ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ଦାୟିତ୍ବ କାହାର? ପ୍ରଶାସନ ପାଖରେ ରହୁନି ସୂଚନା, ପର୍ଯ୍ୟଟନ ବିଭାଗ ବେଫିକର୍

ଦୁଇଦିନ ବ୍ୟବଧାନରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ଅଘଟଣ ପରେ ଚେତିଲା ପୁଲିସ୍

ରାୟଗଡ଼ା: ରାୟଗଡ଼ା ଭ୍ରମ‌ଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂପର୍କରେ ପୁଲିସ୍, ପ୍ରଶାସନ ପାଖରେ ରହୁନି ସୂଚନା। ପର୍ଯ୍ୟଟନ ବିଭାଗ ମଧ୍ୟ ଏ ଦିଗରେ ବେଫିକର। ଜିଲ୍ଲାକୁ କେତେ ପର୍ଯ୍ୟଟକ ଆସୁଛନ୍ତି, କେତେଦିନ ରହୁଛନ୍ତି, କେବେ ଫେରୁଛନ୍ତି ସେ ସଂପର୍କରେ କୌଣସି ସୂଚନା ବିଭାଗ‌ ନିକଟ‌ରେ ନାହିଁ। ରାଜ୍ୟ ପୁଲିସର ସ୍ପେଶାଲବ୍ରାଞ୍ଚକୁ ଅବଗତ କରି ପର୍ଯ୍ୟଟକ ରାୟଗଡ଼ା ବୁଲିବାକୁ ଆସୁଥିବାରୁ ପର୍ଯ୍ୟଟକଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସୁରକ୍ଷା ଯୋଗାଇବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଛି। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ନିୟମଗିରି ପାହାଡ଼, ଡଙ୍ଗରିଆ କନ୍ଧଙ୍କ ବେଶଭୂଷା, ଜୀବନଶୈଳୀ, ଲାଞ୍ଜିଆ ସଉରା ସଂପ୍ରଦାୟର ଇଡତାଲ୍, ପୋଷାକ, ପାରମ୍ପରିକ ଗହଣା ଦେଖିବାକୁ ବିଦେଶୀ ପର୍ଯ୍ୟଟକ ବହୁମାତ୍ରାରେ ରାୟଗଡ଼ା ଆସିଥାନ୍ତି।

କରୋନା ସଂକ୍ରମଣ ବ୍ୟାପିବା ପରେ ବିଦେଶୀ ପର୍ଯ୍ୟଟକଙ୍କ ରାୟଗଡ଼ା ଆଗମନ କମିଥିଲା। ଏବେ ପୁଣି ଧୀରେ ଧୀରେ ବଢ଼ିବାରେ ଲାଗିଛି। ପର୍ଯ୍ୟଟନ ଋତୁ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକ ରାୟଗଡ଼ାକୁ ଆସି ଚାଟିକଣା, ବିଷମକଟକ, କଲ୍ୟାଣସିଂହପୁର, ଗୁଣପୁର, ପୁଟାସିଂ ଅଞ୍ଚଳ ପରିଦର୍ଶନରେ ଯାଇଥାନ୍ତି। ରାୟଗଡ଼ା ଜିଲ୍ଲା ମାଓ ପ୍ରଭାବିତ ଅଞ୍ଚଳ ଯୋଗୁ ବିଦେଶୀ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ସାମାନ୍ୟ କଟକଣା ରହିଛି। ଜିଲ୍ଲା ଗସ୍ତ ପୂର୍ବରୁ ପୁଲିସ ସ୍ପେଶାଲବ୍ରାଞ୍ଚ ବିଭାଗ ସମେତ ଡିଆଇଜି, ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସୂଚନା ଦେବାର ନିୟମ ରହିଛି। ଏଥି ସହିତ ବିଦେଶୀ ପର୍ଯ୍ୟଟକ ରହୁଥିବା ହୋଟେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଏ ସଂପର୍କରେ ପୁଲିସକୁ ସୂଚନା ଦେବାର ମଧ୍ୟ ନିୟମ ରହିଛି। କନ୍ଧମାଳରେ ବିଦେଶୀ ପର୍ଯ୍ୟଟକଙ୍କୁ ମାଓବାଦୀ ଅପହରଣ କରିବା ପରେ ରାୟଗଡ଼ା ଜିଲ୍ଲାକୁ ବିଦେଶୀ ପର୍ଯ୍ୟଟକ ଆସିବା ନେଇ କଟକଣା ଜାରି କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ କଟକଣା କୋହଳ ହେବା ପରେ ପର୍ୟ୍ୟଟକଙ୍କ ଯାତାୟାତ ସ୍ବାଭାବିକ ହୋଇଛି। କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ଗାଇଡ ଲାଇନ କେହି ମାନୁନଥିବା ଜଣା ପଡିଛି। ଦୁଇ ଦିନ ବ୍ୟବଧାନରେ ରାୟଗଡ଼ାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ଆକସ୍ମିକ ମୃତ୍ୟୁ ପରେ ଏହା ସ୍ପଷ୍ଟ ହୋଇଛି। ବିଦେଶୀ ପର୍ଯ୍ୟଟକ ୨୧ ତାରିଖ ସଂଧ୍ୟାରେ ରାୟଗଡ଼ାରେ ପହଞ୍ଚି ଏକ ଘରୋଇ ହୋଟେଲରେ ରହିଥିଲେ। ୨୨ ତାରିଖ ପୂର୍ବାହ୍ନରେ ବ୍ଲାଡିମିର୍ ବିଦାନୋଭା ଅସୁସ୍ଥ ଅନୁଭବ କରିବା‌ ପରେ ମେଡ଼ିକାଲକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିଦାନୋଭାଙ୍କ ସହ ଆସିଥିବା ସାଥୀ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ୍ ଶନିବାର ସନ୍ଧ୍ୟାରେ ହୋଟେଲ୍ ୩ ମହଲା ଛାତରୁ ପଡ଼ି ମୃତ୍ୟୁବରଣ କରିବା ପରେ ପୁଲିସ୍, ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଛି। ୪ ଋଷୀୟ ପର୍ଯ୍ୟଟକ ରାୟଗଡ଼ା ଗସ୍ତରେ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଅଘଟଣ ଘଟିବା ପରେ ପୁଲିସ୍ ହୋଟେଲରେ ଥିବା ଅନ୍ୟ ୨ ଋଷୀୟ ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ପର୍ଯ୍ୟଟକ ରହୁଥିବା ହୋଟେଲ୍ ରୁମ୍ ବାହାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ମୃତ୍ୟୁ ହୋଇଥିବା ଦୁଇ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କର ଶେଷକୃତ୍ୟ ରାୟଗଡ଼ାରେ ସଂପନ୍ନ ହୋଇଛି। ଅନ୍ୟଜଣଙ୍କ ସଂପର୍କରେ ଋଷ ରାଷ୍ଟ୍ରଦୂତଙ୍କ ନିକଟରୁ କୌଣସି ସୂଚନା ଆସିନଥିବାରୁ ଶବ ସଂରକ୍ଷଣ ଗୃହରେ ମୃତଦେହ ରଖାଯାଇଛି। ରାୟଗଡ଼ା ପରିଭ୍ରମଣରେ ଆସିଥିବା ୪ ଋଷୀୟ ପର୍ଯ୍ୟଟକଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବାରୁ ସ୍ବତନ୍ତ୍ର ନଜର ପର୍ଯ୍ୟଟନ ବିଭାଗ ସହ ପୁଲିସ୍, ପ୍ରଶାସନ ରଖିବା କଥା। କିନ୍ତୁ ସେଥିରେ ବ୍ୟତିକ୍ରମ ହୋଇଛି। ସ୍ଥାୟୀ ପର୍ଯ୍ୟଟନ ବିଭାଗ ଅଧିକାରୀ ରାୟଗଡ଼ାରେ ରହୁନଥିବା ବେଳେ ଅତିରିକ୍ତ ଦାୟିତ୍ବ ଭାବେ କଳାହାଣ୍ଡିରୁ ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର