ଖାଦ୍ୟ ସୁରକ୍ଷା ଯୋଜନାରେ ହାସଲ ହୋଇପାରୁନି ଶତପ୍ରତିଶତ ବଣ୍ଟନ ଲକ୍ଷ୍ୟ

ବଣ୍ଟନ ହେଉପାରୁନଥିବା ଚାଉଳ ଓ ଗହମ ଯାଉଛି କୁଆଡ଼େ

ଖୋର୍ଦ୍ଧା: କେନ୍ଦ୍ର ସରକାର ଦେଉଥିବା ଗରିବ ଲୋକଙ୍କ ଚାଉଳ ଓ ଗହମ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଯଦି ଖୋର୍ଦ୍ଧା ଜିଲ୍ଲା କଥା ଅନୁଶୀଳନ କରାଯାଏ ତେବେ ଜିଲ୍ଲାକୁ ପ୍ରତିମାସରେ ଯେତିକି ଚାଉଳ ଓ ଗହମ ଆସୁଛି ସେତିକି ବଣ୍ଟନ କରାଯାଉନାହିଁ। ପ୍ରତିମାସରେ ନିର୍ଦ୍ଦିଷ୍ଟ ପରିମାଣରେ ଚାଉଳ ଓ ଗହମ ବଣ୍ଟନ ବ୍ୟବସ୍ଥାରୁ ଗାଏବ ହୋଇଯାଉଛି । ଏନେଇ ଅନ୍ୟ କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ନୁହନ୍ତି ଖୋଦ୍ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ସୂଚିତ କରୁଛି। ଚଳିତବର୍ଷ ଅପ୍ରିଲ୍ ମାସ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୩ଲକ୍ଷ ୮୮ହଜାର ୭୬୯। ପ୍ରାଥମିକତା ପରିବାର (ଏନ୍ଏଫ୍ଏସ୍ଏ-ପ୍ରିୟୋରିଟି ହାଉସ୍ହୋଲ୍ଡ) ସଂଖ୍ୟା ୩ଲକ୍ଷ ୪୯ହଜାର ୮୦୦ ଓ ଏନ୍ଏଫ୍ଏସ୍ଏ-ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ) ପରିବାର ସଂଖ୍ୟା ୩୮ହଜାର ୯୬୯।

କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ୱେ ଚଳିତ ମାସ ସୁଦ୍ଧା ଜିଲ୍ଲାର ୭୦,୮୭୬ ଜଣ ହିତାଧିକାରୀଙ୍କ ବାୟୋମେଟ୍ରିକ୍ ଆଦି ଆଧାର ପ୍ରମାଣୀକୃତ ହୋଇଛି। ଯଦି ଏହି ସଂଖ୍ୟା ୨୦୨୦ ଡିସେମ୍ବର ମାସ ସହ ତୁଳନା କରାଯାଏ ତେବେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସଂଖ୍ୟାରେ ଅନେକ ବୃଦ୍ଧି ଘଟିଛି। ୨୦୨୦ ଡିସେମ୍ବର ମାସରେ ଜିଲ୍ଲାରେ ୩ଲକ୍ଷ ୩୩ହଜାର ୪୬୬ଜଣ ଏନ୍ଏଫ୍ଏସ୍ଏ- ପିଏଚ୍ଏଚ୍ ହିତାଧିକାରୀ ପରିବାର ଥିବା ବେଳେ ୩୯,୦୧୧ ଏନ୍ଏଫ୍ଏସ୍ଏ-ଏଏୱାଇ ହିତାଧିକାରୀ ପରିବାର ଥିଲେ। ୨୦୨୨ ଜାନୁଆରୀ ମାସରେ ଜିଲ୍ଲାରେ ୨ଲକ୍ଷ ୪୩ହଜାର ୭୫୨ ଏନ୍ଏଫ୍ଏସ୍ଏ-ପିଏଚ୍ଏଚ୍ ଓ ୨୯,୫୦୩ ଏଏୱାଇ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ମାସରେ ୯୧୩.୮୩ ମେଟ୍ରିକ୍ ଟନ୍ ଗହମ ଆସିଥିବା ବେଳେ ମାସ ଶେଷ ସୁଦ୍ଧା ୯୦୮.୭୬ ଏମ୍ଟି ଅର୍ଥାତ୍ ୯୯.୪୫ ପ୍ରତିଶତ ଗହମ ବଣ୍ଟନ କରାଯାଇଥିଲା।

ସେହିଭଳି ୪୪୧୩.୫୭ ଏମ୍ଟି ଚାଉଳରୁ ୪୩୯୪.୦୭ ଏମ୍ଟି (୯୯.୫୬%) ବଣ୍ଟନ କରାଯାଇଥିଲା। ଫେବ୍ରୁଆରୀ ମାସରେ ମୋଟ ୩ ଲକ୍ଷ ୮୮ ହଜାର ୭୬୯ ହିତାଧିକାରୀ ପରିବାର ପାଇଁ ୧୭୬୨.୧୧ ଏମ୍ଟି ଗହମରୁ ମାସ ଶେଷ ସୁଦ୍ଧା ୭୧୮.୮୩ ଏମ୍ଟି (୪୦.୭୯%) ଓ ୫୮୫୨.୨୦ ଏମ୍ଟି ଚାଉଳରୁ ୨୪୧୮.୫୪ ଏମ୍ଟି (୪୧.୩୩%) ବଂଟନ କରାଯାଇଥିଲା। ମାର୍ଚ୍ଚ ମାସରେ, ୧୭୬୧.୯୯ ଏମ୍ଟି ଗହମରୁ ୧୬୮୫.୯୬ ଏମ୍ଟି (୯୫.୬୯%) ଓ ଚାଉଳରୁ ୫୮୫୨.୦୪ ଏମ୍ଟିରୁ ୫୭୨୩.୩୨ ଏମ୍ଟି ବଣ୍ଟନ (୯୭.୮୦%) ହୋଇଥିଲା। ଅପ୍ରିଲ୍ ମାସ ଶେଷ ହେବାକୁ ଆଉ ଏକ ସପ୍ତାହ ବାକି ରହିଛି, ଏହି ସମୟରେ ଆସିଥିବା ୧୭୬୧.୮୩ ଏମ୍ଟି ଗହମରୁ ୩୪୮. ୨୯ ଏମ୍ଟି (୧୯.୭୭%) ଓ ୫୮୫୧.୧୩ ଏମ୍ଟି ଚାଉଳରୁ ୧୦୦୪.୩୨ ଏମ୍ଟି (୧୭.୧୬%) ବଣ୍ଟନ କରାଯାଇଛି। ପ୍ରତି ମାସରେ ଚିହ୍ନଟ ହେଉଥିବା ହିତାଧିକାରୀଙ୍କ ତାଲିକା ଅନୁସାରେ କେନ୍ଦ୍ର ସରକାର ଚାଉଳ ଓ ଗହମ ପ୍ରଦାନ କରିଥାନ୍ତି  ଏହା ୫୬୭ଟି ସୁଲଭ ମୂଲ୍ୟ ଦୋକନ ଜରିଆରେ ବଣ୍ଟନ କରାଯାଇଥାଏ। କିନ୍ତୁ ପ୍ରତିମାସରେ ଶତପ୍ରତିଶତ ଗହମ ଓ ଚାଉଳ ବଣ୍ଟନ କରାଯାଇନଥାଏ। ମାର୍ଚ୍ଚ ମାସରେ ୭୭ ମେଟ୍ରିକ୍ ଟନ୍ ଗହମ ବଣ୍ଟନ କରାଯାଇନଥିଲା, ଯଦି ବଜାର ଦରରେ ପ୍ରତିକିଲୋଗ୍ରାମ ୨୦ଟଙ୍କା ହିସାବରେ ଏହାକୁ ଆକଳନ କରାଯାଏ ତେବେ ଏହାର ମୂଲ୍ୟ ୧୫ଲକ୍ଷ ୪୦ ହଜାର ଟଙ୍କା। ସେହିଭଳି ୧୨୯ ମେଟ୍ରିକ୍ ଟନ୍ ବଣ୍ଟନ ହୋଇନଥିବା ଚାଉଳର ୩୦ଟଙ୍କା ପ୍ରତିକିଲୋଗ୍ରାମ ହିସାବରେ ୩୮ଲକ୍ଷ ୭୦ହଜାର ଟଙ୍କା ଅଟେ। ଅର୍ଥାତ୍, ସେହି ମାସରେ ପ୍ରାୟ ୫୪ଲକ୍ଷ ଟଙ୍କା ଗରିବଙ୍କ ଚାଉଳ ଓ ଗହମ ବଣ୍ଟନ ବ୍ୟବସ୍ଥାରୁ ଗାଏବ ହୋଇଯାଇଛି। ଏନେଇ ଯୋଗାଣ ବିଭାଗର ଜନୈକ ଅଧିକାରୀଙ୍କ ପଚାରିବାରେ ସେ କହିଛନ୍ତି ଯେ ନେବା ଆଣିବା କରିବା ସମୟରେ କିଛି ପରିମାଣରେ ଗହମ ଓ ଚାଉଳ ନଷ୍ଟ ହୋଇଥାଏ। ଯଦି ଏହି କଥାକୁ ମଧ୍ୟ ଗ୍ରହଣ କରାଯାଏ ତେବେ ପ୍ରତିମାସରେ ଲକ୍ଷାଧିକ ଟଙ୍କାର ଚାଉଳଗହମ ଗରିବଙ୍କ ପେଟକୁ ନଯାଏ ନଷ୍ଟ ହେଉଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର