ଭାପୁର: ମୃତ୍ୟୁ ଏମିତି ବି ଆସେ। ଗତକାଲି ସନ୍ଧ୍ୟାରେ ଜଣେ ଜେଜେ ମା’ ନିଜ ନାତିକୁ ବଞ୍ଚାଇବାକୁ ଯାଇ ନାଗସାପ ଦଂଶନରେ ପ୍ରାଣ ହରାଇଛନ୍ତି। ଘଟଣା ଘଟିଛି, ଭାପୁର ବ୍ଲକ୍ ବଡ଼ସହରା ପଞ୍ଚାୟତର ବାଲିଆପଟା ଗ୍ରାମରେ।
ସୂଚନାରୁ ଜଣାପଡ଼ିଛି ଯେ ବାଲିଆପଟା ଗ୍ରାମର ‘ସମ୍ବାଦ’ ବିତରକ ଧନେଶ୍ୱର ଭୋଳଙ୍କ ପତ୍ନୀ ସରୋଜିନୀ ଭୋଳ(୫୯) ଗତକାଲି ସନ୍ଧ୍ୟାରେ ଘରେ ଭାଗବତ ପଢ଼ୁଥିବା ସମୟରେ ଏକ ବଡ଼ ନାଗସାପ ତାଙ୍କ ଘର ମଧ୍ୟକୁ ପଶି ଆସି ସରୋଜିନୀଙ୍କ ପିଠିକୁ ଏକ ଚୋଟ ମାରିଥିଲା। ସରୋଜିନୀ ସାପକୁ ଦେଖି ପାଟି କରିବାରୁ ସାପଟି ନିକଟରେ ବସିଥିବା ବୋହୂ ସୁମିତ୍ରା ଓ ୫ବର୍ଷର ନାତି ବିବେକ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ସରୋଜିନୀ ନାଗକୁ ଅଟକାଇବାକୁ ଉଦ୍ୟତ ହୁଅନ୍ତେ, ସାପଟି ତାଙ୍କୁ ଆଉ ଦୁଇ ଚୋଟ ପକାଇଥିଲା।
ସରୋଜିନୀଙ୍କୁ ତୁରନ୍ତ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବାରୁ ସେଠାରେ ଡାକ୍ତର ସାପ କାମୁଡ଼ା ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରାଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଭାପୁର ପୁଲିସ ବିଟ୍ ହାଉସ୍ ଅଧିକାରୀ ଏମ୍ଡି ଜାଫରୁଲ୍ଲା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଖଣ୍ଡପଡ଼ାରେ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ସରୋଜିନୀଙ୍କ ସାନପୁଅ ଧୀରେନ କୁମାର ଭୋଳ ମଧ୍ୟ ‘ସମ୍ବାଦ’ ବିତରକ ଭାବେ କାର୍ଯ୍ୟ କରିବା ସହ ପାଠପଢ଼ା କାର୍ଯ୍ୟ ତୁଲାଉଥିଲେ। ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବଡ଼ପୁଅ ତପନ ଭୋଳ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/snake.jpg)