ସଙ୍କଟରେ କଳାହାଣ୍ଡିର ଧଳାସୁନା:କାଣ୍ଡବିନ୍ଧା ପୋକ ଓ ଅଦିନିଆ ବର୍ଷାରେ କପା ନଷ୍ଟ

କେସିଙ୍ଗା: ଗୋଟିଏ ପଟେ କଳାହାଣ୍ଡିର ଧଲାସୁନା କାଣ୍ଡବିନ୍ଧା ପୋକ ଓ ଅନିଦିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟପଟେ ଆନ୍ତର୍ଜାତୀୟ ସ୍ତରରେ କପାର ସଠିକ ମୂଲ୍ୟ ନଥିବା ମଞ୍ଜି ଓ ବେଲ୍‌ର ମୂଲ୍ୟ ହ୍ରାସ ଯୋଗୁଁ ବେସରକାରୀ ସଂସ୍ଥା କପା କିଣିବାକୁ ମୁହଁ ମୋଡୁଥିବା ଏବଂ ଭାରତୀୟ କପା ନିଗମରେ କପା କିଣା ନେଇ ନୀତିର ପରିବର୍ତନ ଯୋଗୁଁ କଳାହାଣ୍ଡିର କପା ଚାଷୀ ସଙ୍କଟରେ ପଡ଼ି ଯାଇଛନ୍ତି। କପା କିଣା ନେଇ ଜିଲ୍ଲାସ୍ତରୀୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇ ଆସନ୍ତା ୨୪ ତାରିଖରୁ ମଣ୍ଡି ଆରମ୍ଭ କଥା କୁହା ଯାଇଥିଲେ ମଧ୍ୟ ପ୍ରକୃତରେ କେଉଁ କେଉଁ ସଂସ୍ଥା କପା କିଣିବେ ତାହାର ଠୋସ୍‌ ନିଷ୍ପତ୍ତି ହୋଇପାରି ନାହିଁ। ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୫୪ ହଜାର ହେକ୍ଟରରେ କପା ଚାଷ ହୋଇଛି। ଏ ବର୍ଷ ବର୍ଷା କମ ଯୋଗୁଁ ଠିକ ହୋଇଥିବା ବେଳେ ଅମଳ ବେଳକୁ ବର୍ଷା ହୋଇଯିବାରୁ ବହୁ ଗଛର କପା ବଲ୍‌ ଖରାପ ହୋଇଛି। ପରେ କାଣ୍ଡବିନ୍ଧା ପୋକ ଚାଷକୁ ଆକ୍ରାନ୍ତ କରିଛି।

ଏହା ଦ୍ୱାରା ପ୍ରାୟ ୧୦ ହଜାର ହେକ୍ଟର କପା ଚାଷ ପ୍ରଭାବିତ ହୋଇଛି। ଯାହାକୁ ନେଇ ଧାର କରଜ କରି ଚାଷ କରିଥିବା ଏହି କପା ଚାଷୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଜିଲ୍ଲା କଟନ ବିଭାଗ ପକ୍ଷରୁ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ୫୦ ହଜାର କୁଇଣ୍ଟାଲରୁ ଅଧିକ କପା ଅମଳ ହେବ ବୋଲି ଆକଳନ କରାଯାଇଥିବା ବେଳେ ଚାଷୀମାନେ ଏହାର ପରିମାଣ ରୋଗ ଓ ବର୍ଷା ଯୋଗୁଁ ବହୁଳ ପରିମାଣରେ କମିବ ବୋଲି ପ୍ରକାଶ କରିଛନ୍ତି। କପାର ସହାୟକ ମୂଲ୍ୟ ସରକାର ୪୩୨୦ ଟଙ୍କା ଘୋଷଣା କରିଥିଲେ ମଧ୍ୟ ବେଲ୍‌ ଓ ମଞ୍ଜିରେ ଦରର ହ୍ରାସ ଯୋଗୁଁ ବେସରକାରୀ କପା କିଣା ସଂସ୍ଥାମାନେ କପା କିଣିବାକୁ ମଙ୍ଗୁ ନାହାନ୍ତି। ଭାରତୀୟ କପା ନିଗମ କର୍ତ୍ତୃପକ୍ଷ ଯେଉଁ ଚାଷୀମାନେ ତାଙ୍କ ସହ ରେଜଷ୍ଟ୍ରିଭୁକ୍ତ ସେମାନଙ୍କର ଠାରୁ କପା କିଣିବେ ବୋଲି ଶୁକ୍ରବାର ଅନୁଷ୍ଠିତ କପା କିଣା ବୈଠକରେ ପ୍ରକାଶ କରିବା ପରେ ଚାଷୀଙ୍କ ଭାଗ୍ୟ ଦୋଛକିରେ ପଡ଼ିଯାଇଛି। ଯଦି ଏଥର କପା ନିଗମ କପା ନକିଣେ ତାହା ହେଲେ ଚାଷୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିବ। ଏଣୁ ପ୍ରଶାସନ କପା ନିଗମ ନୟମରେ ପରିବର୍ତ୍ତନ କରାଇ ତାଙ୍କ ଦ୍ୱାରା କପା କିଣାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର