଲା। କିନ୍ତୁ ପୁଲିସ୍‌ ଏହି ମାମଲା ଗୁଡ଼ିକୁ ସଂପୂର୍ଣ୍ଣ ନଜରଅନ୍ଦାଜ କରି ରହିବା ଆଶ୍ଚର୍ଯ୍ୟର କଥା।

ସମ୍ବନ୍ଧିତ ଖବର