ବଲାଙ୍ଗୀର: ବେଲପଡ଼ା ଥାନାରେ ଚାଉଳ ବୋଝେଇ ଟ୍ରକ୍ (ଓଆର୍ ୧୪ଏସ୍ ୩୨୦୨)। ଟ୍ରକ୍ରେ କେତେ କୁଇଣ୍ଟାଲ ଚାଉଳ ବୋଝେଇ ହୋଇ ଅଛି ତାହା ବି ମାପଚୁପ ହୋଇନି। ଯୋଗାଣ ବିଭାଗ ଅଧିକାରୀ ଯାଇ ଉପୁରିଆ ତଦନ୍ତ କରି ଫେରି ଆସିଛନ୍ତି। ପୁଲିସ ବି ଟ୍ରକ୍ ଓ ଡ୍ରାଇଭରକୁ ଅଟକ ରଖି ଚୁପଚାପ ବସିଛି। ଏପଟେ ବଲାଙ୍ଗୀର ମିଲର୍ସଙ୍କ କାରନାମାକୁ ନେଇ ଚର୍ଚ୍ଚା ସରଗରମ ହୋଇଛି। କେଉଁ ମିଲକୁ ଚାଉଳ ଆସୁଥିଲା? ଶ୍ୟାମଜୀ ଟ୍ରେଡିଂ କୋ କାହାର? ଏହାର ବ୍ୟବସାୟ ଚାଉଳ ନା ଆଉ କିଛି ରହିଛି? ଚାଉଳ କେଉଁଠୁ ଆଣିଥିଲେ ଓ କୁଆଡ଼େ ଯିବାର ଥିଲା ତାକୁ ନେଇ ଗୁମର ଖୋଲିବାରେ ଲାଗିଛି।
ଶ୍ୟାମଜୀ ଟ୍ରେଡିଂ କୋର ମାଲିକ ଅଶୋକ ଅଗ୍ରୱାଲ ବୋଲି ଜଣାପଡ଼ିଛି। ହେଲେ ଅଶୋକଙ୍କୁ ଏ ପର୍ଯ୍ୟନ୍ତ ପୁଲିସ କୌଣସି ପଚରାଉଚୁରା କରିନି। ଏପଟେ ଚାଉଳ ନର୍ଲାରୁ ବୌଦ୍ଧ ଜିଲ୍ଲାକୁ ଯିବାର ଥିଲା ବୋଲି କୁହାଯାଇ ମାମଲାକୁ ଅନ୍ୟ ମୋଡ଼ ଦେବାକୁ ଉଦ୍ୟମ ଚାଲିଛି। ଯଦି ଚାଉଳ ବୌଦ୍ଧ ଜିଲ୍ଲା ଯିବାର ଥିଲା ତାହେଲେ କାହିଁକି କେସିଙ୍ଗା, ବଲାଙ୍ଗୀର ଦେଇ ବୌଦ୍ଧକୁ ଯାଇନଥିଲା? ଟ୍ରକ୍ କଣ୍ଟାବାଞ୍ଜି ପଟକୁ କାହିଁକି ଯାଇଥିଲା? ମିଳିଥିବା ସୂଚନା ଅନୁସାରେ, ସୋମବାର ରାତି ପୁଲିସ ଶ୍ୟାମଜୀ ରାଇସ ମିଲଠାରେ ଟ୍ରକ୍ ଅଟକିଥିବା ସମୟରେ ଧରିଥିଲା। ଉକ୍ତ ମିଲ ପରିସରରେ ଟ୍ରକ୍ ଅଟକିବା ପଛର କାରଣ କଣ? ଏପରିକି ପୁଲିସ ଶ୍ୟାମଜୀ ରାଇସ ମିଲର କର୍ମଚାରୀଙ୍କ ମୋବାଇଲ ଫୋନ୍କୁ ସାଙ୍ଗରେ ଆଣିଥିଲା। ସେମାନେ ପୁଲିସ ଟିମ୍ର ଫଟୋ ଉତ୍ତୋଳନ କରୁଥିବାରୁ ପୁଲିସ ଟିମ୍ ମୋବାଇଲ ଜବତ କରିଥିଲେ। ଆଉ ପରବର୍ତ୍ତୀ ସମୟରେ ଶ୍ୟାମଜୀ ରାଇସ ମିଲ ମାଲିକ ବେଲପଡ଼ା ଥାନାକୁ ଆସି ପୁଲିସ ସହ କଥାବାର୍ତ୍ତା ହୋଇଥିଲେ। ଏଣୁ ଏହି ଚାଉଳ କାରବାରରେ ଶ୍ୟାମଜୀ ରାଇସ ମିଲର ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ ବଢୁଛି। ହେଲେ ଏସବୁ ଚାଉଳ କାରବାରରେ ଶ୍ୟାମଜୀ ରାଇସ ମିଲର କୌଣସି ସଂପୃକ୍ତି ନାହିଁ ବୋଲି ମାଲିକ କହୁଛନ୍ତି। ଶ୍ୟାମଜୀ ଟ୍ରେଡିଂ କୋ ଅନ୍ୟ ଜଣଙ୍କର ବୋଲି ସେ କହୁଛନ୍ତି। ଯଦି ସଂପୃକ୍ତି ନାହିଁ ତାହେଲେ ସେ କାହିଁକି ଥାନାକୁ ଆସିଥିଲେ?
ଅନ୍ୟପଟେ ସେହି ପାଖାପାଖି ଅନ୍ୟ କିଛି ରାଇସ ମିଲ ଅଛି। ଏବେ ରାଇସ ମିଲର୍ମାନେ ମଣ୍ଡିରୁ ଉଠାଇଥିବା ଧାନ ବାବଦକୁ ଚାଉଳ ଫେରାଉଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସବୁ ଚାଉଳ ଫେରାଇବାକୁ ସରକାରୀ ନିର୍ଦେଶ ଅଛି। କେଉଁ ମିଲର୍ କେତେ ଚାଉଳ ଫେରାଇବାର ଅଛି ତାହାର ଯାଞ୍ଚ କରଯିବା ସହ ମିଲର ବିଦ୍ୟୁତ୍ ବିଲ୍ ଯାଞ୍ଚ କଲେ ଅନେକ କିଛି ସାମ୍ନାକୁ ଆସିବ। ଏହି ମାମଲାରେ ଏ ପର୍ଯ୍ୟନ୍ତ ଟିଟିଲାଗଡ଼ ଉପଜିଲ୍ଲାପାଳ ବି ନିରବ ଅଛନ୍ତି। ସିଏସ୍ଓ କେବଳ ଜଣେ ନିରୀକ୍ଷକଙ୍କୁ ପଠାଇ ନିଜ ତଦନ୍ତ ସାରିଦେଇଛନ୍ତି। ଯାହା ସବୁ ସାମ୍ନାକୁ ଆସିଲାଣି ଜିଲ୍ଲାସ୍ତରୀୟ ଟିମ୍ ଯାଇ ଏ ପର୍ଯ୍ୟନ୍ତ ଖୋଲତାଡ଼ କରିବା ଦରକାର। ହେଲେ ଏହି ଚାଉଳ ଟ୍ରକ୍ ଉପରେ ଯୋଗାଣ ବିଭାଗ ସେତେଟା ଧ୍ୟାନ ଦେଉନି। ବର୍ତ୍ତମାନ ଯଦି କଣ୍ଟାବାଞ୍ଜି ଅଂଚଳରେ ଥିବା ମିଲଗୁଡ଼ିକର ଯାଞ୍ଚ କରାଯାଏ ତାହେଲେ ଚାଉଳର କଳା କାରବାରର ବହୁ ତଥ୍ୟ ଲୋକଲୋଚନକୁ ନିହାତି ଆସିବ ବୋଲି ମତପ୍ରକାଶ ପାଉଛି।