ଆରଟିଓଙ୍କ ସରକାରୀ ଗାଡ଼ିରେ ପାଖନା ବାବୁ କିଏ ! 

ସୁନ୍ଦରଗଡ଼ : ପାଖନା ବାବୁ କିଏ ! ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ (ଆରଟିଓ) କାର୍ଯ୍ୟାଳୟ ହେଉ କି ଧରପଗଡ଼ ବା ଗାଡ଼ି ଯାଞ୍ଚ ହେଉ, ସବୁଠି ବାବୁଙ୍କ ଉପସ୍ଥିତି ଓ ମାମଲତକାରି ଦେଖିବାକୁ ମିଳେ। ସରକାରୀ ଗାଡ଼ିରେ ଆରଟିଓ ଓ ଅନ୍ୟ ଅଧିକାରୀଙ୍କ ସହ ଯାଇ ଗାଡ଼ି ଅଟକାଇବାେ, କାଗଜପତ୍ର ଯାଞ୍ଚ କରିବା ଆଦି କାମରେ ବାବୁ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ତାଙ୍କୁ ନନେଇ ଆରଟିଓ ଅଫିସ୍ ର ଅଧିକାରୀମାନେ ପାଦେ ଘୁଞ୍ଚନ୍ତିନି। କେହି ଦେଖିଲେ କହିବ ବାବୁ ଆରଟିଓ ଅଫିସ୍ ର ଜଣେ ବଡ଼ କର୍ମଚାରୀ। କିନ୍ତୁ ପ୍ରକୃତରେ ସେ କୌଣସି କର୍ମଚାରୀ ନୁହନ୍ତି, ଆରଟିଓ ଅଫିସ୍ ର ଏଜେଣ୍ଟ ବା ଦଲାଲ୍ ବୋଲି ସୂଚନା ମିଳିଛି। ତାଙ୍କ ଜରିଆରେ ସମସ୍ତ ପ୍ରକାର ଭିତିରିଆ କାରବାର ବା ଟଙ୍କା ଅସୁଲି ହେଉଥିବା ଅଭିଯୋଗ ରହିଛି।

ଘଟଣାକ୍ରମରେ ସୋମବାର ଭସ୍ମା ଠାରେ ସମ୍ପୃକ୍ତ କରିତକର୍ମା ବାବୁଙ୍କ ପାଇଁ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏଆରଟିଓ) ସସ୍ମିତା ବେହେରା ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଘଟଣାଟି ଥିଲା ଏମିତି, ପାଖନା ନାମଧାରୀ ସେହି ବାବୁଙ୍କ ସମେତ ଏଆରଟିଓ ସୁଶ୍ରୀ ବେହେରା ଓ ଅନ୍ୟ କର୍ମଚାରୀମାନେ ଆଜି ସରକାରୀ ବଲେରୋ (ଓଡି ୧୬ଇ ୨୨୬୫)ରେ ଭସ୍ମା ଅଞ୍ଚଳକୁ ଗାଡ଼ି ଯାଞ୍ଚ କରିବାକୁ ଯାଇଥିଲେ। ସେଠାରେ ସୁନ୍ଦରଗଡ଼ର ଏକ ବାଲି ବୋଝେଇ ଗାଡ଼ିକୁ ଯାଞ୍ଚ ପାଇଁ ଅଟକାଇଥିଲେ। ଠିକ୍ ସେତିକି ବେଳେ ବାଲି ଠିକା ନେଇଥିବା ସୁନ୍ଦରଗଡ଼ ସହରର ଜଣେ ବ୍ୟକ୍ତିଙ୍କୁ ଆରଟିଓ ଅଫିସ୍ ର ଜଣେ କର୍ମଚାରୀ ପାଖନା ବାବୁ ଡାକୁଛନ୍ତି, ଗାଡ଼ିର କାଗଜପତ୍ର ଧରି ବାବୁଙ୍କ ପାଖକୁ ଆସ ବୋଲି କହିଥିଲେ। ସମ୍ପୃକ୍ତ ଠିକାଦାର ତୁରନ୍ତ ଆରଟିଓଙ୍କ ଗାଡ଼ି ପାଖକୁ ଯାଇ ଏଆରଟିଓ ସୁଶ୍ରୀ ବେହେରାଙ୍କୁ ପାଖନା କିଏ, ତାଙ୍କୁ କାହିଁକି ସରକାରୀ ଗାଡ଼ିରେ ବୁଲାଉଛନ୍ତି, ସେ କାହିଁକି କାଗଜପତ୍ର ମାଗୁଛି ବୋଲି ପ୍ରଶ୍ନ କରିଥିଲେ। ଏଆରଟିଓ ହଡ଼ବଡ଼େଇ ଯାଇଥିଲେ। ‘ଆଜି ଆସିଛି, ମୋତେ ପଚାର ନାହିଁ, ତାକୁ ପଚାର’ ବୋଲି କହି କୌଣସି ପ୍ରକାରେ ଅଡ଼ୁଆରୁ ଖସିଯିବାକୁ ଚେଷ୍ଟା କରିଥିଲେ। ଠିକ୍ ଏହି ସମୟରେ ପାଖନା ଗାଡ଼ିରୁ ଓହ୍ଲାଇ ଯାଇଥିବା ବେଳେ ଠିକାଦାର ତାଙ୍କୁ ଉତ୍ତମ ମଧ୍ୟମ ଦେବା ସହ ଏଆରଟିଓଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲମାନଙ୍କ ଦୌରାତ୍ମ୍ୟ ଥିଲା। ଦଲାଲମାନଙ୍କ କାମ ସହଜରେ ହୋଇଯାଉଥିବା ବେଳେ ସାଧାରଣ ଲୋକଟେ ଡ୍ରାଇଭିଂ କି ଅନ୍ୟ ଲାଇସେନ୍ସ ବା ଗାଡ଼ିର କାଗଜପତ୍ର କାମ କରିବାକୁ ଗଲେ କର୍ମଚାରୀ ବିଭିନ୍ନ ବାହାନାରେ ଦିନ ଗଡ଼ାଇ ସେମାନଙ୍କୁ ନିରାଶ କରୁଥିଲେ। କର୍ମଚାରୀମାନେ ସ୍ଥିତି ଏମିତି ତିଆରି କରୁଥିଲେ ଯେ, ସାଧାରଣଲୋକଟେ ଶେଷକୁ ଦଲାଲ ପାଖକୁ ଯିବାକୁ ବାଧ୍ୟ ହେଉଥିଲେ। ଆଉ ଦିନ ଦିନ ଧରି ଅପେକ୍ଷା ପରେ ବି ହୋଇ ପାରୁ ନଥିବା କାମ ଦଲାଲ ମାଧ୍ୟମରେ କିଛି ଘଣ୍ଟାରେ ହୋଇଯାଉଥିଲା। ଅବଶ୍ୟ ରାଜ୍ୟ ସାରା ଆରଟିଓ ଅଫିସଗୁଡ଼ିକରେ ଦଲାଲ ଧରପଗଡ଼ ଓ ରାଉରକେଲାରେ ୨୦ରୁ ଅଧିକ ଦଲାଲ୍ ଧରାପଡ଼ିବା ପରେ ଭୟରେ ସୁନ୍ଦରଗଡ଼ କାର୍ଯ୍ୟାଳୟରୁ ଦଲାଲ୍ ହଟି ଯାଇଥିଲେ। କିନ୍ତୁ ଆରଟିଓ ଅଫିସର ଖାସ୍ ଏଜେଣ୍ଟ ଭାବେ ପରିଚିତ ସେହି ବାବୁଙ୍କ ଉପରେ କୌଣସି ରୋକ ଲାଗି ନାହିଁ। ଫଳତଃ ଆରଟିଓ ଅଫିସର ସର୍ବେସର୍ବା ରୂପେ ସେ ସବୁ କାମ କରୁଥିବା ବେଳେ ଅର୍ଥ ଆଦାୟର ସୂତ୍ରଧର ସାଜିଥିବା ଅଭିଯୋଗ ହୋଇଛି। ସୋମବାର ଘଟିଥିବା ଘଟଣା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏଆରଟିଓ ଜଣେ ବେସରକାରୀ ବ୍ୟକ୍ତିଙ୍କୁ କିପରି ସରକାରୀ ଗାଡ଼ିରେ ଗାଡ଼ି ଯାଞ୍ଚ ପାଇଁ ନେଇଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ। ଏବେ ଏ ଘଟଣାରେ ଏଆରଟିଓ ଓ ସମ୍ପୃକ୍ତ ଦଲାଲ ବିରୋଧରେ ପରିବହନ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର