ଖୋର୍ଦ୍ଧା: ଯେଉଁ ଗରିବ, ନିଃସହାୟ, ନିଜ ପରିବାର ସଦସ୍ୟଙ୍କ ଦାହ ସଂସ୍କାର ପାଇଁ ଅର୍ଥ ଯୋଗାଡ଼ କରି ପାରନ୍ତି ନାହିଁ ସେମାନଙ୍କ ପାଇଁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଅନେକ ସମୟରେ ଏହି ଯୋଜନାରେ ମୃତବ୍ୟକ୍ତିଙ୍କ ନାମରେ ଟଙ୍କା ଉଠାଇ ଆତ୍ମସାତ କରୁଥିବା ଅଭିଯୋଗ ହୋଇଥାଏ, ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ଗ୍ରାମାଞ୍ଚଳରେ କିନ୍ତୁ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। ଯେଉଁ ବ୍ଲକରେ ଦାରିଦ୍ର୍ୟ ସୀମାରେଖା (ବିପିଏଲ୍‌) ନିମ୍ନରେ ରହୁଥିବା ଲୋକଙ୍କ ସଂଖ୍ୟା ଅଧିକ ସେଠାରେ ଏହି ସହାୟତା କମ୍‌ ପ୍ରଦାନ କରାଯାଉଥିବା ବେଳେ ଯେଉଁଠି ବିପିଏଲ୍‌ଙ୍କ ସଂଖ୍ୟା କମ୍‌ ସେଠାରେ ଏହି ସହାୟତା ଅଧିକ ବଣ୍ଟନ କରାଯାଇଛି। କେବଳ ଏହାନୁହେଁ, ଅନେକ କ୍ଷେତ୍ରରେ ଏଭଳି ଘଟିଛି ଯେଉଁଠି ମୃତବ୍ୟକ୍ତିଙ୍କ ପାଇଁ କେଉଁମାନେ ସହାୟତା ରାଶି ନେଇଛନ୍ତି ସେହି ତଥ୍ୟ ମଧ୍ୟ ନାହିଁ। ଜିଲ୍ଲା ଯୋଜନା ଓ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ ଜିଲ୍ଲାରେ, ୨୦୨୧-୨୨ରେ ବାଲିଅନ୍ତାରେ ମୋଟ ପରିବାରର ୩୫ ପ୍ରତିଶତ ବିପିଏଲ୍‌ ଅଟନ୍ତି। ସେହିଭଳି ବାଲିପାଟଣାରେ ୩୭ ପ୍ରତିଶତ, ବାଣପୁରରେ ୩୮ ପ୍ରତିଶତ, ବୋଲଗଡ଼ରେ ୪୩ ପ୍ରତିଶତ, ବେଗୁନିଆରେ ୪୪ ପ୍ରତିଶତ, ଭୁବନେଶ୍ବର ବ୍ଲକରେ ୪୫ ପ୍ରତିଶତ, ଚିଲିକାରେ ୩୮ ପ୍ରତିଶତ, ଖୋର୍ଦ୍ଧାରେ ୩୯ ପ୍ରତିଶତ, ଜଟଣୀ ବ୍ଲକରେ ୪୬ ପ୍ରତିଶତ, ଟାଙ୍ଗୀରେ ୩୭ ପ୍ରତିଶତ ପରିବାର ବିପିଏଲ୍‌ ଅଟନ୍ତି। ଚଳିତବର୍ଷ ଜାନୁଆରୀରୁ ଜୁଲାଇ ୪ ତାରିଖ ମଧ୍ୟରେ ହରିଶ୍ଚନ୍ଦ୍ର ଯୋଜନାରେ ୮୨ଲକ୍ଷ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଛି।

Advertisment

ବାଲିଅନ୍ତାରେ ୩୩୫ ଜଣଙ୍କୁ ୭ଲକ୍ଷ ୩୦ହଜାର ଟଙ୍କା, ବାଲିପାଟଣାରେ ୩୪୦ଜଣଙ୍କୁ ୭ଲକ୍ଷ ୫୭ ହଜାର ଟଙ୍କା, ବାଣପୁରରେ ୪୨୫ଜଣଙ୍କୁ ୧୦ଲକ୍ଷ ୫୪ହଜାର ଟଙ୍କା, ବୋଲଗଡ଼ରେ ୪୬୫ଜଣଙ୍କୁ ୧୧ଲକ୍ଷ ୭୨ହଜାର ଟଙ୍କା, ବେଗୁନିଆରେ ୪୪୬ଜଣଙ୍କୁ ୧୧ ଲକ୍ଷ ୨୧ହଜାର ଟଙ୍କା, ଭୁବନେଶ୍ବର ବ୍ଲକରେ ୩୩୭ଜଣଙ୍କୁ ୭ଲକ୍ଷ ୭୨ହଜାର ଟଙ୍କା, ଚିଲିକାରେ ୨୦୪ ଜଣଙ୍କୁ ୪ଲକ୍ଷ ୯୧ ହଜାର ଟଙ୍କା, ଖୋର୍ଦ୍ଧା ବ୍ଲକରେ ୪୯୩ ଜଣଙ୍କୁ ୧୨ଲକ୍ଷ ୪ହଜାର ଟଙ୍କା, ଜଟଣୀ ବ୍ଲକରେ ୨୧୨ଜଣଙ୍କୁ ୫ଲକ୍ଷ ୭ହଜାର ଟଙ୍କା ଓ ଟାଙ୍ଗୀ ବ୍ଲକରେ ୫୯୬ ଜଣଙ୍କୁ ୧୪ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନ କରାଯାଇଛି।

ହରିଶ୍ଚନ୍ଦ୍ର ଯୋଜନାର ନିୟମାନୁସାରେ, ହିତାଧିକାରୀଙ୍କୁ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯିବ ଓ ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠୀରେ ଦାଖଲ କରାଯିବ। ଏହି ନିର୍ଦ୍ଧାରିତ ସମୟ ପରେ ଆଉ ଦାଖଲ କରାଯାଇ ପାରିବ ନାହିଁ। କିନ୍ତୁ ହିତାଧିକାରୀଙ୍କ ତାଲିକାକୁ ଅନୁଶୀଳନ କଲେ ଅନେକଙ୍କ ତଥ୍ୟ ଦିଆଯାଇ ନାହିଁ। ଉଦହରଣସ୍ବରୂପ, ଟାଙ୍ଗୀ ବ୍ଲକ ବାଲିପାଟପୁରରେ ଜାନୁଆରି ୧୦ ତାରିଖରେ ମୃତ୍ୟ ଅରୁଣା ବେହେରା ଓ ଆଶା ବେହେରା, ଜଗନ୍ନାଥପୁରର ବବିତା ଦାସ ଓ ଜାନୁଆରୀ ୧୮ ତାରିଖରେ ଘଟିଥିବା ଭାଗ ବେହେରା, ଧୀରେନ ସଣା, ହାଡ଼ୁବନ୍ଧୁ ବେହେରାଙ୍କ ଅର୍ଥ କିଏ ନେଲା ସେହିତଥ୍ୟ ଦାଖଲ ହୋଇ ନାହିଁ। ସେହିଭଳି ଜାନୁଆରୀ ୧୦ ତାରିଖରେ ଡିଆ ପଞ୍ଚାୟତର ବୁଧି ପରିଡ଼ା, ବୁଲି ଦିବ୍ୟା, ଲାବଣ୍ୟ ମହାପାତ୍ର, ଲକ୍ଷ୍ମଣ ଜେନା, ନେପାଳି ପ୍ରଧାନ, ପ୍ରମିଳା ଦେବୀ, ଛଣଗିରି ପଞ୍ଚାୟତର ବ୍ରଜକିଶୋର ପ୍ରଧାନଙ୍କ କେଉଁ ଗାଁ ତାହା ମଧ୍ୟ ଦର୍ଶା ଯାଇନାହିଁ। ଏଭଳି ତଥ୍ୟ ଶୂନ୍ୟତା କେବଳ ‌ଟାଙ୍ଗୀ ବ୍ଲକରେ ନୁହେଁ ପ୍ରାୟ ସମସ୍ତ ବ୍ଲକରେ ଉଣାଅଧିକ ଦେଖିବାକୁ ମିଳିଛି।