ଚାଲିଛି ଅଙ୍କକଷା, କିଏ ହେବ ଜିଲ୍ଲା ପରିଷଦ ସଭାନେତ୍ରୀ?

ପାଟକୁରା, ରାଜନଗରକୁ ଏଯାଏ ମିଳିନି ପ୍ରତିନିଧିତ୍ବ ସୁଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାନେତ୍ରୀ କିଏ ହେବ? କୋଉ ନିର୍ବାଚନ ମଣ୍ତଳୀ ଭାଗରେ ପଡ଼ିବ ଏହି ଗୁରୁତ୍ବପୂର୍ଣ୍ଣ ଆସନ? ରାଜନୈତିକ ମହଲରେ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ଜିଲ୍ଲାର ୩୨ରୁ ୩୧ଜୋନ୍‌ରେ ବୃହତ୍‌ ବିଜୟ ହାସଲ କରିଥିବା ବିଜେଡି ଏଥର ମଧୢ ବୋର୍ଡ ଗଠନ କରିବା ସ୍ପଷ୍ଟ। ହେଲେ ସଭାପତି ଆସନ ଅନୁସୂଚିତ ଜାତି(ଏସ୍‌ସି) ବର୍ଗର ମହିଳାଙ୍କ ପାଇଁ ସ˚ରକ୍ଷିତ ଥିବାରୁ କିଏ ଏହି ହଟସିଟ୍‌ରେ ବସିବ, ତାକୁ ନେଇ ଚର୍ଚ୍ଚା ଜୋର‌୍‌ ଧରିଲାଣି। ଆଶାୟୀ ସଭାନେତ୍ରୀ ତାଲିକାରେ ୫ଜଣ ମହିଳା ଅଛନ୍ତି। ସେମାନେ ହେଉଛନ୍ତି ଜିଲ୍ଳା ପରିଷଦ ସଭ୍ୟା ଲିଲିତା ଦାସ, ଗୀତାଞ୍ଜଳି ସେଠୀ, ପ୍ରିୟଦର୍ଶିନୀ ତରାଇ, ଜ୍ୟୋତିର୍ମୟୀ ବେହେରା ଏବ˚ ରଶ୍ମି ମଳିକ। ଏହି ପାଞ୍ଚ ବିଜେଡି ଜିଲ୍ଲା ପରିଷଦ ସଭ୍ୟାଙ୍କ ମଧୢରୁ ତିନି ଜଣ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀର ହୋଇଥିବା ବେଳେ ଜଣେ ପାଟକୁରା ଏବ˚ ଜଣେ ରାଜନଗର ନିର୍ବାଚନ ମଣ୍ତଳୀର ଅଛନ୍ତି। ଗତଥର ସଭାପତି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀରୁ ମାନସ କୁମାର ପରିଡ଼ା ହୋଇଥିଲେ। ଏଥର ବି ତିନି ଜଣ ସଭ୍ୟା କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରୁ ଜିତିଥିବାରୁ ସେମାନଙ୍କ ମଧୢରୁ କାହାକୁ ଜଣଙ୍କୁ ବଛାଯିବ ନା’ ଆଦୌ ପ୍ରତିନିଧିତ୍ବ ପାଇନଥିବା ପାଟକୁରା ଓ ରାଜନଗର ନିର୍ବାଚନ ମଣ୍ତଳୀର ଦୁଇ ଜଣଙ୍କ ମଧୢରୁ ଜଣଙ୍କୁ ସଭାନେତ୍ରୀ ହେବାର ସୁଯୋଗ ମିଳିବ, ତାହାକୁ ନେଇ ଆଲୋଚନା ଜୋର ଧରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଇତିହାସରେ ଅଦ୍ୟାବଧି ପାଟକୁରା ଓ ରାଜନଗର ନିର୍ବାଚନ ମଣ୍ତଳୀରୁ କେହି ସଭାପତି ହେବାର ସୁଯୋଗ ପାଇନାହାନ୍ତି। ୧୯୯୭ମସିହାରୁ ଆଜି ସୁଦ୍ଧା ପାଞ୍ଚଟି ନିର୍ବାଚନ ହୋଇଛି। ଯେଉଁ ପାଞ୍ଚ ଜଣ ସଭାପତି ହୋଇଛନ୍ତି, ସେମାନଙ୍କ ମଧୢରୁ ସର୍ବାଧିକ ତିନି ଜଣ ଆଳି ବିଧାନସଭାରୁ ଏବ˚ ଜଣେ ଲେଖାଏଁ ମହାକାଳପଡ଼ା ଓ କେନ୍ଦ୍ରାପଡ଼ା ବିଧାନସଭା ଅ˚ଚଳରୁ ନିର୍ବାଚିତ ହୋଇ ଆସିଥିଲେ। ଗତ ୨୦୧୭ରେ କେନ୍ଦ୍ରାପଡ଼ା ବିଧାନସଭାର ୭ନମ୍ବର ଜୋନ୍‌ରୁ ବିଜୟୀ ହୋଇଥିବା ମାନସ ପରିଡ଼ା ସଭାପତି ହୋଇଥିଲେ। ପାଟକୁରା ଓ ରାଜନଗର ନିର୍ବାଚନ ମଣ୍ତଳୀରୁ ଏଯାଏ କେହି ହେଇନଥିବାରୁ ଏଥର ସଭାପତି ଆସନକୁ ନେଇ ସ୍ଥାନୀୟ ଅ˚ଚଳରୁ ଦାବି ଉଠିଲାଣି।

ସଭାପତି ଆସନ ଏସ୍‌ସି ମହିଳାଙ୍କ ପାଇଁ ସ˚ରକ୍ଷିତ ରହିଥିବା ବେଳେ ଜିଲ୍ଲାର ଯେଉଁ ପାଞ୍ଚଟି ଜୋନ୍‌ ଏହି ବର୍ଗର ମହିଳାଙ୍କ ସ˚ରକ୍ଷିତ ରହିଥିଲା, ସବୁଥିରେ ବିଜେଡି ଜିତିଛି। କେନ୍ଦ୍ରାପଡ଼ା ବିଧାନସଭାର ୫ନମ୍ବର ଜୋନ୍‌ରୁ ଲିଲିତା ଦାସ, ୧୫ନମ୍ବରରୁ ପ୍ରିୟଦର୍ଶିନୀ ତରାଇ, ୧୬ନମ୍ବରରୁ ଜ୍ୟୋତିର୍ମୟୀ ବେହେରା, ପାଟକୁରାର ୧୩ନମ୍ବର ଜୋନ୍‌ରୁ ଗୀତାଞ୍ଜଳି ସେଠୀ ଏବ˚ ରାଜନଗରର ୧୮ନମ୍ବରରୁ ରଶ୍ମି ମଳିକ ଜିଲ୍ଲା ପରିଷଦ ଜିତିଛନ୍ତି। ଏମାନଙ୍କ ମଧୢରେ ଲିଲିତା ରାଜନୀତିରେ ସ˚ପୂର୍ଣ୍ଣ ନବାଗତ ହୋଇଥିବା ବେଳେ ଅନ୍ୟ ଚାରି ଜଣଙ୍କର ପ୍ରତିନିଧିତ୍ବ କରିବାର ପୂର୍ବ ଅଭିଜ୍ଞତା ରହିଛି। ଜିଲ୍ଲା ପରିଷଦ ଜିତିବା ପୂର୍ବରୁ ପ୍ରିୟଦର୍ଶିନୀ ତରାଇ ତରଡ଼ିପାଳ ପ˚ଚାୟତର ସରପ˚ଚ ରହିଥିବା ବେଳେ ଜ୍ୟୋତିର୍ମୟୀ ପଟ୍ଟାମୁଣ୍ତାଇ ପ˚ଚାୟତ ସମିତି ଅଧୢକ୍ଷା, ଗୀତାଞ୍ଜଳି ଜିଲ୍ଲା ପରିଷଦ ଉପାଧୢକ୍ଷା ଏବ˚ ରଶ୍ମି ମଳିକ ପଟ୍ଟାମୁଣ୍ତାଇ ଶାସନ ପ˚ଚାୟତର ସମିତି ସଭ୍ୟା ଥିଲେ। ଅର୍ଥାତ୍‌ ଲିଲିତାଙ୍କୁ ଛାଡ଼ିଦେଲେ ଅନ୍ୟ ଚାରି ଜଣଙ୍କର ପ˚ଚାୟତ, ଜୋନ୍‌, ବ୍ଲକ୍‌ ଏବ˚ ଜିଲ୍ଲା ପରିଷଦ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ରହିଛି। ଏ କଥା ସ୍ପଷ୍ଟ ଯେ ଉକ୍ତ ପାଞ୍ଚ ଜଣ ମହିଳାଙ୍କ ମଧୢରୁ ଜଣେ ସଭାନେତ୍ରୀ ହେବା ଥୟ। ହେଲେ ସେମାନଙ୍କ ମଧୢରୁ କାହାକୁ ଏହି ସୌଭାଗ୍ୟ ମିଳିବ, ତାହାକୁ ନେଇ ସସପେନ୍‌ସ ଲାଗି ରହିଛି। ଏହି ପାଞ୍ଚ ଜଣଙ୍କ ମଧୢରୁ ପ୍ରିୟଦର୍ଶିନୀ, ଜ୍ୟୋତିର୍ମୟୀ ସରପ˚ଚ ଓ ବ୍ଲକ୍‌ ଚେୟାରମ୍ୟାନ୍‌ ଥାଇ ମଧୢ ନିଜ ଅ˚ଚଳରେ ଦଳର ନାକ କାଟି ଦେଇଛନ୍ତି। ଉଭୟଙ୍କ ବିରୋଧରେ ଜନ ଅସନ୍ତୋଷ ଓ ଆକ୍ରୋଶ ଏତେ ଯେ ଶଙ୍ଖ ଚିହ୍ନରେ ଲଢ଼ି ମଧୢ ନିଜ ପ˚ଚାୟତରେ ଦୁହେଁ ବିଜେଡିକୁ ଅଧିକ ଭୋଟ୍‌ ଦେଇପାରିନାହାନ୍ତି। ପ୍ରିୟଦର୍ଶିନୀଙ୍କ ତରଡ଼ିପାଳ ପ˚ଚାୟତରେ ୧୧୪୩ ଖଣ୍ତ ଏବ˚ ଜ୍ୟୋତିର୍ମୟୀଙ୍କ ଗଙ୍ଗାରାମପୁର ପ˚ଚାୟତରେ ୩୩୮ଖଣ୍ତ ଭୋଟ୍‌ରେ ଦଳ ବିଜେପିଠାରୁ ପଛୁଆ ରହିଛି। କେବଳ ସେତିକି ନୁହେଁ, ସର˚ପଚ ଭାବେ ପ୍ରିୟଦର୍ଶିନୀଙ୍କ ନାଁରେ ଅନେକ ଦୁର୍ନୀତି ଅଭିଯୋଗ ଏବ˚ ଥାନାରେ ଅପରାଧିକ ମାମଲା ରହିଥିବା ବେଳେ ଜ୍ୟୋତିର୍ମୟୀଙ୍କ ବିରୋଧରେ ବିପୁଳ ସ˚ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି।

ତେଣୁ ଏହି ଦୁଇ ଜଣଙ୍କ ନାମ ସଭାନେତ୍ରୀ ବଛାଯିବା ପ୍ରସଙ୍ଗରେ ବିଚାରକୁ ଆସିଲେ ଦୁର୍ନୀତି ଅଭିଯୋଗ ଏବ˚ ନିଜ ପ˚ଚାୟତରେ ଲୋକଙ୍କ ଦ୍ବାରା ପ୍ରତ୍ୟାଖାତ ହେଇ ଦଳକୁ ଦ୍ବିତୀୟ ସ୍ଥାନକୁ ଠେଲିଦେବା ପ୍ରସଙ୍ଗ ଦଳୀୟ ନେତୃମଣ୍ତଳୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ।  ଅନ୍ୟପକ୍ଷରେ ୧୮ନମ୍ବରର ରଶ୍ମି ମଳିକ ଜିଲ୍ଲା ପରିଷଦ ନିର୍ବାଚିତ ହେବା ପୂର୍ବରୁ ଶାସନ ପ˚ଚାୟତରେ ସମିତି ସଭ୍ୟା ଥିଲେ। ପ˚ଚାୟତ ସମିତିରେ ପଟ୍ଟାମୁଣ୍ତାଇ ବ୍ଲକ୍‌ ଅଧୢକ୍ଷା ପଦ ପାଇଁ ଜ୍ୟୋତିର୍ମୟୀଙ୍କ ସହିତ ସେ ମଧୢ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଆଉ ଲଢ଼ିନଥିଲେ। ଯେହେତୁ ଦଳର ନେତାଙ୍କ କଥାରେ ଅଧୢକ୍ଷ ପଦ ଲଢେ଼ଇରୁ ଗତଥର ଓହରି ଯାଇଥିଲେ, ତେଣୁ ଏଥର ଦଳ ନିଶ୍ଚୟ ତାଙ୍କୁ ଜିଲ୍ଲା ପରିଷଦ ସଭାନେତ୍ରୀ କରିବ ବୋଲି ରଶ୍ମି ଆଶା ବାନ୍ଧିଛନ୍ତି। ସେହିପରି ପାଟକୁରାର ୧୩ନମ୍ବର ଜୋନ୍‌ର ଗୀତାଞ୍ଜଳି ସେଠୀଙ୍କ ଜିଲ୍ଲା ପରିଷଦ ବୋର୍ଡ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ରହିଛି। ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ ୨୦୦୨ମସିହାରେ ସେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧୢକ୍ଷ ଥିଲେ।

ଜଣେ ଦକ୍ଷ ମହିଳା ସ˚ଗଠକ ହିସାବରେ ଜଣାଶୁଣା ଗୀତାଞ୍ଜଳି ଏଥର ପୁଣି ଅନ୍ୟ ଚାରି ପ୍ରାର୍ଥୀଙ୍କ ତୁଳନାରେ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେଣୁ ସେ ଅନ୍ୟତମ ଦାବିଦାର ବୋଲି କୁହାଯାଉଛି। ଲିଲିତା ପ୍ରଥମଥର ପାଇଁ ରାଜନୀତି ମଇଦାନକୁ ଆସି ଜିତିଥିଲେ ବି ବୟସ କମ୍‌ ଏବ˚ ଅଭିଜ୍ଞତା ନାହିଁ। କିନ୍ତୁ ଅପ୍ରତ୍ୟାତଶିତ ନିଷ୍ପତ୍ତି ବିଜେଡିରେ ଅନେକବାର ଦେଖିବାକୁ ମିଳିଥିବାରୁ ଲିଲିତାଙ୍କୁ ସୁଯୋଗ ମିଳିବା ବି ଅସମ୍ଭବ ନୁହେଁ। କିନ୍ତୁ ରାଜନୈତିକ ଅଙ୍କ ଅନୁସାରେ ପାଟକୁରା ଓ ରାଜନଗର ନିର୍ବାଚନ ମଣ୍ତଳୀରୁ ଯେହେତୁ ଏଯାଏ କେହି ସଭାପତି ହେଇନାହାନ୍ତି; ତେଣୁ ସଭାପତି ଚୟନ ପ୍ରସଙ୍ଗକୁ ନେଇ ଉକ୍ତ ଦୁଇ ଅ˚ଚଳର ଦାବି ଉଠିଲାଣି। କାହିଁକି ସଭାପତି ରୂପେ ପ୍ରତିନିଧିତ୍ବ କରିବାର ସୁଯୋଗ ଆମ ଅ˚ଚଳକୁ ମିିଳିବ ନାହିଁ ବୋଲି ଅ˚ଚଳବାସୀ ପ୍ରଶ୍ନ ଉଠାଇଲେଣି। ତେଣୁ ପାଟକୁରା କିମ୍ବା ରାଜନଗରରୁ ଜଣଙ୍କୁ ସଭାପତି କରି ଦଳ ଅ˚ଚଳରୁ ଉଠୁଥିବା ଦାବିକୁ ମାନିନେବା ସହିତ ପ୍ରତିନିଧିତ୍ବ କ୍ଷେତ୍ରରେ ଜିଲ୍ଲାର ସନ୍ତୁଳନ ରକ୍ଷାର ବାର୍ତ୍ତା ଦେବାକୁ ଚାହିଁପାରେ। ସବୁକିଛି ଦଳୀୟ ନେତୃମଣ୍ତଳୀ ନିଷ୍ପତ୍ତି ଉପରେ ନିର୍ଭର କରୁଥିବାରୁ ତିନି ନିର୍ବାଚନ ମଣ୍ତଳୀର ବିଧାୟକଙ୍କ ମଧୢରୁ କାହାର ପଲା ଭାରି ରହୁଛି ଆଉ କିଏ ଏହି ଆସନରେ ବାଜି ମାରୁଛି, ତାକୁ ନେଇ ଆକଳନ ଜାରି ରହିଛି।

ସମ୍ବନ୍ଧିତ ଖବର