ରାୟଗଡ଼ା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ହାତୀ କାହା ମୁଣ୍ଡରେ ଢ଼ାଳିବ ସୁନା କଳସ। ବିଷମକଟକ ‘ଖ’ ଜୋନ୍ ପ୍ରାର୍ଥୀ ବିଜୟଶାନ୍ତି କୁମୁରିକା ନା ରାୟଗଡ଼ା ‘ଗ’ ଜୋନ୍ ପ୍ରାର୍ଥୀ ସନ୍ଧ୍ୟା ପୁଲାକା। ଜିଲ୍ଲାର ଦୁଇ ହେଭିୱେଟ୍ ନେତା ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଏବଂ ଜିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାଶଙ୍କ ମନୋନିତ ପ୍ରାର୍ଥୀକୁ ନେଇ ବିଜେଡ଼ି ଶିବିର ସରଗରମ ହୋଇଥିବା ବେଳେ ପ୍ରସ୍ତାବିତ ଦୁଇ ନାଁ ଉପରେ ଚୂଡ଼ାନ୍ତ ମୋହର ଲଗାଇବେ ଦଳୀୟ ସୁପ୍ରିମୋ। ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ି ବାଜିମାତ୍ କରିବା ପରେ ଅଧ୍ୟକ୍ଷ ଆସନରେ କିଏ ବସିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଚଳିତ ଥର ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୨୨ ଆସନ ବିଶିଷ୍ଟ ରାୟଗଡ଼ା ଜିଲ୍ଲା ପରିଷଦର ସର୍ବାଧିକ ୧୬ ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ମନୋନିତ କରିବାକୁ ବିଜେଡ଼ି ପାଖରେ ବିଷମକଟକ ‘କ’ ଜୋନର ସୁଜାତା କାଡ୍ରକା, ‘ଖ’ ଜୋନର ବିଜୟଶାନ୍ତି କୁମୁରିକା, କାଶୀପୁର ‘କ’ ଜୋନର ଅମି ମାଝି, ‘ଗ’ ଜୋନ‌ର ସରସ୍ବତୀ ମାଝି, ପଦ୍ମପୁର ‘କ’ ଜୋନର ଡରଗିନ୍ ଶବର, ରାୟଗଡ଼ା ‘ଗ’ ଜୋନର ସନ୍ଧ୍ୟା ପୁଲାକା ରହିଛନ୍ତି। ୫ ପ୍ରାର୍ଥୀଙ୍କ ମଧ୍ୟରୁ ବିଷମକଟକ ‘ଖ’ ଜୋନ୍ ପ୍ରାର୍ଥୀ ବିଜୟଶାନ୍ତି କୁମୁରିକା ଓ ରାୟଗଡ଼ା ‘ଗ’ ଜୋନ୍ ପ୍ରାର୍ଥ ସନ୍ଧ୍ୟା ପୁଲାକାଙ୍କ ନାମ ସର୍ବାଗ୍ରେ ରହିଛି। ଲବିରେ ଥିବା ବିଜୟଶାନ୍ତି କୁମୁରିକା ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଷମକଟକ ବ୍ଲକ୍ ଦୁର୍ଗୀ ପଞ୍ଚାୟତରୁ ସମିତିସଭ୍ୟା ଭାବେ ବିଜୟୀ ହୋଇ ବିଷମକଟକ ବ୍ଲକ୍ ଚେୟାରମ୍ୟାନ୍ ଭାବେ କାର୍ୟ୍ୟ କରୁଥିଲେ।

Advertisment

ଚଳିତ ନିର୍ବାଚନରେ ବିଜୟଶାନ୍ତି ବିଷମକଟକ ‘ଖ’ ଜୋନରୁ ପ୍ରାର୍ଥୀ ହୋଇ ୪୧୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜୟଶାନ୍ତି ୧୦୬୮୩ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର କୃଷ୍ଣ ନାଣକା ୬୫୭୩, ବିଏସପି ପ୍ରାର୍ଥୀ ୪୦୩୨ ଭୋଟ ପାଇଥିଲେ। ସେହିପରି ରାୟଗଡ଼ା ‘ଗ’ ଜୋନ୍ ପ୍ରାର୍ଥୀ ସନ୍ଧ୍ୟା ପୁଲାକା ୬୮୧୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସନ୍ଧ୍ୟା ୧୦୯୦୪ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ନନ୍ଦିନୀ କାଡ୍ରକା ୪୦୯୧ ଏବଂ କଂଗ୍ରେସ ପ୍ରାର୍ଥୀ କାବ୍ୟା କୁଲେସିକା ୩୨୧୦ ଭୋଟ ପାଇଛନ୍ତି। ଅଧ୍ୟକ୍ଷ ଲବିରେ ଥିବା ବିଜୟଶାନ୍ତି କୁମୁରିକା ବିଜେଡ଼ି ଜିଲ୍ଲା ସଭାପତି ସୁଧୀର ଦାଶ ଏବଂ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜସ୍ବ ବ୍ଲକ ବିଷମକଟକର ହୋଇଥିବାରୁ ଉଭୟେ ବିଜୟଶାନ୍ତିଙ୍କ ନାମ ହିଁ ସୁପାରିଶ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସେହିପରି ରାଜ୍ୟ ସଭା ସାଂସଦ ଏନ୍. ଭାସ୍କର ରାଓ ରାୟଗଡ଼ା ବ୍ଲକ୍ ଚାନ୍ଦିଲିର ପ୍ରାର୍ଥୀ ସନ୍ଧ୍ୟା ପୁଲାକାଙ୍କ ନାମ ସୁପାରିଶ କରିଛନ୍ତି। ଜିଲ୍ଲା ପର୍ୟ୍ୟବେକ୍ଷକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପାଖରେ ଅଧ୍ୟକ୍ଷ ପଦବି ପାଇଁ ଦୁଇ ମହିଳା ନେତ୍ରୀଙ୍କ ନାମ ପହଞ୍ଚି ସାରିଛି।

ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଥିବା ବେଳେ ନିର୍ବାଚନ ଦିନ କିମ୍ବା ଗୋଟିଏ ଦିନ ପୂର୍ବରୁ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମକୁ ଦଳୀୟ ସୁପ୍ରିମୋଙ୍କ ଅନୁମୋଦନକ୍ରମେ ଘୋଷଣା କରିବ ଦଳ। ଯାହା ଉପରେ ଏବେ ସଭିଁଙ୍କ ନଜର ରହିଛି। ସୂଚନାଯୋଗ୍ୟ, ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ୨୨ଟି, କଂଗ୍ରେସ ପ୍ରାର୍ଥୀ ୬ଟି ଜୋନରେ ବିଜୟୀ ହୋଇଛନ୍ତି। ୨୦୧୭ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୧୧ ଆସନ ପାଇଁ ରାୟଗଡ଼ାରେ ଜିଲ୍ଲା ପରିଷଦ ଗଠନ କରିଥିଲା। ୧୯୯୭ ନିର୍ବାଚନ ପରଠୁ ଅନୁଷ୍ଠିତ ୫ଟି ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ୪ ଥର, ବିଜେଡ଼ି ଥରେ ଜିଲ୍ଲା ପରିଷଦ ଗଠନରେ ସକ୍ଷମ ହୋଇଛି। ନିର୍ବାଚନୀ ମାମଲାକୁ ନେଇ ୨୦୨୦ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡ଼ି ବିଜୟୀ ହୋଇ ଗଙ୍ଗାଧର ପୁଆଲାଙ୍କୁ ଅଧ୍ୟକ୍ଷ କରିଥିଲା।