ସୁନ୍ଦରଗଡ଼ : ଦୌଡ଼ରେ ନଥିବା ଜଣେ ସାଧାରଣ ମହିଳା କୁନ୍ତୀ ପ୍ରଧାନଙ୍କ ମୁଣ୍ଡରେ ବିଜେଡି ମୁଖିଆ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଭାପତି ଶିରୋପା ଭିଡ଼ିବା ସମସ୍ତଙ୍କୁ ଚକିତ କରିଥିଲା। ଏପରିକି ସ୍ଥାନୀୟ ବିଜେଡି ଶିବିର ମଧ୍ୟ ନବୀନଙ୍କ ନିଷ୍ପତ୍ତିରେ ଚମକି ପଡ଼ିଥିଲା। କାରଣ ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ସଭାପତି ଆସନ ପାଇଁ ଜଣେ ପୁରୁଷର ନାମ ଆସିବ ବୋଲି ସମସ୍ତଙ୍କ ଧାରଣା ଥିଲା। ଏଥିପାଇଁ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ପୂର୍ବତନ ପଞ୍ଚାୟତସମିତି ଅଧ୍ୟକ୍ଷ ମନୋଜ ବାରୁଆ, ରାଉରକେଲା ବିଧାୟକ ସାରଦାପ୍ରସାଦ ନାୟକଙ୍କ ଖାସ୍ ଅନୁଗତ ରାଜେନ୍ଦ୍ର କୁଜୁର ଓ ବିତ୍ତଶାଳୀ ଅଶୋକ ନାଏକଙ୍କ ପରି ବହୁ ନାମୀଦାମୀ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଚର୍ଚ୍ଚାରେ ଥିଲା। ଏମାନଙ୍କୁ ମଧ୍ୟରୁ କେହି ଜଣେ ସଭାପତି ନିର୍ବାଚିତ ହେବେ ବୋଲି ସ୍ଥାନୀୟ ବିଜେଡି ଆକଳନ କରୁଥିଲା। କିନ୍ତୁ ନବୀନ ଜିଲ୍ଲା ପରିଷଦ ସଭାପତି ପଦବି ପାଇଁ କୁନ୍ତୀଙ୍କୁ ପସନ୍ଦ କରିଥିଲେ। ଏସ୍ଥିତିରେ ପରିଷଦ ଉପସଭାପତି ପଦବିକୁ କିଏ ନିର୍ବାଚିତ ହେବେ, କାହାକୁ ନବୀନ ପସନ୍ଦ କରିବେ, ତାର ଆକଳନ କରିବା ଖୋଦ୍ ଜିଲ୍ଲା ବିଜେଡି ପକ୍ଷେ ମଧ୍ୟ ମୁସ୍କିଲ ହୋଇପଡ଼ିଛି। ତେବେ ଜିଲ୍ଲା ପରିଷଦ ସଭାପତି ଆସନ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ଓ ଜଣେ ଆଦିବାସୀ ମହିଳାଙ୍କୁ ଦିଆଯାଇଥିବାରୁ ଉପସଭାପତି ଶିରୋପା ଘୁନାଥପାଲ୍ଲୀ, ବଣାଇଁ ଅଞ୍ଚଳର ପୁରୁଷ ଜିଲ୍ଲା ପରିଷଦ ସଭ୍ୟଙ୍କ ମୁଣ୍ଡରେ ଭିଡ଼ା ଯିବ। ସମ୍ଭବତଃ ପରିଷଦ ସଭାପତି ଦୌଡ଼ରେ ଥିବା ନେତାଙ୍କ ମଧ୍ୟରୁ ଜଣକୁ ବଛାଯିବ ବୋଲି ଚର୍ଚ୍ଚା ହେଉଛି। ଏହା ବାଦ୍ ଆଉ ଏକ ଭିନ୍ନ କଥା ମଧ୍ୟ ଶୁଣିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଖର ଲୋକପ୍ରିୟତା ସତ୍ତ୍ବେ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ଓ ତଳସରା ବିଧାନସଭା କ୍ଷେତ୍ରରେ ଏଯାଏ ବିଜେଡି ଖାତା ଖୋଲି ପାରିନାହିଁ। ତେଣୁ ତାକୁ ଆଖି ଆଗରେ ରଖି ଜିଲ୍ଲା ପରିଷଦ ସଭାପତି ସହ ଉପସଭାପତି ଆସନ ମଧ୍ୟ ଏହି ଅଞ୍ଚଳକୁ ଭେଟି ଦେଇ ବିଜେଡିକୁ ମଜଭୁତ କରିବା ପାଇଁ ନବୀନ ଚିନ୍ତା କରୁଥିବା କୁହାଯାଉଛି। ତେବେ ଏସବୁ ଆକଳନ, ଚର୍ଚ୍ଚା ମଧ୍ୟରେ ବିଜେଡି ମୁଖିଆ କାହାକୁ ପରିଷଦ ଉପସଭାପତି କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପସଭାପତି କିଏ !
/sambad/media/post_attachments/wp-content/uploads/2022/01/election-ffaaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)