ଟାଟା ମୋଟର୍ସ ନାଁରେ ଠକେଇ: ସର୍ବେଶ୍ବରଙ୍କ ପରେ ଟାର୍ଗେଟରେ କିଏ?

ପ୍ରଦୀପଙ୍କ ସର୍ବେସର୍ବା ଥିଲେ ସର୍ବେଶ୍ବର, ଅଧ୍ୟାପକ ଥିବା ବେଳରୁ ହିଁ ବିବାଦରେ ଥିଲେ

ବ୍ରହ୍ମପୁର : ପାଠକ-ପ୍ରଦୀପ ଲିଙ୍କ୍‌ ନେଇ ଗତ ୨୦ଦିନ ହେଲା ସମଗ୍ର ରାଜ୍ୟରେ ଚର୍ଚ୍ଚା ଲାଗିଛି। ଏ ଘଟଣାକୁ ନେଇ ମଧ୍ୟ ରାଜ୍ୟ ରାଜନୀତିରେ ହଇଚର ଚାଲିଛି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବନ୍ଧା ହେବା ପରେ ବିଧାୟକଙ୍କ ଘନିଷ୍ଠ ତଥା ବ୍ରହ୍ମପୁର ସିଟି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଭି.ସ‌ର୍ବେଶ୍ବର ରାଓଙ୍କୁ କ୍ରାଇମବ୍ରାଞ୍ଚ୍‌ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ୩ ବଡ଼ ମୁଣ୍ଡଙ୍କ ଗରିଫ ପରେ କ୍ରାଇମବ୍ରାଞ୍ଚ୍‌ର ପରବର୍ତ୍ତୀ ଟାର୍ଗେଟ୍‌ରେ କିଏ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଗୋପାଳପୁର ବିଧାୟକଙ୍କ ସର୍ବେସର୍ବା ରହି ଆସିଥିବା ସର୍ବେଶ୍ବରଙ୍କ ଗରିଫ ପରେ ତାଙ୍କର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧ୍ୟାପକ ସମୟରୁ ହିଁ ସର୍ବେଶ୍ବର ବିବାଦୀୟ ହୋଇ ପଡ଼ିଥିବା କୁହାଯାଉଛି।

ଭି.ସର୍ବେଶ୍ବର ରାଓ ୧୯୭୬ରେ ଇଂରାଜୀରେ ଏମ୍‌ଏ ପାସ କରିଥିଲେ। ଏହାପରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଅଡ଼ହକ୍‌ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଦିଗପହଣ୍ଡି ଖେମୁଣ୍ଡି କଲେଜରେ ୧୯୭୯ରେ ବିଦ୍ଧବଦ୍ଧ ଭାବେ ଇଂରାଜୀ ଅଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଗଞ୍ଜାମ କଲେଜରେ ୩ ବର୍ଷ ଚାକିରି କରି ପୁଣି ଖେମୁଣ୍ଡି କଲେଜକୁ ଫେରିଥିଲେ। ୨୦୧୧ ଜାନୁଆରି ୨୮ରୁ ସେହି ବର୍ଷ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସିଟି କଲେଜ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ତେବେ ସର୍ବେଶ୍ବରଙ୍କ ଚାକିରି ଜୀବନ ବି ବିବାଦପୂର୍ଣ୍ଣ ରହିଥିଲା। ତାଙ୍କର ଚାକିରି ସମୟରେ ତାଙ୍କର ଅଧ୍ୟାପକ ନିଯୁକ୍ତିର ବୈଧତାକୁ ନେଇ ପ୍ରଶ୍ନ ଉଠିଥିଲା। ଏଥିସହ ସେ ଇଂରାଜୀ ଏମ୍‌ଏରେ ସେ ଖୁବ୍‌ କମ୍‌ ମାର୍କ ରଖି ପାସ୍‌ କରିଥିଲେ। ଫଳରେ ୟୁଜିସି ତାହାକୁ ନେଇ ପ୍ରଶ୍ନ ଉଠାଇଥିଲା। ଚାକିରି ବୈଧତା ଓ ୟୁଜିସି ସ୍କେଲ୍‌‌ ବକେୟା ଅର୍ଥ ୪୪ ଲକ୍ଷ ୨୮ହଜାରକୁ ନେଇ ଅଡ଼ିଟ୍‌ ଆପତ୍ତି ଉଠାଇଥିଲା। ଏପରିକି ସର୍ବେଶ୍ବର ହାଇକୋର୍ଟଙ୍କ ମଧ୍ୟ ଦ୍ବାରସ୍ଥ ହୋଇଥିଲେ। ଚାକିରିରୁ ଅବସର ପରେ ୨୦୧୪ରେ ଗୋପାଳପୁର ବିଧାୟକ ପ୍ରଦୀପଙ୍କ ସଂସ୍ପର୍ଶରେ ଆସି ଘନିଷ୍ଠ ହୋଇଥିଲେ। ନିବିଡ଼ତା ବଢ଼ିବା ପରେ ବିଧାୟକଙ୍କ ଅଘୋଷିତ ପରାମର୍ଶଦାତା ସାଜିଥିଲେ। ବିଧାୟକଙ୍କ ରାଜନୈତିକ ବ୍ୟାପର ଠାରୁ ଆରମ୍ଭ କରି ସବୁ କଥା ସର୍ବେଶ୍ବର ବୁଝୁଥିଲେ। ପ୍ରଦୀପ ମନ୍ତ୍ରୀ ଥିବା ବେଳେ ସର୍ବେଶ୍ବର ଅତ୍ୟନ୍ତ କ୍ଷମତାଶାଳୀ ହୋଇ ଯାଇଥିଲେ। ଟାଟା ମୋଟର୍ସ ନାଁରେ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ୍‌ ବର୍ତ୍ତମାନ ୩ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ପରବର୍ତ୍ତୀ ପାଳି କାହାର ବୋଲି ଚର୍ଚ୍ଚା ଚାଲିଛି। ସିଟି କଲେଜ ଅନ୍ୟତମ ପ୍ରାକ୍ତନ ଅଧ୍ୟକ୍ଷ କମ୍ବୁପାଣି ସାହୁ, ବିଧାୟକଙ୍କ ଘନିଷ୍ଠ ସୂର୍ଯ୍ୟ ସାହୁ, ରବୀନ୍ଦ୍ର ସାହୁ ଏବଂ ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ କ୍ରାଇମବ୍ରାଞ୍ଚ୍‌ ସ୍କାନର୍‌ରେ ଅଛନ୍ତି। ତେବେ ବୋରିଗାଁ ସରପଞ୍ଚ ବସନ୍ତ ସାହୁ ତାଙ୍କ ପୁତୁରାଙ୍କୁ ଟାଟା ମୋଟର୍ସରେ ଚାକିରିରେ ରଖାଇବା ଲାଗି ବିଧାୟକଙ୍କ ଭାଇ ଦିଲ୍ଲୀପଙ୍କୁ ବାୟୋଡାଟା ଦେଇଥିବା କ୍ରାଇମବ୍ରାଞ୍ଚ୍‌ ଆଗରେ କହିଥିଲେ। କ୍ରାଇମବ୍ରାଞ୍ଚ୍‌ ହାତରେ ଏହି ବଡ଼ ପ୍ରମାଣ ଲାଗିବା ପରେ ପରବର୍ତ୍ତୀ ଟାର୍ଗେଟ ଦିଲ୍ଲୀପ କି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର