କଳାହାଣ୍ଡି ଜିଲ୍ଲାରେ ବି ଦାଦନ ମାନଙ୍କ ଚାଉଳ ଖାଉଛି କିଏ ?

୬୯ ହଜାର ପ୍ରବାସୀ ଫେରିବା ପାଇଁ ପଞ୍ଜିକୃତ, ଏପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ୍ବ ଆସିଲେଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ୬୯ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ କଳାହାଣ୍ଡି ଜିଲ୍ଲାକୁ ଆସିବା ପାଇଁ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ୍ବ ଫେରିଲେଣି । ଜିଲ୍ଲାରେ ବର୍ଷ ବର୍ଷ ଧରି ଏହି ପ୍ରବାସୀ ମାନଙ୍କ ଚାଉଳକୁ ତାଙ୍କର ନିକଟ ସମ୍ପର୍କୀୟ ଉଠାଣ କରୁଥିବା ବେଳେ ବହୁ ମହାଜନୀ ପାଖରେ ରାସନକାର୍ଡ଼ ମଧ୍ୟ ବନ୍ଧା ପଡିଛି । ବାୟୋମେଟ୍ରିକସ ପଞ୍ଜିକରଣ ବେଳେ ବନ୍ଧା ରଖିଥିବା ମହାଜନୀମାନେ ଫିଙ୍ଗରପ୍ରିଣ୍ଟକୁ ଦରଜ କରାଇ ପ୍ରବାସୀ ଦାଦନମାନଙ୍କ ରାସନ ବେଧଡ଼କ ଉଥାଣ ହେଉଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଲକଡାଉନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନକାର୍ଡଧାରୀ ପ୍ରତି ସଦସ୍ୟ ମାନଙ୍କ ପାଇଁ ୬ ମାସର ଚାଉଳ ବଣ୍ଟନ କରାଯାଇଛି । ସେଥି ମଧ୍ୟରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମାସର ଚାଉଳ କେଜି ପିଛା ୧ ଟଙ୍କା ନିଆ ଯାଉଥିବା ବେଳେ ଅନ୍ୟ ୩ ମାସର ଚାଉଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ପ୍ରଦାନ କରାଯାଉଛି । ସେହିଭଳି ୩ କେଜି ଡାଲି ମଧ୍ୟ ମାଗଣା ପ୍ରଦାନ କରାଯାଉଛି । ରାଜ୍ୟରେ କଳାହାଣ୍ଡି ଜିଲ୍ଲାରେ ୯୬.୬ ପ୍ରତିଶତ ଚାଉଳ ବଣ୍ଟନ କରାଯାଇ ରାଜ୍ୟ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । କଳାହାଣ୍ଡି ଜିଲ୍ଲାକୁ ୬୯ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଆସିବା ପାଇଁ ଏପର୍ଯ୍ୟନ୍ତ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ ହଜାରରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରି ସାରିଲେଣି ।

ଦାଦନ ଖଟିଯିବା ପୂର୍ବରୁ ବହୁ ଦାଦନ ସେମାନଙ୍କ ରାସନକାର୍ଡକୁ ମହାଜନୀ ପାଖରେ ବନ୍ଧା ପକାଇ ଆଗୁଆ ଟଙ୍କା ନେଇ ପର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ବାୟୋମେଟ୍ରିକ ପଞ୍ଜିକୃତ ବେଳେ ସମ୍ପୃକ୍ତ ମହାଜନୀମାନେ ଚଞ୍ଚକତା କରି ଫିଙ୍ଗରପ୍ରିଣ୍ଟ ଦରଜ କରାଇଥାଆନ୍ତି ଏବଂ କାର୍ଡ଼ଧାରୀଙ୍କ ଆଧାର ଲିଙ୍କ ଥିବା ଯୋଗୁଁ ମହାଜନୀ ମାନେ କାର୍ଡ଼ ଧାରୀଙ୍କ ଅନୁପସ୍ଥିତିରେ ବେଧଡ଼କ ଭାବରେ ଚାଉଳ ଉଠାଣ କରିଥାନ୍ତି । ଆଉ କିଛି ରାସନକାର୍ଡକୁ ସମ୍ପର୍କୀୟ ଓ ପରିବାର ଲୋକେ ରଖି ରାସନକାର୍ଡରେ ଚାଉଳ ଉଠାଣ କରିଥାନ୍ତି ।

ବର୍ତ୍ତମାନ ୬ ମାସର ଚାଉଳ ଉଠାଣରେ କୌଣସି ଫିଙ୍ଗରପ୍ରିଣ୍ଟ ନିଆଯାଉ ନାହିଁ । ଫଳରେ ଅନାୟସ ରେ ଚାଉଳ ଉଠାଣ ହୋଇପାରୁଛି । କଳାହାଣ୍ଡି ଜିଲ୍ଲାର ଗୋଳମୁଣ୍ଡା ବ୍ଲକ ର ମହାଳିଙ୍ଗ ଭାଟିପଡା, କୁଳିଆ ପଡା, ବୋରଡି, କେନ୍ଦୁମୁଣ୍ଡି, ଉଦେଶରୁଙ୍ଗ, ଫରଙ୍ଗ, ଦଶପୁର,ଧର୍ମଗଡ଼ ବ୍ଲକ ର ବେହାରା, ପାର୍ଲା, ଭବାନୀପାଟଣା ସଦର ବ୍ଳକର ଡୁମରିଆ, ବରଫି, ଗୁର୍ଜୁଙ୍ଗ, ଅର୍ତ୍ତଳ, ମସି ଗାଁ, ବୋରଡ଼ା ଅଞ୍ଚଳରେ ପର ରାଜ୍ୟକୁ ଦାଦନ ଖଟିଯିବା ସଂଖ୍ୟା ଅଧିକ ଥିବା ଯୋଗୁଁ ସେମାନଙ୍କ ରାସନ ଚାଉଳ ଭୁତ ଖାଉଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର,ଜୁନାଗଡ଼ ସମେତ ଅନ୍ୟ ବ୍ଳକରେ ମଧ୍ୟ ଦାଦନ ଙ୍କ ଚାଉଳ କିଏ ଖାଉଛି ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ବର୍ଷ ବର୍ଷ ଧରି ସରକାରଙ୍କ ଟାଙ୍କେକିଆ ଚାଉଳ , ଗହମ, କିରାସିନ ଭୁତ ରାସନକାର୍ଡ ରେ ହରିଲୁଟ ହେଉଛି । କିଛି ପଞ୍ଚାୟତ ରେ ଦାଦନ ମାନଙ୍କ କାର୍ଡ଼ କୁ ରଖି ରାସନ ଉଠାଇ ଭାଗ ବଣ୍ଟା ହେଉଥିବା ଅଭିଯୋଗ ସାଧାରଣ ରେ ଆଲୋଡନ ସୃଷ୍ଟି ହୋଇଛି । କଳାହାଣ୍ଡି ଜିଲ୍ଲା କୁ ଆସିବାକୁ ଥିବା ୬୯ ହଜାରରୁ ଉର୍ଦ୍ଧ୍ବ ପଞ୍ଜିକୃତ ହୋଇଥିବା ପ୍ରବାସୀ ଙ୍କ ରାସନକାର୍ଡ ଯାଞ୍ଚ କଲେ ସେମାନଙ୍କ ପାଇଁ ଯୋଗାଣ ହେଉଥିବା ଚାଉଳ କିଏ ଖାଉଛି ପର୍ଦାଫାଶ ହୋଇପାରନ୍ତା ବୋଲି ସାଧାରଣରେ ଦାବୀ ହୋଇଛି ।

ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କୁ ପଚାରିବାରୁ କଳାହାଣ୍ଡି ଜିଲ୍ଲା ଲକଡାଉନ ବେଳର ଚାଉଳ ବଣ୍ଟନ ରେ ରାଜ୍ୟ ରେ ପ୍ରଥମ ହୋଇଛି । ଦାଦନ ମାନଙ୍କ କାର୍ଡ଼ ସେମାନଙ୍କ ପରିବାରରୁ ଫିଙ୍ଗର ପ୍ରିଣ୍ଟ ରେ ହିଁ ଉଠାଣ କରିପାରିବେ । ଫିଙ୍ଗରପ୍ରିଣ୍ଟ ଆଧାର ସହିତ ସଂଯୋଗ ହୋଇଛି । କେବଳ ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ଭଳି ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ନେଟୱାର୍କ ନ ଥିବା ଯୋଗୁଁ ହୁଏତ ବାୟୋମେଟ୍ରିକସ ହୋଇପାରୁ ନଥାଇ ପାରେ । ଦାଦନଙ୍କ ଚାଉଳ ପରିବାର ବ୍ୟତୀତ ଅନ୍ୟମାନେ ସମ୍ଭବ ନୁହେଁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର