ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଦାଦାଗିରି ଓ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମାଫିଆମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ବେଆଇନ ବନ୍ଧୁକ କେଉଁଠୁ ପାଉଛନ୍ତି ତାହା ପୁଲିସର ଚିନ୍ତା ବଢ଼ାଇଛି। ସବୁଠୁ ବଡ଼ କଥା ହେଉଛି, ଗଞ୍ଜେଇ ମାଫିଆଙ୍କ ପଛରେ କିଏ ଅଛି ଓ ସେମାନେ କାହା ବଳରେ ବଳୀୟାନ୍ ତା’ର ଚେର ଖୋଜୁଛି ପୁଲିସ। ଚଳିତ ମାସ ୨୨ ତାରିଖରେ ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ଏକ କମ୍ୟୁନିଟି ସେଣ୍ଟର୍ରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ଖବର ପାଇ ପୁଲିସ ଚଢ଼ଉ ପାଇଁ ଯାଇଥିଲା। ଏତିକିବେଳେ ମାଫିଆମାନେ ପୁଲିସ ଗାଡ଼ି ଉପରେ ଅତର୍କିତ ଆକ୍ରମଣ କରି ଦେଇଥିଲେ। ପୁଲିସ୍ ଜିପ୍ ଭଙ୍ଗାରୁଜା କରିଥିଲେ। ମାଫିଆଙ୍କ ଆକ୍ରମଣକୁ ପ୍ରତିହତ କରି ପୁଲିସ ସେଠାରୁ ୧୧୫୦ କିଲୋ ଗଞ୍ଜେଇ ଜବତ କରିବାକୁ ସକ୍ଷମ ହୋଇଥିଲା। ଗତବର୍ଷ ଫିରିଙ୍ଗିଆ ପୁଲିସ ଚଢ଼ଉ କରି ମାଫିଆଙ୍କଠାରୁ ବିପୁଳ ପରିମାଣର ଗଞ୍ଜେଇ ସମେତ ୨ଟି ପିସ୍ତଲ ଜବତ କରିଥିଲା। ଗତ ୨୦୧୯ରେ ଫୁଲବାଣୀ ସହରରେ ଗଞ୍ଜେଇ ମାଫିଆମାନେ ଜଣେ ପୁଲିସ ସବ୍ ଇନସ୍ପେକ୍ଟରଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଓ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ।
ଗଞ୍ଜେଇ ଚାଷକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲାରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷକରି ଫିରିଙ୍ଗିଆ, ଗୋଛାପଡ଼ା ଓ ବାଲିଗୁଡ଼ା ଥାନା ଅଞ୍ଚଳରେ ଅପରାଧିକ ମାମଲା ବଢୁଛି। ବାହାର ଅଞ୍ଚଳରୁ ଆସୁଥିବା ମାଫିଆମାନେ ଗୋଛାପଡ଼ା, ଫିରିଙ୍ଗିଆ ଏବଂ ଫୁଲବାଣୀ ସହରରେ ଆସ୍ଥାନ ଜମାଇ ଗଞ୍ଜେଇ ଚାଲାଣରେ ସହାୟତା କରୁଛନ୍ତି। ଫିରିଙ୍ଗିଆ, ଗୋଛାପଡ଼ା, ବାଲନ୍ଦାପଡ଼ା, ପକାରି, ଲୁଇସିଂ, ପାଇରାଜୁ ଏବଂ ବାଲିଗୁଡ଼ା ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲମାନଙ୍କରେ ସୁରକ୍ଷିତ ଭାବେ ଗଞ୍ଜେଇ ଚାଷ ହେଉଥିବା କଥା ଜାଣି ମଧ୍ୟ ପୁଲିସ ଓ ବନ ବିଭାଗ କିଛି କରିପାରୁନାହାନ୍ତି। ତତ୍କାଳୀନ ପୁଲିସ ଡିଜି ଅଭୟ କନ୍ଧମାଳ ଜିଲ୍ଲା ଗସ୍ତ କରି କନ୍ଧମାଳରୁ ଗଞ୍ଜେଇ ଚାଷକୁ ସମୂଳେ ଧ୍ବଂସ କରିବାକୁ ଆହ୍ବାନ ଦେଇଥିଲେ। ପରେ ଯେଉଁ ଉଚ୍ଚସ୍ତରୀୟ ପୁଲିସ ଅଧିକାରୀମାନେ କନ୍ଧମାଳ ଆସୁଛନ୍ତି, ସେମାନେ ସେହି ଗୋଟିଏ କଥା କହୁଛନ୍ତି। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସୀମାକୁ ଲାଗିଥିବା ଲୁଇସିଂ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ, ବୌଦ୍ଧ ଅଞ୍ଚଳରୁ ବହୁ ମାଫିଆମାନେ ଚାଲି ଆସି ଗୋଛାପଡ଼ା, ବାଲନ୍ଦାପଡ଼ା, ଲୁଇସିଂ ଓ ପାଇରାଜୁ ଅଞ୍ଚଳରେ ବନ୍ଧୁବାନ୍ଧବ ଜମେଇ ସ୍ଥାନୀୟ ଲୋକଙ୍କ ଘରେ ରହୁଛନ୍ତି। ବର୍ଷବର୍ଷ ଧରି ସ୍ଥାନୀୟ ଲୋକଙ୍କ ସହ ରହି ସେମାନେ ଗଞ୍ଜେଇ ଚାଷ ଏବଂ ବ୍ୟବସାୟ କରୁଛନ୍ତି। ଏହା ପରେ କୌଣସି କାରଣରୁ ସ୍ଥାନୀୟ ଅଞ୍ଚଳର ଗଞ୍ଜେଇ ଚାଷୀଙ୍କ ସହ ମନୋମାଳିନ୍ୟ ଘଟିଲେ ସେମାନେ ଗଣ୍ଡଗୋଳର ସୂତ୍ରପାତ ଘଟାଉଛନ୍ତି। ବେଳେବେଳେ ସ୍ଥାନୀୟ ଅଞ୍ଚଳର ଗଞ୍ଜେଇ ବ୍ୟବସାୟୀ ଓ ଚାଷୀଙ୍କ ଘରୁ ଚୋରି, ଲୁଟ୍ କରିବାକୁ ମଧ୍ୟ ଏମାନେ ପଛାଉ ନାହାନ୍ତି।
ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, କନ୍ଧମାଳ ଜିଲ୍ଲାରୁ ମୁଖ୍ୟତଃ ଦୁଇଟି ରୁଟ୍ରେ ଗଞ୍ଜେଇକୁ ବାହାର ଅଞ୍ଚଳକୁ ଚାଲାଣ କରାଯାଉଛି। ଗଞ୍ଜେଇ ଚାଷର ପ୍ରମୁଖ ହବ୍ କୁହାଯାଉଥିବା ବାଲନ୍ଦାପଡ଼ା, ଲୁଇସିଂ, ପାଇରାଜୁ, ଗୋଛାପଡ଼ା ଅଞ୍ଚଳରୁ ଗୋଛାପଡ଼ା-ଫୁଲବାଣୀ-ଖଜୁରୀପଡ଼ା-ମାଧପୁର-ନୟାଗଡ଼ ଦେଇ ଭୁବନେଶ୍ବର କିମ୍ବା କଟକକୁ ଚାଲାଣ ହେଉଛି। ସେହିଭଳି ଗୋଛାପଡ଼ାରୁ କଣ୍ଟାମାଳ ଦେଇ ବୌଦ୍ଧ ଜିଲ୍ଲା ଦେଇ ସମ୍ବଲପୁର, ବଲାଙ୍ଗୀର କିମ୍ବା ଭୁବନେଶ୍ବରକୁ ଚାଲାଣ ହେଉଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲମାନଙ୍କରେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଷ କରୁଥିଲେ ମଧ୍ୟ ଫିରିଙ୍ଗିଆ ବ୍ଲକ୍ ସେମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ମାଓବାଦୀମାନେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ପୁଲିସ ଅନୁମାନ କରୁଛି।
ଗତବର୍ଷ ବାଲିଗୁଡ଼ାର ବିଭିନ୍ନ ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇ ଗଞ୍ଜେଇ ଚାଷ ପ୍ରତି ସେମାନଙ୍କର ସମର୍ଥନ ବ୍ୟକ୍ତ କରିଥିଲେ। ଯଦି ପୁଲିସ ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଉଦ୍ୟମ କରେ ତେବେ ପୁଲିସକୁ ଏହାର ପରିଣାମ ଭୋଗିବାକୁ ମାଓବାଦୀମାନେ ପୋଷ୍ଟର ଜରିଆରେ ଚେତାବନୀ ଦେଇଥିଲେ। ତେବେ କ'ଣ ମାଓବାଦୀଙ୍କ ବଳ ପାଇ ଗଞ୍ଜେଇ ମାଫିଆମାନେ ବାଲିଗୁଡ଼ା ଓ ଫିରିଙ୍ଗିଆ ଅଞ୍ଚଳରେ ସେମାନଙ୍କର ଆଡ୍ଡା ଜମାଇଛନ୍ତି। କଥା କଥାକେ ବନ୍ଧୁକ ଫୁଟାଉଛନ୍ତି? ଗଞ୍ଜେଇ ଚାଷରେ କେଉଁ ବଡ଼ ମୁଣ୍ଡମାନେ ସମ୍ପୃକ୍ତ ଅଛନ୍ତି, ସେ ଖବର ବନ ବିଭାଗ ଓ ପୁଲିସ ନିକଟରେ ରହିଛି। ମାତ୍ର ଅର୍ଥ ଲୋଭରେ ହେଉ କି ଭୟରେ ସେମାନେ ଏସବୁ ଜାଣି ମଧ୍ୟ ଚୁପ୍ ରହୁଛନ୍ତି। ଏହି ଗଞ୍ଜେଇ ମାଫିଆମାନେ ଫିରିଙ୍ଗିଆ, କଟ୍ରିଙ୍ଗିଆ, ଓ ଗୋଛାପଡ଼ା, ବାଲନ୍ଦାପଡ଼ା ଭଳି ଜଙ୍ଗଲ ମଧ୍ୟରେ ଆକାଶଛୁଆଁ ଅଟ୍ଟାଳିକାସବୁ ନିର୍ମାଣ କରିଛନ୍ତି। ଏମାନଙ୍କ ପଛରେ କେଉଁମାନେ ଅଛନ୍ତି ପୁଲିସ ତାହାର ସନ୍ଧାନ ଜାରି ରଖିଛି ବୋଲି କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।